ନୂଆଦିଲ୍ଲୀ : ୟୁପିର ଉନ୍ନବରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଗାନ୍ଧୀନଗର ମୋହଲ୍ଲାରେ ଆଜି (ମଙ୍ଗଳବାର) ସକାଳେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଫାଟିବା ଦ୍ୱାରା ଜଣେ ମହିଳା ଜୀଅନ୍ତା ଜଳି ଯାଇଛନ୍ତି। ସେ ଯେଉଁ ସମୟରେ ଜଳିଗଲେ ସେତେବେଳେ ନିଜ ଭଉଣୀ ସହ କଥା ହେଉ ଥିଲେ। ଗ୍ୟାସ୍ ଲିକେଜ୍ କାରଣରୁ ଲାଗି ଯାଇଥିବା ନିଆଁରେ ଜଳି ଯାଉଥିବା ବେଳେ ମହିଳାଙ୍କର ଶେଷ ଶବ୍ଦ ଥିଲା, ‘ ଭଉଣୀ ମୋତେ ବଞ୍ଚାଇ ଦେ ... ମୁଁ ଜଳି ଯାଉଛି ’। ସେତେବେଳେ ସିଲିଣ୍ଡର ବଡ଼ ବିସ୍ଫୋରଣ ହୋଇ ଫାଟି ଯାଇ ଥିଲା ଏବଂ ଘର ସାରା ଧୂଆଁମୟ ହୋଇ ଯାଇ ଥିଲା।

ଗାନ୍ଧୀ ନଗରରେ ରମା ବାଜପେୟୀଙ୍କ ଘରେ ସୁଭାଷ ଗୁପ୍ତା ନିଜର ୩୭ ବର୍ଷିୟା ପତ୍ନୀ ଖୁଶବୁ ଗୁପ୍ତା ଓ ୧୩ ବର୍ଷିୟା ଝିଅ ଶଗୁନ ସହ ରହୁ ଥିଲେ। ମଙ୍ଗଳବାର ସକାଳେ ସୁଭାଷ ଝିଅକୁ ସ୍କୁଲ ଛାଡି ଥିଲେ ଏବଂ ଏହାପରେ ସେ ସୀତାରାମ କଲୋନୀ ସ୍ଥିତ ଡିସ୍ପୋଜଲର ଦୋକାନକୁ ଚାଲି ଗଲେ। ଖୁଶବୁ ଘରେ ଏକୁଟିଆ ଥିଲେ। ସେ ପୋନି ରୋଡ୍ ଝଣ୍ଡା ଚୌରାହାରେ ରହୁଥିବା ଭଉଣୀ ଏକତା ଗୁପ୍ତାଙ୍କୁ ଫୋନ୍ କରିବା ସହ କିଚେନରେ ରୋଷେଇ କରିବାକୁ ଲାଗିଲେ। ସେତେବେଳେ ଲିକେଜ୍ ଘରୋଇ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ଯାଇଥିଲା। ନିଆଁର ଆସ୍ତରଣ ଦେଖି ସେ ଘାବରେଇ ଗଲେ ଏବଂ ଖୁବ୍ ଜୋରରେ ଚିତ୍କାର କରିବାକୁ ଲାଗିଲେ। ସେତେବେଳେ ସେ ନିଆଁର କବଳରେ ପଡ଼ି ଗଲେ।

ଫୋନ କଥା ହେଉଥିବା ବେଳେ ଖୁଶବୁ ଭଉଣୀ ଏକତାଙ୍କୁ କହିଲେ, ଭଉଣୀ ମୁଁ ଜଳି ଯାଉଛି ...ମୋତେ ରକ୍ଷା କର। ଏହାପରେ ଖୁବ୍ ଜୋରରେ ବିସ୍ଫୋରଣ ହୋଇ ସିଲିଣ୍ଡରଟି ଫାଟିଗଲା। ବିସ୍ଫୋରଣର ସ୍ୱର ଶୁଣି ଆଖପାଖର ଲୋକେ ବାହାରକୁ ଚାଲି ଆସିଲେ। ଲୋକେ କୌଣସି ପ୍ରକାରରେ କବାଟ ଭାଙ୍ଗି ନିଆଁ ଭିତରେ ଥିବା ଖୁଶବୁଙ୍କ ଉପରେ କମ୍ୱଳ ପକାଇ ନିଆଁକୁ ଲିଭାଇ ଥିଲେ। ଏହାପରେ ଚିକିତ୍ସା ପାଇଁ କାନପୁର ଉର୍ସଲା ନିଆ ଯାଇ ଥିଲା। ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷିତ କରି ଥିଲେ। ସୂଚନା ପାଇବା କ୍ଷଣି ପୁଲିସ ଘଟଣା ସ୍ଥଳରେ ତଦନ୍ତ ଚଳାଇଛି।

ସୂଚନା ପାଇବା ପରେ ଆଞ୍ଚଳିକ ଲେଖପାଲ ପ୍ରଶାନ୍ତ ଅବସ୍ଥୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏବଂ ଘଟଣାର ସୂଚନା କର୍ତ୍ତୃପକ୍ଷଙ୍କୁ ଦେଇଥିଲେ। ସେପଟେ, ସ୍ଥାନୀୟ ଲୋକଙ୍କ ଅନୁସାରେ ବିସ୍ଫୋରଣ ଏତେ ଜୋରରେ ଥିଲା ଯେ, ଆଖପାଖର ଘରର କାନ୍ଥ ଯାଏ ଦୋହଲି ଗଲା। ପଡ଼ୋଶୀଙ୍କର କହିବାନୁସାରେ, ଯଦି ତୁରନ୍ତ କବାଟକୁ ଭଙ୍ଗା ଯାଇ ନଥା’ନ୍ତି ତ କ୍ଷତି ଆହୁରି ଅଧିକ ହୋଇଥା’ନ୍ତା।