ନୂଆଦିଲ୍ଲୀ,୦୮/୦୧: ଷ୍ଟାର ବ୍ୟାଟର ଶ୍ରେୟାସ ଆୟରଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀ ଫିଟ୍‌ନେସ୍  ପ୍ରମାଣ ପତ୍ର ପ୍ରଦାନ କରିଛି । ଫଳରେ ଆସନ୍ତା ରବିବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଆୟର ଖେଳିବା ନିଶ୍ଚିତ ହୋଇଛି । ଆୟର ଗତ ମଙ୍ଗଳ ବାର ଦିନ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିରେ ହିମାଚଳ ପ୍ରଦେଶ ବିପକ୍ଷରେ ଏକ ମ୍ୟାଚ୍ ଖେଳି ସମ୍ପୂର୍ଣ୍ଣ ଫିଟ୍ ହୋଇ ସାରିଥିବା ପ୍ରମାଣ କରିଥିଲେ । ସେ ମୁମ୍ବାଇ ଦଳର ନେତୃତ୍ୱ ନେଇଥିଲେ ଓ ବ୍ୟାଟିଂ କରି ୮୨ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ ।

ଗତ ଅକ୍ଟୋବର ମାସରେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଆୟର ତୃତୀୟ ଦିନିକିଆରେ ଗୁରୁତର ଆହତ ହୋଇଥିଲେ । ସିଡନୀରେ ଅନୁଷ୍ଠିତ ଉକ୍ତ ମ୍ୟାଚ୍ରେ ସେ ଡାଇଭ ମାରି ଏକ କ୍ୟାଚ ଧରିବା ସମୟରେ ବାମ ପଞ୍ଜରାରେ ଆଘାତ ପାଇଥିଲେ । ଫିଟ୍ ହେବା ପାଇଁ ଆୟରଙ୍କୁ ୨ମାସରୁ ଅଧିକ ସମୟ ଲାଗିଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଫିଟନେସ୍ ପ୍ରସ୍ତୁତି ଆରମ୍ଭ କରିବା ପରେ ଜାତୀୟ କ୍ରିକେଟ୍ ଏକାଡେମୀ ଯାଇ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତି କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଆୟରଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଥିଲା । ମାତ୍ର ସେ ଫିଟ୍‌ ପ୍ରମାଣପତ୍ର ପରେ ସେ ଖେଳି ପାରିବେ ବୋଲି ଚୟନ କିମିଟି ଦର୍ଶାଇଥିଲା ।