ପୁରୀ, ୦୮/୦୬: ଶ୍ରୀମନ୍ଦିର କୋଇଲି ବୈକୁଣ୍ଠ ଓ ରୋଷ ଘର ପରେ ନୀଳାଚଳ ଉପବନକୁ ଦର୍ଶନ ପାଇଁ ଟିକଟ ବ୍ୟବସ୍ଥା ହେବ । ଏହାକୁ ନିଲାମ କରିବ ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଟେଣ୍ଡର ଆହ୍ୱାନ କରାଯାଇଛି । ଶ୍ରଦ୍ଧାଳୁ ଟଙ୍କା ଦେଲେ ଏହା ଭିତରେ ମହାପ୍ରଭୁଙ୍କ ଫୁଲ, ତୁଳସୀ ଉଦ୍ୟାନ ଦେଖିପାରିବେ । ଶ୍ରଦ୍ଧାଳୁଙ୍କୁ ମାଗଣା ଆଉ ଆଗକୁ ଏହି ସ୍ଥାନକୁ ଦର୍ଶନ ମନା । ୨୦୨୦ ଏପ୍ରିଲ ପହିଲା ଠାରୁ ଦୀର୍ଘ ୫ ବର୍ଷ ଧରି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଭିତରେ ବିନା କୌଣସି ଶୁଳ୍କରେ ସମସ୍ତ ସ୍ଥାନ ଦର୍ଶନ କରିପାରୁଥିଲେ । ୨୦୨୦ ଫେବ୍ରୁଆରୀ ୧୮ ତାରିଖରେ ବସିଥିବା ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ସବ୍କମିଟି ବୈଠକରେ ଶ୍ରୀମନ୍ଦିର ଭିତରେ ୭ଟି ଦର୍ଶନୀ ମାହାଲ ଆଦାୟ ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ହୋଇଥିଲା । ଫଳରେ ସମସ୍ତ ଶ୍ରେଣୀର ଶ୍ରଦ୍ଧାଳୁ ମାଗଣାରେ କୋଇଲି ବୈକୁଣ୍ଠ ଠାରୁ ରୋଷଘର ପର୍ଯ୍ୟନ୍ତ ପରିଦର୍ଶନ କରିପାରୁ ଥିଲେ। ହେଲେ ଚଳିତ ବର୍ଷ ହଠାତ୍ ପ୍ରଶାସନ ନିଜ ମନ ବଦଳାଇ ସମସ୍ତ ମାହାଲରୁ ଅର୍ଥ ଉପାର୍ଜନ ନିଷ୍ପତ୍ତି ନେଇଛି । ଯାହା ଉଦ୍ବେଗର ବିଷୟ ହୋଇଛି ।
ଧାର୍ମିକ ସଂସ୍କୃତି ଓ ନୀତିକୁ ଉଲ୍ଲଙ୍ଘନ କରି ଶ୍ରୀମନ୍ଦିର ଭିତରେ ଗୋଟିଏ ପରେ ଗୋଟିଏ ସ୍ଥାନକୁ ନିଲାମ କରି ଲାଗିଛି ପ୍ରଶାସନ । ନିଲାମଧାରୀ ଶ୍ରଦ୍ଧାଳୁଙ୍କଠାରୁ ଅର୍ଥ ବିନିମୟରେ ଦର୍ଶନ ସୁଯୋଗ ଦେବେ । ଯାହାକୁ ନେଇ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରତିଦିନ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦାନ ଦକ୍ଷିଣାରୁ ଶ୍ରୀମନ୍ଦିର ପ୍ରଶାସନ ୧୦ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି । ନୀଳାଚଳ ଉପବନର ବର୍ଷିକିଆ ଦର୍ଶନ ମାହାଲ ନିଲାମ ମୂଲ୍ୟ ୬.୨୫ ଲକ୍ଷ ଟଙ୍କା ରହିଛି । ସର୍ବାଧିକ ଟଙ୍କା ନିଲାମ ରଖିଥିବା ବ୍ୟକ୍ତିଙ୍କୁ ଏହା ଦିଆଯିବ । ଏଥିସହ ବର୍ଷକ ପରେ ୧୦ ପ୍ରତିଶତ ହିସାବରେ ପରବର୍ତ୍ତୀ ଦୁଇ ବର୍ଷ ନିମନ୍ତେ ଯଥାକ୍ରମେ ଦୁଇଥର ନିଲାମ ଦର ବଢ଼ାଇ ଆଦାୟ କରାଯିବ । ଏହି ସ୍ଥାନକୁ ପରିଦର୍ଶନ ନିମନ୍ତେ ଆସୁଥିବା ଦର୍ଶନାର୍ଥୀଙ୍କୁ ଯଥୋଚିତ ବ୍ୟବହାର କରିବା ସହ ଏହି ସ୍ଥାନର ରକ୍ଷଣାବେକ୍ଷଣ କରିବା ନେଇ ମାର୍ଗଦର୍ଶିକା ଜାରି ହୋଇଛି । ଏହାକୁ ଖିଲାପ କଲେ ନିଲାମଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।
ସୂଚନା ଥାଉକି, ଶ୍ରୀକ୍ଷେତ୍ର ଏକ ଧାର୍ମିକ ସ୍ଥଳ ହୋଇଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ଶ୍ରଦ୍ଧାଳୁ ଏଠାରେ ଥିବା ପ୍ରତିଷ୍ଠିତ ମନ୍ଦିର ଏବଂ ତୀର୍ଥସ୍ଥଳରେ ଠାକୁର ଦର୍ଶନ ନିମନ୍ତେ ଆସିଥାଆନ୍ତି । ହେଲେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନରେନ୍ଦ୍ର ମାହାଲ ନାମରେ ଜଳକ୍ରୀଡ଼ା ମଣ୍ଡପ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି । ସେହିପରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଟ୍ରଷ୍ଟ ବୋର୍ଡ ଅଧୀନରେ ପରିଚାଳନା ହେଉଥିବା ଚକ୍ରତୀର୍ଥ ରୋଡ୍ ସ୍ଥିତ ପ୍ରସିଦ୍ଧ ବେଡ଼ି ହନୁମାନ ମନ୍ଦିର ଓ ନୃସିଂହ ମନ୍ଦିରରେ ଠାକୁର ଦର୍ଶନ ନିମନ୍ତେ ଟଙ୍କା ଆଦାୟ କରାଯାଉଛି । ଦର୍ଶନୀ ମାହାଲ ନାମରେ ଶ୍ରଦ୍ଧାଳୁଙ୍କ ଠାରୁ ଟଙ୍କା ଆଦାୟ କରାଯିବା ଧାର୍ମିକ ସଂସ୍କୃତି ବିରୋଧୀ ବୋଲି ଅନେକ ଭକ୍ତ ଅଭିଯୋଗ କରିଛନ୍ତି । ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କୁ ଯୋଗାଯୋଗ କରାଯିବାରେ ଏ ବାବଦରେ କିଛି କହିବାକୁ ମନା କରିଦେଇଛନ୍ତି ।