ଭୁବନେଶ୍ୱର,୧୫/୦୩: ଶିକ୍ଷା କ୍ଷେତ୍ରରେ ବଢୁଛି ପ୍ରଯୁକ୍ତିବିଦ୍ୟାର ଲୋକପ୍ରିୟତା । ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରୁଛି ସ୍ମାର୍ଟଫୋନ । ରାଜ୍ୟର ୪୦ଧ ଛାତ୍ରଛାତ୍ରୀ ପାଠପଢା ପାଇଁ ବିଭିନ୍ନ ଡିଜିଟାଲ୍ ସାଧନ ବ୍ୟବହାର କରୁଛନ୍ତି । ସେଣ୍ଟ୍ରାଲ ସ୍କୋୟାର ଫାଉଣ୍ଡେସନ (ସିଏସଏଫ) ପକ୍ଷରୁ ପ୍ରକାଶିତ ‘ଭାରତ ସର୍ଭେ ଫର୍ ଏଡଟେକ୍'(ବିଏଏସଇ) ଦ୍ୱିତୀୟ ସଂସ୍କରଣର ରିପୋର୍ଟରେ ଏହା ଦର୍ଶାଯାଇଛି । ପ୍ରାୟ ୧୫ ଶହ ଜଣଙ୍କୁ ନେଇ କରାଯାଇଥିବା ଏହି ସର୍ଭେରେ ୧୨୫୦ ପରିବାର ଏବଂ ୨୫୦ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ୬ ରୁ ୧୮ ବର୍ଷ ବୟସର ପିଲାଙ୍କୁ ସାମିଲ କରାଯାଇଥିଲା ।

ଉକ୍ତ ସର୍ଭେ ରିପୋର୍ଟ ଅନୁଯାୟୀ, ରାଜ୍ୟର ପ୍ରାୟ ୯୪% ପରିବାର ପାଖରେ ଅତିକମରେ ଗୋଟିଏ ସ୍ମାର୍ଟଫୋନ୍ ଏବଂ ୬୮% ପରିବାରରେ ଏକାଧିକ ସ୍ମାର୍ଟଫାନ୍ ରହିଛି । ପ୍ରାୟ ୭୧% ଛାତ୍ରଛାତ୍ରୀ ସ୍ମାର୍ଟଫାନ୍ ବ୍ୟବହାର କରିବା ସୁଯୋଗ ପାଉଛନ୍ତି ଏବଂ ୬୬% ଏହାକୁ ପ୍ରତିଦିନ ବ୍ୟବହାର କରନ୍ତି । ସେହିପରି ରାଜ୍ୟର ୫୮% ଶିକ୍ଷାର୍ଥୀ ଏଡ୍ଟେକ୍ ଉପକରଣ ବିଷୟରେ ଅବଗତ ଅଛନ୍ତି । ୪୦% ସକ୍ରିୟ ଭାବେ ପାଠପଢ଼ା ପାଇଁ ଏହାର ବ୍ୟବହାର କରୁଛନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି ।

ସର୍ଭେ ଅନୁଯାୟୀ, ଶିକ୍ଷାର୍ଥୀଙ୍କ ମଧ୍ୟରେ ୟୁଟ୍ୟୁବ୍ ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ହୋଇଥିବା ବେଳେ ୯୯% ଏହାକୁ ବ୍ୟବହାର କରନ୍ତି । ସେହିପରି ୮୭% ହ୍ୱାଟସଆପ୍, ଗୁଗଲ୍ ୬୩%, ଚାଟ୍ଜିପିଟି ୪%, ଗୁଗଲ୍ ଜେମିନି ୩%ଏବଂ ମେଟା ଏଆଇ ୩% ବ୍ୟବହାର ମଧ୍ୟ ଦେଖିବାକୁ ମିଳିଛି । ସେହିପରି ପ୍ରାୟ ୯୯% ଶିକ୍ଷକ ଶିକ୍ଷୟିତ୍ରୀ ଏଡ୍ଟେକ୍ ଉପକରଣ ବିଷୟରେ ଜାଣିଥିବା ବେଳେ ୯୮% ଏହାକୁ ଶିକ୍ଷାଦାନ ପାଇଁ ବ୍ୟବହାର କରୁଛନ୍ତି । ସେମାନେ ମୁଖ୍ୟତଃ ହ୍ୱାଟସଆପ୍ ୯୬%, ଗୁଗଲ୍ ୮୦% ଏବଂ ୟୁଟ୍ୟୁବ୍ ୭୬% ବ୍ୟବହାର କରିଥାନ୍ତି । ତେବେ ୧୬% ଶିକ୍ଷକ ‘ଦୀକ୍ଷା' ଏବଂ ୧୩% ‘ଇ-ପାଠଶାଳା' ବ୍ୟବହାର କରୁଛନ୍ତି । ଅନ୍ୟପକ୍ଷରେ ୧୩% ଛାତ୍ରଛାତ୍ରୀ ଶିକ୍ଷା ପାଇଁ ‘ଜେନ୍ ଏଆଇ' ବ୍ୟବହାର କରନ୍ତି । ୪୦% ଶିକ୍ଷକ ଶିକ୍ଷୟିତ୍ରୀ ଏଆଇକୁ ଶିକ୍ଷାଦାନରେ ବ୍ୟବହାର କରନ୍ତି । ୧୨% ଏଡ୍ଟେକ ବ୍ୟବହାରକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ଶିକ୍ଷାଦାନ ଏବଂ ବିଦ୍ୟାଳୟ-ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ଜେନ୍ଏଆଇ ବ୍ୟବହାର କରନ୍ତି ବୋଲି ‘ଭାରତ ସର୍ଭେ ଫର୍ ଏଡଟେକ୍' ରିପୋର୍ଟରେ ପ୍ରକାଶ ପାଇଛି ।

ଅଧିକ ପଢ଼ନ୍ତୁ :-