ପୁରୀ,୨୨/୧୧: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନଅଳଙ୍କାର ଗଣତିମଣତି ନେଇ ଆସିଲା ବଡ଼ ଅପ୍ଡେଟ। ଖୁବ୍ଶୀଘ୍ର ରତ୍ନଭଣ୍ଡାର ଗଣତିମଣତି ପାଇଁ ମାର୍ଗଦର୍ଶିକା ଆସିବ। ସବୁ ଅଳଙ୍କାରର ଡିଜିଟାଲାଇଜେସନ୍ ପାଇଁ ଯୋଜନା କରାଯାଇଛି । ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ପାଇଁ ଅଢେଇରୁ ତିନି ମାସ ଲାଗିବ। ଏଥି ସହିତ ୧୯୭୮ର ଗଣତି ସହ ଅଳଙ୍କରକୁ ମେଳ କରାଯିବ । ମାର୍ଗଦର୍ଶିକା ଆସିବା ପରେ ରତ୍ନଅଳଙ୍କାର ଗଣତିମଣତି ତାରିଖ ଧାର୍ଯ୍ୟ ହେବ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ।
ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଗଣତିମଣତି ନେଇ ଆଲୋଚନା ହୋଇଥିଲା । ବୈଠକ ପରେ ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ଗଣମାଧ୍ୟମକୁ କହିଥିଲେ, ରତ୍ନଭଣ୍ଡାରରେ ଥିବା ରତ୍ନକୁ ଗଣତିମଣତି କରିବା ନିମନ୍ତେ ଥିବା ମାର୍ଗଦର୍ଶିକାରେ କିଛିଟା ପରିବର୍ତ୍ତନ କରାଯିବ । ଡିଜିଟାଲ ପ୍ରକ୍ରିୟାକୁ ସାମିଲ କରାଯିବ । ରତ୍ନଭଣ୍ଡାର ଭିତରେ ଓ ଆର୍ବିଆଇ ଅଧିକାରୀଙ୍କ ଉପସ୍ଥିତିରେ ଗଣତିମଣତି କରାଯିବ । ଆସନ୍ତା ଅକ୍ଷୟ ତୃତୀୟା ପୂର୍ବରୁ ଶେଷ କରିବାକୁ ଗତକାଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ନୀତି ସବ୍କମିଟି ଏନେଇ ଅତିରିକ୍ତ ମାର୍ଗଦର୍ଶିକା ପ୍ରସ୍ତୁତ କରିବ । ସେବାୟତ ନିଯୋଗଙ୍କ ସହମତି ନେଇ ପଦକ୍ଷେପ ନିଆଯିବ ।ସେହିପରି ପୁଲିସ ବାରାକରେ ଥିବା ତଥା ଏମାର ମଠରୁ ଉଦ୍ଧାର ରୁପା ଇଟା ମହାପ୍ରଭୁଙ୍କ ଅଧୀନକୁ ଆଣିବାକୁ ବୈଠକରେ ଆଲୋଚନା ହୋଇଥିଲା । ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ସରିଛି । ନିୟମ ମୁତାବକ ରୁପା ଇଟା ଅଣାଯିବ । ଏନେଇ ଆଡ୍ଭେକେଟ ଜେନେରାଲଙ୍କ ମତ ନିଆଯିବ ।
ସେହିପରି ମହାପ୍ରଭୁଙ୍କ ଗୋଟିଏ ସେଟ୍ ଅଧିକ ଅଳଙ୍କାର ତିଆରି କରାଯିବା ନେଇ ଆଲୋଚନା ହୋଇଥିଲା । ଏଥିନିମନ୍ତେ ଏକ ସ୍ୱତନ୍ତ୍ର ଦାନ ଯୋଜନା କରାଯିବ । ବୈଠକରେ ଚଳିତ ବର୍ଷର ବ୍ୟୟ ବଜେଟକୁ ଅନୁମୋଦନ କରାଯାଇଥିଲା । ୨୦୨୫-୨୬ ନିମନ୍ତେ ସଂଶୋଧିତ ୧୦୪ କୋଟି ଟଙ୍କାର ବଳକା ବଜେଟ୍ ଗୃହୀତ ହୋଇଥିଲା । ୨୦୨୨-୨୩, ୨୦୨୩-୨୪ରେ ଖର୍ଚ୍ଚର ଅଡିଟ୍ ଦସ୍ତାବିଜ୍ ବୈଠକରେ ଉପସ୍ଥାପିତ ହୋଇଥିଲା । ୨୦୨୪-୨୫ର ଅଡିଟ୍ ଡିସେମ୍ବର ସୁଦ୍ଧା ସରିବ ବୋଲି କମିଟିକୁ ସୂଚନା ଦିଆଯାଇଥିଲା ।
ସେହିପରି ବାହାର ରତ୍ନଭଣ୍ଡାର ରୁପା ଛାଉଣି ନିମନ୍ତେ ରୁପା କିଣିବା ପଦକ୍ଷେପ ସ୍ୱଚ୍ଛତାର ସହ କରାଯାଉଛି । ହାତଲେଖା ଦାନ ରସିଦ୍ ଆଉ ଚଳିବନି । କମ୍ପ୍ୟୁଟରରେ ଦାନ ଗ୍ରହଣ ସହ ଦାତାଙ୍କୁ କମ୍ପ୍ୟୁଟର ରସିଦ୍ ଦିଆଯିବ । ପୁରୀରେ ଥିବା ସମସ୍ତ ଏଟିଏମ୍ରୁ ଟଙ୍କା ଉଠାଣ ପରେ ଲୋକଙ୍କୁ ମହାପ୍ରଭୁଙ୍କୁ ଦାନ ଦେବାକୁ ଚାହୁଁଛନ୍ତି କି ବୋଲି ଗୋଟିଏ ଅପ୍ସନ୍ ଆସିବ । ଏନେଇ ସେମାନଙ୍କ ମୋବାଇଲକୁ ବାର୍ତ୍ତା ଯିବ । ଏହାଦ୍ୱାରା ମହାପ୍ରଭୁଙ୍କୁ ଟଙ୍କା ଦାନ ଦେଇପାରିବେ ।ସେହିପରି ଡିଜିଟାଲ ହୁଣ୍ଡିରେ ଦାନ ଗ୍ରହଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ପରିଚାଳନା କମିଟି ଗ୍ରହଣ କରିଛି । ହୁଣ୍ଡି ନିୟମ ମୁତାବକ, ୫୦୦ ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାନ ମିଳିଲେ ତାହା ଫାଉଣ୍ଡେସନ ଫଣ୍ଡକୁ ଯାଏ । ଏହି ରାଶିକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ୫୦୦ ଟଙ୍କା ପର୍ଯ୍ୟନ୍ତ ମିଳୁଥିବା ଦାନ ପୂର୍ବ ଭଳି ମନ୍ଦିର ପାଣ୍ଠିରେ ରହିବ ।
ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ କାଠ ର୍ୟା ମ୍ପ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ କରାଯିବ । ବୈଷୟିକ କମିଟି ଏହାକୁ ଆଉ ଥରେ ଅନୁଧ୍ୟାନ କରିବା ସହ ଖ୍ୟାତିସମ୍ପନ୍ନ ଆଇଆଇଟି କିମ୍ବା ସିବିଆର୍ଆଇଙ୍କ ପରାମର୍ଶ ନେଉଛି ।