ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ଶୁଭମନ ଗିଲ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଚମତ୍କାର ବ୍ୟାଟିଂ କରିଛନ୍ତି ଏବଂ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ସେ ସିରିଜର ପ୍ରାୟ ପ୍ରତ୍ୟେକ ଟେଷ୍ଟ ମ୍ୟାଚ୍ରେ ଭଲ ବ୍ୟାଟିଂ କରିବା ସହ ଇଂଲଣ୍ଡ ବୋଲରଙ୍କ ଉପରେ ଚାପ ପକାଇଛନ୍ତି । ମାଞ୍ଚେଷ୍ଟର ଟେଷ୍ଟ ବିଷୟରେ କହିବାକୁ ଗଲେ, ଏହି ମ୍ୟାଚ୍ ସମୟରେ ସେ ଆଉ ଏକ ମହାନ ରେକର୍ଡ ସୃଷ୍ଟି କରିଛନ୍ତି । କେବଳ ଏତିକି ନୁହେଁ, ଶୁଭମନ ଗିଲ ଏହି ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ ବ୍ୟାଟର ବି ହୋଇଛନ୍ତି । ଭାରତୀୟ ଅଧିନାୟକ ଗିଲ୍ ଇଂଲଣ୍ଡରେ ଗୋଟିଏ ସିରିଜରେ ୭୦୦ ରୁ ଅଧିକ ରନ ସ୍କୋର କରିବାରେ ପ୍ରଥମ ଏସୀୟ ବ୍ୟାଟର ହୋଇଛନ୍ତି ।
ଶୁଭମନ ଗିଲ ଇଂଲଣ୍ଡରେ ଏକ ଟେଷ୍ଟ ସିରିଜରେ ୭୦୦ ରୁ ଅଧିକ ରନ କରିଛନ୍ତି। କେବଳ ସେତିକି ନୁହେଁ, ସେ ଟେଷ୍ଟ ସିରିଜରେ ୭୦୦ ରୁ ଅଧିକ ରନ କରିବାରେ ବିଶ୍ୱର ଅଷ୍ଟମ ଅଧିନାୟକ । ଏହା ପୂର୍ବରୁ, ଏହି ସଫଳତା ସାର୍ ଡନ୍ ବ୍ରାଡମ୍ୟାନ୍ (ଦୁଇଥର), ଗ୍ରେଗ୍ ଚାପେଲ୍, ସାର୍ ଗାରଫିଲ୍ଡ ସୋବର୍ସ, ସୁନୀଲ ଗାଭାସ୍କର, ଡେଭିଡ୍ ଗୋଏର, ଗ୍ରାହାମ ଗୁଚ୍ ଏବଂ ଗ୍ରାଏମ୍ ସ୍ମିଥ୍ ହାସଲ କରିଛନ୍ତି। ଏହା ସହ ଗାଭାସ୍କର ଏବଂ ଯଶସ୍ୱୀ ଜୟସ୍ବାଲଙ୍କ ପରେ ଗିଲ୍ କେବଳ ତୃତୀୟ ଭାରତୀୟ ବ୍ୟାଟର ଯିଏକି ଏକ ଟେଷ୍ଟ ସିରିଜରେ ୭୦୦ ରୁ ଅଧିକ ରନ ସ୍କୋର କରିଛନ୍ତି।
ଗାଭାସ୍କର ୧୯୭୧ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୭୭୪ ରନ କରିଥିଲେ । ଏହା ପରେ ଦ୍ୱିତୀୟ ଥର ପାଇଁ ସେ ୧୭୭୮-୭୯ ମସିହାରେ ଭାରତରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୭୩୨ ରନ କରିଥିଲେ । ଯଶସ୍ୱୀ ଜୟସ୍ବାଲ ୨୦୨୪ ମସିହାରେ ଇଂଲଣ୍ଡ ବିପକ୍ଷରେ ୭୧୨ ରନ କରିଥିଲେ। ଗିଲ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି । ଏହି ଟେଷ୍ଟ ସିରିଜରେ ଶୁଭମନ ଗିଲ ମଧ୍ୟ ଏକ ଦ୍ୱିଶତକ ହାସଲ କରିଛନ୍ତି । ସେ ଏଜବାଷ୍ଟନ ଟେଷ୍ଟରେ ୨୬୯ ରନର ଏକ ଦୃଢ଼ ଇନିଂସ ଖେଳିଥିଲେ ଯାହା ଫଳରେ ଭାରତ ଦ୍ୱିତୀୟ ଟେଷ୍ଟ ଜିତିଥିଲା। ତଥାପି, ଗିଲଙ୍କ ପ୍ରଦର୍ଶନ ସତ୍ତ୍ୱେ, ଟିମ୍ ଇଣ୍ଡିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୨ରେ ପଛରେ ରହିଛି । ଚତୁର୍ଥ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ, ଭାରତୀୟ ଅଧିନାୟକ ମାତ୍ର ୧୨ ରନ୍ କରି ଆଉଟ୍ ହୋଇଥିଲେ। ଶୁଭମନ ଗିଲ୍ ମାଞ୍ଚେଷ୍ଟର ଟେଷ୍ଟରେ ୧୦୩ ରନ୍ କରିଛନ୍ତି ।