ରାୟଗଡ଼ା (ଆପ୍ର)- ଚଳନ୍ତା ଟ୍ରେନରେ ହୋଇଥିବା ଏକ ଚୋରି ମାମଲାର ପର୍ଦ୍ଦାଫାଶ କରିଛି ରାୟଗଡ଼ା ରେଳବାଇ ପୁଲିସ। ଏହି ମାମଲାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ତରଫରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଗିରଫ ୬ ଜଣ ହେଲେ ରାୟଗଡ଼ା ସହରର ଉଲାକା ଶ୍ରୀନୁ, ପାଲେକ ମୁରଲୀ, ଏ.ବେଣୁ ଗୋପାଳସ୍ୱାମୀ, ଏ.ଇଶ୍ୱର ଓରଫ୍ ଇଶୁ, ଗୋବିନ୍ଦ ବାଗ ଏବଂ ବିଦୁର ବାଗ । ସେମାନଙ୍କ ଠାରୁ ୫୮ ଗ୍ରାମ ସୁନା, ନଗଦ ୨ ଲକ୍ଷ ୨୫ ହଜାର ଟଙ୍କା, ଦୁଇଟି କାର ନମ୍ବର ଏବଂ ୬ଟି ମୋବାଇଲ ଫୋନ୍ ଜବତ ହୋଇଛି ।
ଆନ୍ଧ୍ରପ୍ରଦେଶ ରାଜ୍ୟ ବିଶାଖାପାଟଣା ଜିଲ୍ଲା ଗାଜୁବାକାର ସୁନା ବ୍ୟବସାୟୀ ରୋଉପୁଦ୍ଦିନ୍ ମୋଲା ଅଗଷ୍ଟ ୩ ତାରିଖରେ ରାୟଗଡ଼ା ଠାରେ ସୁନା ଦୋକାନ ମାନଙ୍କରେ ସୁନା ଗହଣା ବିକ୍ରି କରିଥିଲେ। ପରେ ବିଶାଖାପାଟଣା-ଗୁଣ୍ଟୁର ଏକ୍ସପ୍ରେସ ଟ୍ରେନର ବି-୨ କୋଚ୍ରେ ବସି ବିଶାଖାପାଟଣା ଫେରୁଥିଲେ । ତେବେ ରାୟଗଡ଼ା ବ୍ଲକ ଜେମାଦେଇପେଣ୍ଠ ରେଳ ଷ୍ଟେସନ ନିକଟରେ ତାଙ୍କର ସୁନା ଗହଣା ବ୍ୟାଗ ଲୁଟ୍ ହୋଇଥିଲା। ଚଳନ୍ତା ଟ୍ରେନରୁ ଲୁଟେରା ମାନେ ଲୁଟ୍ କରିଥିଲେ। ଏଥିରେ ଏକ ହଳ ଚୁଡ଼ି, ଦୁଇ ହଳ ହାର, ଏକ ଲମ୍ବା ସୁନା ହାର, ଦୁଇଟି ଚେନ୍, ଏଟିମ କାର୍ଡ଼, କ୍ରେଡିଟ କାର୍ଡ଼, ଆଧାର କାର୍ଡ଼ ଏବଂ ନଗଦ ଟଙ୍କା ରହିଥିଲା। ତେବେ ଚୋରି ନେଇ ମୋଲା ରେଳବାଇ ଥାନାରେ ଏତଲା ଦେଇଥିଲେ। ଏହା ପରେ ଡିଏସପି ପ୍ରଭାତ କୁମାର ଶତପଥୀଙ୍କ ନେତୃତ୍ୱରେ ଏସଆଇ ଆଲୋକ ନାୟକ ଓ କର୍ମଚାରୀଙ୍କ ସମେତ ଆରପିଏଫ୍ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରୁ ଉପରୋକ୍ତ ୬ ଜଣ ଅଭିଯୁକ୍ତ ସାମିଲ ଥିବା ପୁଲିସ ଜାଣିବାକୁ ପାଇବା ପରେ ସେମାନଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଜଡ଼ିତ ଥିବା ଅନ୍ୟମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଡିଏସପି ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି