ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମେରଠରୁ ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସହରରେ ମୁସ୍କାନ ରସ୍ତୋଗୀ ପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ସମାନ ଘଟଣା ପୁଣି ଥରେ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। କାଜଲ ନାମକ ଜଣେ ମହିଳା ପ୍ରେମିକ ଆକାଶଙ୍କ ସହିତ ମିଶି ତା ସ୍ୱାମୀ ଅନିଲଙ୍କୁ ହତ୍ୟା କରିଛି । କାଜଲ ନିଜ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ନିଶା ଦେଇ ହତ୍ୟା କରିବା ପରେ ନାଳରେ ଫୋପାଡ଼ି ଦେଇଛି । ଏବେ ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। 

ମେରଠରେ ପ୍ରକୃତରେ କେତେ ମୁସ୍କାନ ଅଛନ୍ତି  ? ଏହି ଘଟଣା ପରେ ଏଭଳି ପ୍ରଶ୍ନ ପୁଣି ଥରେ ଉଠିଛି । ମେରଠରେ ଏଭଳି ଅନେକ ଘଟଣା ଦେଖିବାକୁ ମିଳୁଛି । ପ୍ରେମରେ ବାଧା ଦେଉଥିବା ସ୍ୱାମୀକୁ ପ୍ରେମିକ ସହ ମିଶି ହତ୍ୟା କରୁଛି ପତ୍ନୀ । 

କିଛି ଦିନ ପୂର୍ବରୁ ମୁସ୍କାନ ରସ୍ତୋଗୀ ମାମଲା ସାମ୍ନାକୁ ଆସିଥିଲା । ସେ ତାର ପ୍ରେମିକ ସାହିଲ ସହିତ ମିଶି  ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରି ନୀଳ ଡ୍ରମରେ ଭର୍ତ୍ତି କରିଥିଲା । ମାମଲା ସଂପର୍କରେ ଜଣାପଡ଼ିବା ପରେ ମୁସ୍କାନ ଏବଂ ସାହିଲ ଜେଲରେ ଅଛନ୍ତି। 

ରୋହଟା ପୁଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା ଅନିଲ ଦୁଇ ସପ୍ତାହ ହେଲା ନିଖୋଜ ଥିଲେ। ପୁଲିସ ତଦନ୍ତ କରିବା ପରେ ଏକ ଆଶ୍ଚର୍ଯ୍ୟଜନକ ସତ ସାମ୍ନାକୁ ଆସିଲା। ଅନିଲଙ୍କ ପତ୍ନୀ କାଜଲ ଏବଂ ତା ପ୍ରେମିକ ଆକାଶ ଏକ ଷଡ଼ଯନ୍ତ୍ର କରିଥିଲେ।  ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ଏହି ଖେଳରେ ଜଣେ ବ୍ୟକ୍ତିଙ୍କ ବିଶ୍ୱାସ, ଜଣେ ସ୍ୱାମୀଙ୍କ ପ୍ରେମ  ବାଜିରେ ଲାଗିଥିଲା। ଅକ୍ଟୋବର ୨୫ ତାରିଖ ରାତିରେ, କାଜଲ ହସି ହସି ଅନିଲଙ୍କୁ ରାତ୍ରୀଭୋଜନ ପରସି ଥିଲା । କିନ୍ତୁ ସେହି ଖାଦ୍ୟରେ ନିଶା ଔଷଧ  ମିଶାଇ ଦେଇଥିଲା କାଜଲ । ଖାଇବା ପରେ ଅଚେତ ହୋଇ ପଡ଼ିଯାଇଥିଲେ ଅନିଲ । ରାତିର ଅନ୍ଧାରରେ, କାଜଲର ପ୍ରେମିକ ଆକାଶ ତା ବନ୍ଧୁ ବାଦଲ ସହିତ ଅନିଲଙ୍କ ଘରେ ପହଞ୍ଚିଥିଲା ।

ତିନିଜଣ ମିଶି ଅଚେତ ଅନିଲଙ୍କୁ ଏକ ବାଇକରେ ବାନ୍ଧି ପାଖରେ ଥିବା ଗଙ୍ଗ ନାଳ ଆଡ଼କୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ, ସେମାନେ କାଜଲଙ୍କ ସ୍କାର୍ଫରେ ଅନିଲଙ୍କ ଗଳାକୁ ବାନ୍ଧି ନାଳରେ ଫିଙ୍ଗି ଦେଇଥିଲେ । ପୁଲିସ ସନ୍ଦେହରେ କାଜଲ ଏବଂ ଆକାଶକୁ ପଚରାଉଚରା କରିବା ପରେ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। 

ପୁଲିସ ଏସପି (ଗ୍ରାମୀଣ) ଅଭିଜିତ ସିଂହ ସମ୍ପୂର୍ଣ୍ଣ ହତ୍ୟା ମାମଲା ସଂପର୍କରେ କହିଛନ୍ତି । ବର୍ତ୍ତମାନ, ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମାମଲାରେ ଅଧିକ ତଦନ୍ତ କରୁଛି ପୁଲିସ ।