ପାଟଣାଗଡ଼,୧୯/୧୨ : ସ୍ଥାନୀୟ ବସଷ୍ଟାଣ୍ଡଠାରୁ ଗୁରୁବାର ଏକ ଘରୋଇ ବସରୁ ବେଆଇନ ଭାବେ ବ୍ରହ୍ମପୁରକୁ ଚାଲାଣ ହେବାକୁ ଥିବା ୬ ଜଣ ଦାଦନ ଶ୍ରମିକକୁ ପାଟଣାଗଡ଼ ପୁଲିସ ଉଦ୍ଧାର କରିବା ସହ ବେଲପଡ଼ା ଥାନା ତେନ୍ତୁଳିମୁଣ୍ଡା ଗାଁର ଦାଦନ ସର୍ଦ୍ଦାର ମାଧବ ବଛା (୩୧)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ହରିବନ୍ଧୁ ଗଡ଼ତ୍ୟା ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ପ୍ରତିଦିନ ପଦ୍ମପୁରଠାରୁ ପାଟଣାଗଡ଼ ଦେଇ ବ୍ରହ୍ମପୁରକୁ ଯାଉଥିବା ବଡ଼ ପଣ୍ଡା ବସ୍ରେ ଲୁହାସିଂହା ଛକ, ଜୁରିଆ ବସଷ୍ଟାଣ୍ଡ, ଚିଟକାମାଲ ଛକ, ବାଞ୍ଜିଝାଳ ଛକ, ପାଢେଲ ବସ ଷ୍ଟାଣ୍ଡ, ଗଞ୍ଜାଉଡ଼ାର ଛକ, ପାଟଣାଗଡ଼ ବସ ଷ୍ଟାଣ୍ଡ, ରାମପୁର ପେଟ୍ରୋଲ ପମ୍ପ ଛକ, ଭଇଁସା ବସ ଷ୍ଟାଣ୍ଡ, ଧୂବଳପଡା ବସ ଷ୍ଟାଣ୍ଡ, ବାନ୍ଧନଭାଡ଼ି ବସ ଷ୍ଟାଣ୍ଡ ଆଦି ସ୍ଥାନ ଗୁଡ଼ିକରୁ ଦୈନନ୍ଦିନ ବେଆଇନ ଭାବେ ବ୍ରହ୍ମପୁର ଓ ଆସ୍କା ଅଞ୍ଚଳକୁ ଦାଦନ ଚାଲାଣ ହେଉଥିବା ଅଭିଯୋଗ ହେଉଛି।

ଏହି ପରିପ୍ରେକ୍ଷୀରେ ଗୁରୁବାର ପାଢେଲ ବସ ଷ୍ଟାଣ୍ଡଠାରୁ ୬ଦାଦନ ଶ୍ରମିକ ବ୍ରହ୍ମପୁରକୁ ଚାଲାଣ ହେଉଥିବା ଖବରପାଇ ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶକ୍ରମେ ପାଟଣାଗଡ଼ ପୁଲିସ ପାଟଣାଗଡ଼ ବସଷ୍ଟାଣ୍ଡରୁ ଉକ୍ତ ବସରୁ ୬ଦାଦନ ଶ୍ରମିକଙ୍କୁ ଓହ୍ଲାଇଥିଲା । ତଦନ୍ତ ପରେ ଏହି ଦାଦନ ଶ୍ରମିକଙ୍କୁ ବେଆଇନ ଭାବେ ବେଳପଡ଼ା ଥାନା ତେନ୍ତୁଳୀମୁଣ୍ଡା ଗାଁର ଦାଦନ ସର୍ଦ୍ଦାର ମାଧବ ବଛା ଚାଲାଣ କରୁଥିବା ଜଣାପଡିଥିଲା । ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ଉଦ୍ଧାର ଦାଦନ ଶ୍ରମିକଙ୍କୁ ତାଙ୍କ ଘରକୁ ପଠାଇ ଦେଇଥିବାବେଳେ ଦାଦନ ସର୍ଦ୍ଦାରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।