ପୁରୀ, ୨୧/୧୧ : ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବସିଲା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ। ଶୁକ୍ରବାର ୧୧ଟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକକୁ ପରିଚାଳନା କମିଟିର ସଭାପତି ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଶ୍ରୀମନ୍ଦିର ସୁରକ୍ଷା ସବ କମିଟିର ଅଧ୍ୟକ୍ଷ ଗିରିଶ ମୁର୍ମୁ, ଜିଲ୍ଲାପାଳ, ଏସପି, ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହିଛନ୍ତି। 

​​​​​​​

ବୈଠକରେ ମହାପ୍ରଭୁଙ୍କର ରତ୍ନ ଅଳଙ୍କାରର ଗଣତି ମଣତି କେବେ ହେବ ସେନେଇ ବିସ୍ତୃତ ଭାବେ ଆଲୋଚନା କରାଯାଉଛି। ସେହିପରି ଶ୍ରୀମନ୍ଦିର ନାଟମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ନେଇ ଆଲୋଚନା କରାଯିବ। ନାଟମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କାଠ ରାମ୍ପ ନିର୍ମାଣ ହୋଇଥିବା ବେଳେ ଏଥିରେ କଣ ପରିବର୍ତ୍ତନ କରାଯିବ ସେନେଇ ଆଲୋଚନା କରାଯିବ। ଶ୍ରୀମନ୍ଦିର ସୁରକ୍ଷା ନେଇ ମଧ୍ୟ ବୈଠକରେ ଆଲୋଚନା ହେବ। ପ୍ରକଳ୍ପ ସାଂସ୍କୃତିକ ଏବଂ ବୈଷୟିକ ସବ୍ କମିଟିର ବିବରଣୀ, ଶ୍ରୀମନ୍ଦିର ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ବୈଠକରେ ଆଲୋଚନା ହେବ। ଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ, ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ନିର୍ମାଣ, ରଘୁନନ୍ଦନ ଲାଇବ୍ରେରୀ ନିର୍ମାଣ, ଶ୍ରୀମନ୍ଦିର ସେବକ ବାସଗୃହ, ଶ୍ରୀମନ୍ଦିର ୭୫ ମିଟର ଜୋନ୍ ବାହାରେ ଅନ୍ନ କ୍ଷେତ୍ର ନିର୍ମାଣ, ହୋମଯଜ୍ଞ ପ୍ରକଳ୍ପ, ନାମଯଜ୍ଞ ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ପିଲଗ୍ରୀମ୍ ସେଣ୍ଟର କାର୍ଯ୍ୟର ଅଗ୍ରଗତି ଉପରେ ବିସ୍ତୃତ ଭାବେ ଆଲୋଚନା ହେବ। ମହାପ୍ରଭୁଙ୍କ ଜମିଜମା ସମସ୍ୟା ଉପରେ ମଧ୍ୟ ଆଲୋଚନା ହେବ।