ନୂଆଦିଲ୍ଲୀ : ସିକ୍କିମର ଗ୍ୟାଙ୍ଗଟକରୁ ନିଖୋଜ ନାବାଳିକା ପଶ୍ଚିମବଙ୍ଗର ସିଲିଗୁଡ଼ିରୁ ଉଦ୍ଧାର । ପରିବାର ଲୋକେ ଝିଅକୁ ପାଇବା ପରେ ଯେତିକି ଖୁସି ହେଲେ ସେତିକି ଆଶ୍ଚର୍ଯ୍ୟ ହେଲେ । କାରଣ ଝିଅ ଏମିତି କାହିଁକି କଲା ତାକୁ ନେଇ ସେମାନେ ଚିନ୍ତାରେ । ସେପଟେ ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା । କାରଣ ପ୍ରତିଦିନ ଭଳି ଝିଅଟି ସ୍କୁଲ ଯାଇଥିଲା ଆଉ ଫେରିନଥିଲା । ପରେ କିଡନାପ କରାଯାଇଥିବା ନେଇ ଆସିଥିଲା ଫୋନ୍ କଲ । ୩ ଲକ୍ଷ ଟଙ୍କା ଦେବା ନେଇ ମଧ୍ୟ ଧମକ ଦିଆଯାଇଥିଲା । କିନ୍ତୁ ଏବେ ବିନା ଟଙ୍କାରେ ଝିଅ ଘରେ ପହଞ୍ଚିବା ପରେ ଘଟଣାଟି ଚର୍ଚ୍ଚାରେ ରହିଛି ।

ମିଳିଥିବା ଖବର ଅନୁସାରେ ମାର୍ଚ୍ଚ ୧୩ ତାରିଖରେ ନାବାଳିକା ଜଣକ ସ୍କୁଲ ଯାଇଥିଲେ ମାତ୍ର ସମୟ ହୋଇଥିଲେ ସୁଦ୍ଧା ଘରକୁ ଫେରିନଥିଲେ । ପରିବାର ଲୋକେ ସ୍କୁଲକୁ ଯାଇ ଖୋଜାଖୋଜି କରିଥିଲେ। ନପାଇବା ପରେ ସେମାନେ ପୁଲସକୁ ଖବର ଦେଇଥିଲେ । ପରିବାର ଲୋକେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଥିଲେ ଯେତେବେଳେ ତାଙ୍କୁ ଝିଅକୁ ଫେରାଇବା ପାଇଁ ୩ ଲକ୍ଷ ଟଙ୍କା ଦାବି କରାଯାଇଥିଲା । ଏମିତିକି ଝିଅ ମଧ୍ୟ କାନ୍ଦୁଥିବା ଏବଂ ଟଙ୍କା ଦେଇ ମୋତେ ନେଇଯାଅ ବୋଲି କହିଥିଲା । ପୁଲିସ ଏଖବର ପାଇବା ପରେ ଗୁରୁତର ସହ ନେଇଥିଲା । ଆଉ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ପୁଲିସ ଘଟଣାକୁ ଗୁରୁତର ସହ ନେଇ ମୋବାଇଲ ନମ୍ବରକୁ ଟ୍ରାକ୍ କରିଥିଲା । ଆୁ ନାବାଳିକାଙ୍କୁ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ସିଲିଗୁଡ଼ିରୁ ଉଦ୍ଧାର କରିଥିଲା । ଝିଅଟି ବସଷ୍ଟାଣ୍ଡ ନିକଟରେ ବୁଲୁଥିବାବେଳେ ତାଙ୍କୁ ଉଦ୍ଧାର କରିଥିଲା । ଝିଅକୁ ପଚରାଉଚରା କରାଯାଇଥିବାବେଳେ ତାଙ୍କୁ କେହି ଅପହରଣ କରିନଥିବା କହିଥିଲେ । ପରେ ଜଣାପଡ଼ିଥିଲା କି ସେ ନିଜେ ଏଭଳି ନାଟକ ରଚିଥିଲେ । ଏହାସହ ମୋବାଇଲରେ ନିଜେ ଭଏସ ବଦଳାଇ ଫୋନ୍ କରିଥିଲେ । ଆଉ କାନ୍ଦି କାନ୍ଦି ଅଭିନୟ କରିବା ସହ ଟଙ୍କା ଦାବି କରିଥିଲେ । ମାତ୍ର ସେ ଏଭଳି କାହିଁକି କରିଥିଲେ ମାନିନାହାନ୍ତି । ସେପଟେ ଝିଅକୁ ପୁଲିସ ପରିବାର ଲୋକଙ୍କ ଜିା ଦେଇଥିବାବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ୧୪ ବର୍ଷୀୟା ନାବାଳିକା ପ୍ରେମ ପାଇଁ ଏମିତି କରିନାହାନ୍ତି ତ ବୋଲି ମଧ୍ୟ ଲୋକେ ପ୍ରଶ୍ନ ଉଠାଇଛନ୍ତି ।