ନୂଆଦିଲ୍ଲୀ,୨୮/୧୨; ରାଜଧାନୀ ଦିଲ୍ଲୀରେ ଶନିବାର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଏହି ବୈଠକ ପରେ ଦଳର ନେତା ଦିଗ୍‌ବିଜୟ ସିଂହଙ୍କ ବୟାନକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଆଜିର ସମୟରେ ଦଳ ଭିତରେ ଅନେକ ସ୍ଲିପର ସେନ୍ ସକ୍ରିୟ ଅଛନ୍ତି । ଦଳର ହିତ ପାଇଁ ସେମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ବରିଷ୍ଠ କଂଗ୍ରେସ ନେତା ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂହଙ୍କର ଏହି ବୟାନକୁ ନେଇ ରାଜନୀତି ମାହୋଲ ସରଗରମ ହୋଇଛି ।

'​​​​​​​କ୍ଷମତାର ବିକେନ୍ଦ୍ରୀକରଣ ଜରୁରୀ'- ସୁତ୍ର ଅନୁସାରେ, ଦିଗବିଜୟ ବୈଠକରେ ଦଳ ଭିତରେ କ୍ଷମତାରେ ବିକେନ୍ଦ୍ରୀକରଣ ମୁଦ୍ଦା ଉଠାଇଥିଲେ । ସେ କହିଥିଲେ ସଂଗଠନରେ କ୍ଷମତାର ବିକେନ୍ଦ୍ରୀକରଣ ଜରୁରୀ । ସଂଗଠନ ଶକ୍ତିକୁ ନେଇ କଂଗ୍ରେସ ନେତୃତ୍ୱକୁ ତୃଣମୂଳ ସ୍ତରର କର୍ମୀଙ୍କ ଅଭାବର ତଦନ୍ତ କରିବାକୁ ପଡ଼ିବ । କଂଗ୍ରେସ ଦଳ ଭିତରେ ସମର୍ପିତ କର୍ମୀ ଏବଂ ସ୍ଥାନୀୟ ନେତାଙ୍କ ଅଭାବ ରହିଛି ବୋଲି କହଛନ୍ତି ଦିଗବିଜୟ ।
​​​​​​​

ଆରଏସଏସ-ବିଜେପିକୁ ପ୍ରଶଂସା- ଖାଲି ସେତିକୁ ନୁହେଁ ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂହ ସୋସିଆଲ ମିଡିଆରେ ଆରଏସଏସ ଏବଂ ବିଜେପିକୁ ପ୍ରଶଂସା କରିଛନ୍ତି । ଯାହା ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ପାଲଟିଛି । ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁରୁଣା ଫଟୋ ସେୟାର କରିଛନ୍ତି । ସେଥିରେ ସେ ବିଜେପି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସ୍ଏସ୍)ର ସାଂଗଠନିକ ଶକ୍ତିକୁ ପ୍ରଶଂସା କରିଛନ୍ତି । ସୂଚନା ଅନୁସାରେ, ଦିଗ୍‌ବିଜୟ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ପୁରୁଣା କଳାଧଳା ଫଟୋ ପୋଷ୍ଟ କରିଥିଲେ । ତାହା ୧୯୯୦ ଦଶକର ହୋଇଥିବାବେଳେ ସେତେବେଳେ ମୋଦି ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଥିଲେ । ଫଟୋରେ ବିଜେପି ଭେଟେରାନ୍ ଲାଲକୃଷ୍ଣ ଆଡ଼ଭାନି ଏବଂ ଅନ୍ୟ ବରିଷ୍ଠ ନେତା ଚେୟାରରେ ବସିଥିବାବେଳେ ମୋଦିଙ୍କୁ ସେମାନଙ୍କ ନିକଟରେ ତଳେ ବସିଥିବା ଦେଖିବାକୁ ମିଳୁଛି ।

କ୍ୟାପସନ୍‌ରେ ଦିଗ୍‌ବିଜୟ ଲେଖିଛନ୍ତି, କ୍ୟୋରା ସାଇଟ୍‌ରୁ ତାଙ୍କୁ ଏହି ଫଟୋଟି ମିଳିଲା । ଏହା ବହୁତ ପ୍ରଭାବଶାଳୀ । ଆରଏସ୍ଏସ୍‌ର ତୃଣମୂଳସ୍ତରୀୟ ସ୍ୱୟଂସେବକ ଏବଂ ଜନସଂଘ/ବିଜେପିର ଜଣେ କାର୍ଯ୍ୟକର୍ତ୍ତା ଯିଏକି ଏକଦା ନେତାଙ୍କ ଚରଣ ନିକଟରେ ବସୁଥିଲେ ସେ କିଭଳି ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରଧାନମନ୍ତ୍ରୀ ହେଲେ ଏହି ଫଟୋ ତାହା ଦର୍ଶାଉଛି । ଏହା ସଂଗଠନର ଶକ୍ତି । ଦିଗ୍‌ବିଜୟଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ତାକୁ ଅନେକ ପ୍ରତିକ୍ରିୟା ମିଳିଛି । ବିଜେପି ଏହାକୁ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛି ।

ସିଡବ୍ଲୁସି ବୈଠକରେ ମନରେଗା ସମେତ ବିଭିନ୍ନ ମୁଦ୍ଦାରେ ଚର୍ଚ୍ଚା- ସୁତ୍ର ଅନୁସାରେ ସିଡବ୍ଲୁସି ବୈଠକରେ ମୁଖ୍ୟ ରୂପରେ ଆସନ୍ତା ୫ ଜାନୁଆରୀରେ ମନରେଗା ନାମ ପରିବର୍ତ୍ତନ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ । ବିକ୍ଷୋଭ ନେଇ ରଣନୀତି ପ୍ରସ୍ତୁତ କରିବାକୁ ବୈଠକ ହୋଇଥିଲା । ଦିଗବିଜୟ ସିଂହ ସଂଗଠନକୁ ମଜବୁତ କରିବା ମୁଦ୍ଦା ଉଠାଇଲେ କିଛି ବରିଷ୍ଠ ନେତା ମନରେଗା ବିଷୟ ଉପରେ ଆଲୋଚନା କରିବାକୁ କହିଥିଲେ । କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ନେତାଙ୍କ ରାୟ ଶୁଣିବାକୁ କହିଥିଲେ । ଦିଗ୍‌ବିଜୟ ସିଂହ ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି । ଆସନ୍ତାବର୍ଷ ଜୁନ୍ ୨୧ରେ ତାଙ୍କର କାର୍ଯ୍ୟକାଳ ସରିବ ।