ଆଧୁନିକତା ପଛରେ ଧାଇଁଛି ଆଜିର ମଣିଷ । ବ୍ୟସ୍ତବହୁଳ ଜୀବନରେ କାର୍ଯ୍ୟକୁ ସହଜ କରିବାକୁ କୃତ୍ରିମ ବୁଦ୍ଧିମତା ବା ଏଆଇ ଟୁଲ୍ର ବଢୁଛି ଆଦୃତି । ଚାଟ୍ ଜିପିଟି ଏବଂ ଜେମିନି ଏଆଇ ଆଦି ଆପ୍ଲିକେଶନ ମାଧ୍ୟମରେ ସେକେଣ୍ଡ ମଧ୍ୟରେ ମିଳିଯାଉଛି ବିଭିନ୍ନ ସମସ୍ୟାର ସମାଧାନ । ଓପନ୍ ଏଆଇ, ଗୁଗୁଲ୍ ଏଆଇ ଏବଂ ଏନ୍ଭିଡିଆ ଲୋକଙ୍କ ଦୈନନ୍ଦିନ ଆବଶ୍ୟକତାକୁ ନିଜର ଏଆଇ ଟୁଲ ମାଧ୍ୟମରେ ପୂରଣ କରୁଛନ୍ତି । ବିଭିନ୍ନ କାର୍ଯ୍ୟକୁ ଏଆଇ ସହ ଯୋଡ଼ାଯାଉଛି । ଭାରତ ଭଳି ଏକ ବୃହତ୍ ଡିଜିଟାଲ ଅର୍ଥନୀତି ଲାଗି ଏଆଇ କ୍ଷେତ୍ରରେ ବଢ଼ିବାକୁ ରହିଛି ବିଶାଳ ସୁଯୋଗ । କିନ୍ତୁ ବାଧକ ହେଉଛି ପୁଞ୍ଜିନିବେଶ, ପ୍ରତିଭା ଅନ୍ୱେଷଣ ଆଉ ପରିବେଶ ସମ୍ବନ୍ଧୀୟ କିଛି ଆହ୍ୱାନ...
ବିଶ୍ୱର ପଞ୍ଚମ ବୃହତ୍ ଡିଜିଟାଲ ଅର୍ଥନୀତି ହେଉଛି ଭାରତ । ଏହି ତାଲିକାରେ ଶୀର୍ଷ ୫ ରାଷ୍ଟ୍ର ମଧ୍ୟରେ ଏକମାତ୍ର ବିକାଶମୁଖୀ ରାଷ୍ଟ୍ର ଭାବେ ଆମ ଦେଶ ସ୍ଥାନିତ ହୋଇଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ପ୍ରଦର୍ଶନକୁ ନେଇ ପ୍ରସ୍ତୁତ ଏକ ସୂଚକାଙ୍କରେ ଜର୍ମାନୀ, ଫ୍ରାନ୍ସ, ଜାପାନ, କାନାଡା ଏବଂ ଦକ୍ଷିଣ କୋରିଆ ଭଳି ଅର୍ଥନୀତିଗୁଡ଼ିକୁ ପଛରେ ପକାଇ ଭାରତ ହାସଲ କରିଛି ଚତୁର୍ଥ ସ୍ଥାନ । ବିଶ୍ୱ ଏଆଇ ୟୁଜର ସଂଖ୍ୟାରେ ଏହାର ଅଂଶ ୨୬% । କିନ୍ତୁ ଦୁଃଖର ବିଷୟ ହେଉଛି ବିଶ୍ୱରେ ମୋଟ ଘରୋଇ ଏଆଇ ନିବେଶରେ ଭାରତର ଯୋଗଦାନ ରହିଛି ମାତ୍ର ୧% । ଆଇସିଆର୍ଆଇଇଆର୍-ପ୍ରୋଜସ୍ ସେଣ୍ଟର ଫର୍ ଇଣ୍ଟରନେଟ୍ ଆଣ୍ଡ୍ ଡିଜିଟାଲ ଇକୋନୋମି ପକ୍ଷରୁ ଷ୍ଟେଟ୍ ଅଫ୍ ଇଣ୍ଡିଆଜ୍ ଡିଜିଟାଲ ଇକୋନୋମି(ସାଇଡ୍) ୨୦୨୬ ରିପୋର୍ଟରୁ ଏହା ଜଣାପଡ଼ିଛି । ଏଭଳି ସ୍ଥିତିରେ ଏଆଇ କ୍ଷେତ୍ରରେ ଥିବା ଦେଶର ଲକ୍ଷ୍ୟ ସାଧନକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ବିଶ୍ୱ ଜିଡିପିରେ ୯୬% ଯୋଗଦାନ ରଖୁଥିବା ୭୧ଟି ଦେଶକୁ ନେଇ ପ୍ରସ୍ତୁତ ତାଲିକାରେ ଭାରତ ଲମ୍ବା ଲମ୍ଫ ମାରିଛି । ୨୦୨୫ରେ ଭାରତ ଥିଲା ବିଶ୍ୱର ଅଷ୍ଟମ ବୃହତ୍ ଡିଜିଟାଲ ଅର୍ଥନୀତି । ଦେଶରେ ବର୍ଦ୍ଧିତ ଡିଜିଟାଲ କାରବାର ଯୋଗୁ ୨୦୨୬ରେ ଏହା ୩ଟି ସ୍ଥାନ ଉପରକୁ ଉଠିଛି । ରିପୋର୍ଟରେ ଭାରତର ଡିଜିଟାଲ ଧାରାକୁ ନେଇ ପ୍ରଶଂସା କରାଯାଇଥିବାବେଳେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି, ଯାହାକି ଭାରତର ଏଆଇ ଲକ୍ଷ୍ୟ ହାସଲ ନେଇ ସନ୍ଦେହ ସୃଷ୍ଟି କରୁଛି । ଯାହାର ର୍ୟାଙ୍କିଙ୍ଗ୍ ସହ କୌଣସି ସମ୍ପର୍କ ନାହିଁ । ତାହା ହେଉଛି ଏଆଇ କ୍ଷେତ୍ରରେ ଘରୋଇ ନିବେଶ, ଯାହାକି ବିଶ୍ୱର ମୋଟ ନିବେଶରେ ମାତ୍ର ୧% । ଏଆଇ ନବସୃଜନ କ୍ଷେତ୍ରରେ ଭାରତର ନିବେଶ ନଗଣ୍ୟ ରହିଛି, ଯାହାକି ଚିନ୍ତାର ବିଷୟ ।
ଏଆଇ ପ୍ରତିଭା: ଆମେରିକାଠୁ ଆଗରେ ଭାରତ
ଏଆଇ ପ୍ରତିଭା କ୍ଷେତ୍ରରେ ଭାରତ ଆଗରେ ରହିଛି । ଯୁକ୍ତରାଷ୍ଟ୍ର ଆମେରିକା ପରେ ଭାରତ ଏଆଇ ପ୍ରତିଭା କ୍ଷେତ୍ରରେ ଦ୍ୱିତୀୟ ବୃହତ୍ ଭଣ୍ଡାର । ଏଆଇ ସମ୍ବନ୍ଧୀୟ ଦକ୍ଷତା କ୍ଷେତ୍ରରେ ଭାରତ ୨୦୨୬ ମାର୍ଚ୍ଚ ସୁଦ୍ଧା ସମଗ୍ର ବିଶ୍ୱରେ ପ୍ରଥମ ରହିଥିଲା । ବିଭିନ୍ନ ପେସାରେ ଏଆଇ କ୍ଷମତାର ବ୍ୟାପକ ବିସ୍ତାର କରାଯାଉଛି । ଏଆଇ ଉପରେ ସାର୍ବଜନିକ ଭରସା କ୍ଷେତ୍ରରେ ଭାରତର ସ୍କୋର ରହିଛି ୮୩.୪% । ଶ୍ରେଷ୍ଠ ୪ ଏଆଇ ରାଷ୍ଟ୍ର ମଧ୍ୟରେ ଏହା ସର୍ବୋଚ୍ଚ । ସିଙ୍ଗାପୁରର ସ୍କୋର ରହିଛି ୫୫.୬% ଏବଂ ଚୀନ୍ର ୩୩% । ଏହି ମାପକରେ ଆମେରିକାର କୌଣସି ସ୍କୋର ଉପଲବ୍ଧ ନାହିଁ । ଏଭଳି ଏକ ଯୁଗ, ଯେଉଁଠି ଏଆଇ ନିୟୋଜନ ବୈଷୟିକ ସହିତ ଏକ ଗଭର୍ଣ୍ଣାନ୍ସ ଚ୍ୟାଲେଞ୍ଜ,ସେଠାରେ ଭାରତର ଏହି ସ୍କୋର କିଛି ସାଧାରଣ କଥା ନୁହେଁ । ଭାରତର ଡିଜିଟାଲ କାରବାର ବି ଉତ୍ସାହଜନକ । ୩୨୮ ବିଲିୟନ ଡଲାର ସହିତ ଭାରତ ଡିଜିଟାଲ ସେବା ରପ୍ତାନି କ୍ଷେତ୍ରରେ ଆମେରିକା, ବ୍ରିଟେନ୍ ଏବଂ ଆୟାର୍ଲାଣ୍ଡ ପରେ ଚତୁର୍ଥ ବୃହତ୍ ରପ୍ତାନିକାରୀ । ଏକ ନିମ୍ନ ମଧ୍ୟ ଆୟ ରାଷ୍ଟ୍ର ହୋଇଥିବା ସତ୍ତ୍ଵେ ଏହି ସଫଳତା ହାସଲ କରିଛି ଭାରତ । ସମତୁଲ୍ୟ ଆୟ ସ୍ତର ରହିଥିବା ଅଧିକାଂଶ ବିକାଶମୁଖୀ ରାଷ୍ଟ୍ରଗୁଡ଼ିକ ଡିଜିଟାଲ ସେବା କ୍ଷେତ୍ରରେ ନେଟ୍ ଆମଦାନିକାରୀ ରହିଛନ୍ତି । ଦଶନ୍ଧି ଦଶନ୍ଧି ଧରି ଭାରତ ଏକ ବିଶ୍ୱସ୍ତରୀୟ ଆଇଟି ଏବଂ ବିଜ୍ନେସ୍ ସର୍ଭିସ କ୍ଷେତ୍ର ବିକଶିତ କରିଛି । ଉକ୍ତ ସଫଳତା ଦେଶର ଡିଜିଟାଲ କାରବାରରେ ସ୍ପଷ୍ଟ ପ୍ରତିଫଳିତ ହେଉଛି । ବିଶ୍ୱର ମୋଟ ଏଆଇ ୟୁଜରଙ୍କ ମଧ୍ୟରୁ ୨୬% ହେଉଛନ୍ତି ଭାରତର । ଚୀନ୍ର ରହିଛନ୍ତି ୨୦.୫% । ଯୁକ୍ତରାଷ୍ଟ୍ର ଆମେରିକାର ମାତ୍ର ୮.୧% । ଅର୍ଥାତ୍ ବିଶ୍ୱର ମୋଟ ଏଆଇ ୟୁଜରଙ୍କ ମଧ୍ୟରୁ ଚୀନ୍ ଏବଂ ଭାରତ ମିଳିତ ଭାବେ ଦୁଇ ପଞ୍ଚମାଂଶ ବା ୪୦% ଅବଦାନ ରଖିଛନ୍ତି ।
ପଥମରେ ୟୁଏଇ, ପଛରେ ଆମେରିକା
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ବିକାଶରେ ହୁଏତ ଆମେରିକୀୟ କମ୍ପାନିଗୁଡ଼ିକର ଦବ୍ଦବା ରହିଥାଇପାରେ । କିନ୍ତୁ ଯେଉଁ ଦେଶଗୁଡ଼ିକ ଏଆଇକୁ ବ୍ୟବହାର କରୁଛନ୍ତି ସେମାନେ ହେଲେ ଅତି କ୍ଷୁଦ୍ର ଅର୍ଥନୀତି । ଏଆଇ ଟୁଲ୍ ବ୍ୟବହାରରେ ସବୁଠୁ ଆଗରେ ରହିଛି ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) । ଏଠାରେ କାର୍ଯ୍ୟ ବୟସରେ ଥିବା ୭୦%ରୁ ଅଧିକ ଲୋକ ଏଆଇର ବ୍ୟବହାର କରୁଛନ୍ତି । ସେହିଭଳି ଦ୍ୱିତୀୟ ସ୍ଥାନରେ ରହିଛି ସିଙ୍ଗାପୁର । ଏହି ଛୋଟ ରାଷ୍ଟ୍ରରେ କାର୍ଯ୍ୟ ବୟସରେ ଥିବା ୬୩% ଲୋକ ଏଆଇ ଟୁଲ୍ଗୁଡ଼ିକର ବ୍ୟବହାର କରୁଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ବିଶ୍ୱର ଅଗ୍ରଣୀ ଏଆଇ କମ୍ପାନିଗୁଡ଼ିକର ଘର ଭାବେ ପରିଚିତ ଆମେରିକା ଏଆଇ ବ୍ୟବହାରରେ ଶ୍ରେଷ୍ଠ-୨୦ ରାଷ୍ଟ୍ର ମଧ୍ୟରେ ବି ନାହିଁ । ୟୁରୋପ ଏକ ପ୍ରମୁଖ ଏଆଇ ଆଡପ୍ସନ ହବ୍ ପାଲଟିଛି । ନର୍ୱେ, ଆୟାର୍ଲାଣ୍ଡ, ଫ୍ରାନ୍ସ, ସ୍ପେନ ଏବଂ ନେଦର୍ଲାଣ୍ଡ ସମେତ ୟୁରୋପରେ ଏଆଇ ବ୍ୟବହାର ହାର ୪୦% ଉପରେ ରହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।
ମଡେଲ ବିକାଶରେ ଆମେରିକା ଆଗରେ, ବ୍ୟବହାରରେ ପଛରେ
ଏଆଇ ବିକାଶରେ ଅଗ୍ରଣୀ ଆମେରିକୀୟ କମ୍ପାନିଗୁଡ଼ିକ ଜଡ଼ିତ । ଏହାସତ୍ତ୍ଵେ ଏଆଇ ଟୁଲ୍ଗୁଡ଼ିକର ବ୍ୟବହାରରେ ଆମେରିକା ବହୁ ପଛରେ । ଏଠାରେ କାର୍ଯ୍ୟ ବୟସରେ ଥିବା ମାତ୍ର ୩୧.୩% ଲୋକ ଏଆଇ ଟୁଲ୍ଗୁଡ଼ିକର ବ୍ୟବହାର କରୁଛନ୍ତି । ଏଆଇ ନିବେଶ ଏବଂ ଭିତ୍ତିଭୂମିରେ ବିଶ୍ୱର ନେତୃତ୍ୱ ନେଉଥିବା ଆମେରିକା ଏହି ଆଧୁନିକ ପ୍ରଯୁକ୍ତିର ବ୍ୟବହାରରେ ୨୦ଟି ରାଷ୍ଟ୍ରଙ୍କ ପଛରେ ରହିଛି । ଏହାର ପ୍ରମୁଖ କାରଣ ହେଉଛି ସିଙ୍ଗାପୁର ଏବଂ ୟୁଏଇ ଭଳି କ୍ଷୁଦ୍ର ଏବଂ ଡିଜିଟାଲି ସେଣ୍ଟ୍ରାଲାଇଜ୍ ରାଷ୍ଟ୍ରଗୁଡ଼ିକ ତୁଳନାରେ ବିଶାଳ କାର୍ଯ୍ୟବଳଯୁକ୍ତ ଅର୍ଥନୀତିରେ ଏଆଇ ଟୁଲ୍ଗୁଡ଼ିକର ପ୍ରଚଳନ କରିବା କଷ୍ଟକର । ଏଆଇ ମଡେଲ ବିକାଶ, ଚିପ୍ ଡିଜାଇନ ଏବଂ ଭେଞ୍ଚର ଫଣ୍ଡିଂରେ ଆମେରିକା ଆଗରେ ଥିବା ସତ୍ତେ୍ୱ କେତେକ କ୍ଷୁଦ୍ର ରାଷ୍ଟ୍ର ଦ୍ରୁତ ବେଗରେ ଦୈନନ୍ଦିନ କାର୍ଯ୍ୟରେ ଏଆଇକୁ ଯୋଡୁଛନ୍ତି । ରିପୋର୍ଟ ଅନୁସାରେ, ବିଶାଳ ଟେକ୍ ଇକୋସିଷ୍ଟମ ଏବଂ ଡିଜିଟାଲ ପ୍ରତିଭା ରହିଥିବା ପ୍ରାନ୍ତରେ ଏଆଇ ଆଦୃତି ଅଧିକ ରହିଛି ।
ଛୋଟ ଦେଶ ଆଗରେ
ଏଆଇ ଦୌଡ଼ ବା ଏହି ପ୍ରଯୁକ୍ତିର ବ୍ୟବହାରରେ ଆଗରେ ରହିଛନ୍ତି କ୍ଷୁଦ୍ର ଅର୍ଥନୀତି । ୟୁଏଇ ଏବଂ ସିଙ୍ଗାପୁର ଭଳି କ୍ଷୁଦ୍ର ରାଷ୍ଟ୍ର ବ୍ୟବସାୟ, ଶିକ୍ଷା ଏବଂ ସରକାରୀ ସେବା ଆଦି କ୍ଷେତ୍ରକୁ ଦ୍ରୁତ ବେଗରେ ଏଆଇ ସହ ଯୋଡୁଛନ୍ତି । ସେଣ୍ଟ୍ରାଲାଇଜ୍ଡ ଡିଜିଟାଲ ରଣନୀତି ଏବଂ ବଡ଼ ଆକାରରେ ଭିତ୍ତିଭୂମି ନିବେଶ ଜରିଆରେ ଏହି ଛୋଟ ଛୋଟ ଅର୍ଥନୀତି ଏଆଇ ଦୌଡ଼ରେ ଆଗରେ ରହିଛନ୍ତି । ଉଦ୍ୟୋଗୁଡ଼ିକର ବ୍ୟାପକ ଡିଜିଟାଲିକରଣ, ଅତ୍ୟାଧୁନିକ ବ୍ରଡ୍ବ୍ୟାଣ୍ଡ୍ ଭିତ୍ତିଭୂମି ଏବଂ ଦକ୍ଷ ଡିଜିଟାଲ କାର୍ଯ୍ୟବଳ ମାଧ୍ୟମରେ ୟୁରୋପ ମଧ୍ୟ ଏଆଇ କ୍ଷେତ୍ରରେ ମଜଭୁତ ପ୍ରଦର୍ଶନ କରୁଛି । ଭାରତ ସମେତ ଅଧିକାଂଶ ବିକାଶମୁଖୀ ଅର୍ଥନୀତି ଏଆଇ ବ୍ୟବହାରରେ ବହୁ ପଛରେ ଅଛନ୍ତି । ଏଭଳି ସ୍ଥିତିରେ ଏକ ବିରାଟ ଏଆଇ ଗ୍ୟାପ୍ ସୃଷ୍ଟି ହୋଇଛି, ଯାହାକି ଆଗାମୀ ଦଶନ୍ଧିରେ ଉତ୍ପାଦକତାକୁ ପୁନଃ ଆକାର ଦେବା ସହିତ ଅର୍ଥନୈତିକ ପ୍ରତିସ୍ଫର୍ଦ୍ଧାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ।