କୋଣାର୍କ,୧୮/୦୧: ଆଜି ବିଶ୍ୱ ଐତିହ୍ୟ କୋଣାର୍କ  ସୂର୍ଯ୍ୟମନ୍ଦିର ପରିଦର୍ଶନରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍‌ ଯିବେ । ଏହାକୁ ଦୃଷ୍ଟିରେ ରଖି କୋଣାର୍କରେ ସୁରକ୍ଷା ବ୍ୟବସ୍ଥାକୁ  କଡ଼ାକଡ଼ି କରାଯାଇଛି। କୋଣାର୍କ ସୂର୍ଯ୍ୟମନ୍ଦିର, ବ୍ୟାଖ୍ୟାନ କେନ୍ଦ୍ର ପରିସର ପୁଲିସ୍‌  ସୁରକ୍ଷା ବଳୟରେ ରହିବ।

ଶନିବାର କୋଣାର୍କରେ  ଯାନବାହାନ ପାର୍କିଂ, ଟ୍ରାଫିକ୍‌ ବ୍ୟବସ୍ଥାକୁ ଗୁରୁତ୍ୱ  ଦିଆଯାଇଛି । ସକାଳେ ୪ଘଣ୍ଟା ପାଇଁ ସୂର୍ଯ୍ୟମନ୍ଦିରକୁ  ପର୍ଯ୍ୟଟକଙ୍କ ପାଇଁ କଟକଣା ଲାଗୁ କରାଯାଇଛି ।  ସକାଳ ୮ଟାରୁ କୋଣାର୍କକୁ ପ୍ରବେଶ କରୁଥିବା ସମସ୍ତ ଯାନବାହାନ ହେଲିପ୍ୟାଡ୍‌ରେ ପାର୍କିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତା ପାଶ୍ୱର୍ରେ ଯାନବାହାନ  ପାର୍କିଂ ବାରଣ କରାଯାଇଛି । ଜଣେ ଅତିରିକ୍ତ ଏସ୍‌ପି,  ୨ଜଣ ଡିଏସ୍‌ପି, ୧୧ଜଣ ଆଇଆଇସି, ଏସ୍‌ଆଇ  ଓ ଏଏସ୍‌ଆଇ ୨୬ଜଣ, ସ୍ପେଶାଲ ଟେକ୍ନିକାଲ୍‌  ୟୁନିଟ୍‌, ୬ପ୍ଲାଟୁନ ଫୋର୍ସ କୋଣାର୍କ ପାଇଁ ନିୟୋଜିତ  ଅଛନ୍ତି । ସୂର୍ଯ୍ୟମନ୍ଦିର ସମ୍ମୁଖ ରାସ୍ତାରେ ହସ୍ତଶିଳ୍ପ  ଦୋକାନଗୁଡ଼ିକ କପଡ଼ାରେ ଢାଙ୍କି ଦିଆଯାଇଛି ।  ସମୀକ୍ଷା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ  ଏସ୍‌ପି ବିଷ୍ଣୁ ପ୍ରସାଦ ପତି, ନିମାପଡ଼ା ଏସ୍‌ଡିପିଓ  ପ୍ରଭାତ କୁମାର ମଲ୍ଲିକ, କୋଣାର୍କ ଥାନା ଆଇଆଇସି  ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଶୁକ୍ରବାର ଅପରାହ୍ଣରେ ପୁଲିସ୍‌ ଆଇଜି ଅନୁପ କୁମାର ସାହୁ, ଡିଆଇଜି  ଅଖିଳେଶ୍ୱର ସିଂ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର  ସ୍ୱାଇଁ, ଏସ୍‌ପି ବିନୀତ ଅଗ୍ରୱାଲ କୋଣାର୍କରେ  ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଥିଲେ।