କଟକ,୨୯/୧୦: କାଳୀ ପୂଜା ଓ ଭସାଣି  ପାଇଁ କଟକ କମିସନରେଟ୍‌ ପୁଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି । ଏଥିରେ ଡିସିପି ଜଗମୋହନ ମୀନା ଅଧ୍ୟକ୍ଷତା କରିଥିଲେ। ଚଳିତ ବର୍ଷର ପୂଜା ଆସନ୍ତା ୩୧ ତାରିଖ  ଗୁରୁବାରଠାରୁ ଆରମ୍ଭ ହୋଇ ୨ ତାରିଖ ଶନିବାର  ପର୍ଯ୍ୟନ୍ତ ଚାଲିବ । ତେବେ ୩ ତାରିଖ ରବିବାର  ଦିନ କାଳୀ ପୂଜା ଭସାଣ ଆୟୋଜିତ ହେବ । 

ବିଦ୍ୟାଧରପୁର କାଳୀ ପୂଜାକୁ ଛାଡ଼ିଦେଲେ  ଚଳିତ ବର୍ଷ ୭୨ଟି ମଣ୍ଡପରେ ମା’ ଶ୍ୟାମାକାଳୀ  ପୂଜା ପାଇବେ । ୧ ତାରିଖ ଓ ୨ ତାରିଖରେ ବିଭିନ୍ନ  ପୂଜା ମଣ୍ଡପ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ  କରିପାରିବେ । ପୂଜାର ତିନି ଦିନ ପୁଲିସ ପକ୍ଷରୁ  ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଚାନ୍ଦିମେଢ଼  ଥିବା ମଣ୍ଡପରେ ବନ୍ଧୁକଧାରୀ ପୁଲିସ ରହିବେ । ଟ୍ରାଫିକ୍‌  ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଭସାଣି ଦିନ ସକାଳୁ ମେଢ଼ ଗୁଡ଼ିକ ମୁଖ୍ୟ ରାସ୍ତାକୁ ଆସି ଦେବୀଗଡ଼ା  ଅଭିମୁଖେ ଯିବେ । ରାତି ୧୨ ପର୍ଯ୍ୟନ୍ତ ଭସାଣ ମାଇକ୍‌  ବାଜି ଚାଲିବ । ପରେ ପାରମ୍ପରିକ ବାଦ୍ୟରେ ମେଢ଼  ଆଗକୁ ବଢ଼ିବ । ଦଶହରାରେ ୧୪୦ରୁ ଅଧିକ ମେଢ଼  ଯେତିକି ଲମ୍ବ ହୋଇଥିଲା କାଳୀ ପୂଜାରେ ୭୨ଟି ମେଢ଼  ପ୍ରାୟ ସେତିକି ଲମ୍ବର ହେବ । ତେଣୁ ମେଢ଼ଗୁଡ଼ିକ  କିଭଳି ତୁରନ୍ତ ଆଗକୁ ବଢ଼ିବ ସେଥିପାଇଁ ପୂଜା  କମିଟିଗୁଡ଼ିକ ଉଦ୍ୟମ କରିବା ଦରକାର ବୋଲି ଡିସିପି  ଶ୍ରୀ ମୀନା ଅନୁରୋଧ କରିଥିଲେ । 

ପୂଜା କମିଟିର  ସହଯୋଗରେ ହିଁ ଠିକ୍‌ ସମୟରେ ଭସାଣି ସାରି  ହେବ । ତେଣୁ ପୁଲିସକୁ ସହଯୋଗ କରିବାକୁ ଡିସିପି  ନିବେଦନ କରିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହାନଗର ପୂଜା କମିଟି ସଂପାଦକ ପୂର୍ବତନ ବିଧାୟକ  ପ୍ରଭାତ ତ୍ରିପାଠୀ, ମେୟର୍‌ ସୁବାସ ସିଂହ, ବିଧାୟକ  ସୌଭିକ ବିଶ୍ୱାଳ, ମହାନଗର ଶାନ୍ତି କମିଟି ସଭାପତି  ଦେବେନ୍ଦ୍ର ସାହୁ, ସଂପାଦକ ଭିକାରୀ ଦାସ, ପୂର୍ବାଞ୍ଚଳ  ଶାନ୍ତି କମିଟି ସଭାପତି ବିଜୟ ସାହୁ, ସଂପାଦକ  ପ୍ରଫୁଲ୍ଲ ସାହୁ, ବିଜେପି ନଗର ସଭାପତି ଲଲାଟେନ୍ଦୁ ବଡ଼ୁ, ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର,  ବିଜେପି ନେତା ନୟନ କିଶୋର ମହାନ୍ତି, ସିପିଆଇ  ନେତା ଅମରେନ୍ଦୁ ମହାନ୍ତି, ଏଡିସିପି ଦେବଦତ୍ତ  କର ଓ ତରୁଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।