କଟକ,୦୯/୧୧: ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟ ନାଁରେ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟ ଚାର୍ଜସିଟ୍‌ ଦାଖଲ ହୋଇଛି । ଗତ ସପ୍ତାହରେ ମହିଳା ଥାନା ପକ୍ଷରୁ ଏହି ଚାର୍ଜସିଟ୍‌ ଦିଆଯାଇଛି । ବାରମ୍ବାର ଦୁଷ୍କର୍ମ ଓ ଠକେଇ ଭଳି ଧାରାରେ ଏହି ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି । ଦୀର୍ଘ ଏକ ବର୍ଷରୁ  ଅଧିକ ସମୟ ହେବ ଫେରାର୍‌ ଥିବା ସୌରିନ୍‌କୁ ଗିରଫ କରି ହାଜର କରାଇବା ପାଇଁ କୋର୍ଟଙ୍କ ପକ୍ଷରୁ ଏନ୍‌ବିଡବ୍ଲୁ ଜାରି ହୋଇଛି । କୋଲକାତାର ବାଲିଗୁଙ୍ଗ୍‌ ଥାନାକୁ ଏନେଇ କୋର୍ଟ ନୋଟିସ୍‌ ପଠାଇଛନ୍ତି ।  

ସୌରିନ୍‌ ନାଁରେ କଟକର ଜଣେ ଯୁବତୀ  ଗତ ୨୦୨୩ ଜୁନ୍‌ ୧୧ରେ ଦୁଷ୍କର୍ମ ଅଭିଯୋଗ  ଆଣିବା ପରେ ସୌରିନ୍‌ ଫେରାର୍‌ ହୋଇଗଲେ। ପରେ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ଆଣି ଅଗଷ୍ଟ  ୭ରେ ମହିଳା ଥାନାରେ ହାଜର ହୋଇଥିଲେ ।  ଅଗଷ୍ଟ ୩୦ରେ ହାଇକୋର୍ଟ ତାଙ୍କର ଅନ୍ତରୀଣ  ଜାମିନ ଖାରଜ କରିଦେଲେ । ଜାମିନ ଖାରଜ  ପରେ ସୌରିନ୍‌ ପୂରା ଗାଏବ ହୋଇଗଲା ।  କାଳେ ସୌରିନ୍‌ ଦେଶଛାଡ଼ି ପଳାଇବ ସେଥିପାଇଁ  ରାଜ୍ୟ କ୍ରାଇମବ୍ରାଞ୍ଚ୍‌ ୨୦୨୩ ସେପ୍ଟେମ୍ବର ୧୧ରେ  ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କଲା । ମାତ୍ର ଲୁକ୍‌ଆଉଟ୍‌  ନୋଟିସ୍‌ ଜାରି ପରେ ବି ସୌରିନ୍‌ ଥାନାରେ  ହାଜିରା ଦେଲାନି । ଏଭଳି ସ୍ଥିତିରେ ମାମଲା ରୁଜୁ  ହେବାର ୬ ମାସ ପରେ ଅର୍ଥାତ୍‌ ଗତ ନଭେମ୍ବର  ମାସରେ ମହିଳା ଥାନା ପକ୍ଷରୁ ସୌରିନ୍‌ ନାଁରେ  ଏନ୍‌ବିଡବ୍ଲୁ ବା ଜାମିନ ବିହୀନ ପରୱାନା ଜାରି  ପାଇଁ ନିବେଦନ କରାଗଲା । କୋର୍ଟ ଏହାକୁ  ଗ୍ରହଣ କରି ଏନ୍‌ବିଡବ୍ଲୁ ମଧ୍ୟ ଜାରି କରିଦେଲେ ।  

ସୌରିନ୍‌ର ଘର କୋଲକତା ସହରର  ବାଲିଗୁଙ୍ଗ୍‌ ଥାନା ଅଞ୍ଚଳରେ ହୋଇଥିବାରୁ ସେହି  ଥାନାକୁ ଏସ୍‌ଡିଜେଏମ୍‌ ସଦର ଏନ୍‌ବିଡବ୍ଲୁ  ପଠାଇଛନ୍ତି । ତାହାକୁ ଏଯାବତ ବାଲିଗୁଙ୍ଗ୍‌  ଥାନା କାର୍ଯ୍ୟକାରୀ କରିନି । ଏହା ମଧ୍ୟରେ  ମାମଲାରେ ଆବଶ୍ୟକୀୟ ସାକ୍ଷ୍ୟ ଗ୍ରହଣ  ଶେଷ ହୋଇଥିଲା । ସେହିପରି ମେଡ଼ିକାଲ୍‌  ରିପୋର୍ଟ ଓ ଅନ୍ୟାନ୍ୟ ଫରେନ୍‌ସିକ୍‌ ରିପୋର୍ଟ  ମଧ୍ୟ ପୁଲିସର ହସ୍ତଗତ ହୋଇସାରିଛି ।  ମାତ୍ର ସୌରିନ୍‌ର ଗିରଫଦାରୀ ହୋଇନି ।  

ମାମଲାରେ ଆବଶ୍ୟକତାଠାରୁ ସମୟ  ଗଡ଼ିଯାଇଥିବାରୁ ମହିଳା ଥାନା ପୁଲିସ ସୌରିନ୍‌କୁ  ଫେରାର୍‌ ଦର୍ଶାଇ ଗତ ସପ୍ତାହରେ କୋର୍ଟରେ ପୂର୍ଣ୍ଣାଙ୍ଗ ଚାର୍ଜସିଟ୍‌ ଦାଖଲ କରିଛି । ପ୍ରାୟ ୨ଶହ  ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟ୍‌ରେ ୧୩ ଜଣ  ସାକ୍ଷୀ ଅଛନ୍ତି । ଏହାକୁ ବାଦ୍‌ଦେଲେ ତଦନ୍ତକାରୀ  ଅଧିକାରୀ, ମେଡିକାଲ୍‌ ଅଫିସର ଓ ଟିମ୍‌, ପୁଲିସର  ଅନ୍ୟ କର୍ମଚାରୀ ଏଥିରେ ସାକ୍ଷୀ ରହିଛନ୍ତି । ମୋଟ୍‌  ୨୯ ଜଣଙ୍କ ନାଁ ସାକ୍ଷୀ ତାଲିକାରେ ଅଛି । ଏଥିରେ  କେବଳ ସୌରିନ୍‌କୁ ଅଭିଯୁକ୍ତ ଦର୍ଶାଯାଇଛି ।  ଖୁବ୍‌ଶୀଘ୍ର ମାମଲାରେ ବିଚାର ଆରମ୍ଭ ହେବ  ବୋଲି ପୁଲିସ କହିଛି । ଦୁଷ୍କର୍ମ ମାମଲାକୁ ତ୍ୱରିତ  ଭାବେ ବିଚାର କରାଯାଉଥିବାରୁ ମାମଲା ଖୁବ୍‌ଶୀଘ୍ର  ରାୟ ଆସିବ ବୋଲି କଟକ ପୁଲିସ ଆଶା ବାନ୍ଧିଛି ।