ଟିଟିଲାଗଡ଼/ଶଗଡ଼ଘାଟ,୧୩/୦୧: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଶଗଡ଼ଘାଟ ଗ୍ରାମରେ ସ୍ନାକ୍ସ ପ୍ୟାକେଟର ଖେଳଣା ବିସ୍ଫୋରଣରେ ଜଣେ ଶିଶୁ ଗୁରୁତର ହୋଇପଡ଼ିଛି । ଶିଶୁର ପ୍ରାଥମିକ ଚିକିତ୍ସା କରାଯାଇଛି । ସାତଦିନ ପରେ ଆଖିର କ’ଣ କ୍ଷତି ହୋଇଛି କି ନାହିଁ ସେ ସମ୍ପର୍କରେ ଜଣାପଡ଼ିବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଶଗଡ଼ଘାଟ ଗ୍ରାମର ଲବ ହରପାଲଙ୍କ ୮ବର୍ଷର ପୁଅ ଅଙ୍କେଶ ମା’ଙ୍କ ଠାରୁ ୫ଟଙ୍କା ନେଇ ଟିଉସନ ଯାଇଥିଲା । ସେଠାରୁ ଫେରିବା ବେଳେ ସେ ଗ୍ରାମର ଏକ ଦୋକାନରୁ ସ୍ନାକ୍ସ ପ୍ୟାକେଟ କିଣି ଆଣିଥିଲା । ଘରେ ମା’ ରୋଷେଇ କରୁଥିବା ସମୟରେ ସେଠାରେ ସେ ବସି ଉକ୍ତ ପ୍ୟାକେଟ ଖୋଲି ଖାଉଥିଲା । ସେହି ସମୟରେ ସ୍ନାକ୍ସ ପ୍ୟାକେଟରେ ଥିବା ଖେଳଣା ଚୁଲିନିଆଁରେ ପଡ଼ିଯିବାରୁ ତାହା ବିସ୍ଫୋରଣ ହୋଇଥିଲା । ଯେଉଁ ବିସ୍ଫୋରଣରେ ଶିଶୁର ଆଖିକୁ ଆଘାତ ଲାଗିଥିଲା । ଏଥିରେ ସେ ଗୁରୁତର ହେବାରୁ ତାକୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ଶିଶୁର ପ୍ରାଥମିକ ଚିକିତ୍ସା କରିବାପରେ ଶିଶୁରୋଗ ବିଶେଷଜ୍ଞ ଏବଂ ଚକ୍ଷୁରୋଗ ବିଶେଷଜ୍ଞଙ୍କ ଠାରେ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ । ଏହାପରେ ସେମାନେ ଏକ ଘରୋଇ ଡାକ୍ତରଙ୍କ ଠାରେ ଚିକିତ୍ସା କରାଇ ୭ଦିନର ଔଷଧ ନେଇ ଘରକୁ ଫେରିଛନ୍ତି ।

୭ଦିନରେ ଅଗ୍ରଗତି ନଘଟିଲେ ଆଖିର ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତର ପରାମର୍ଶ ଦେଇଥିବା ପରିବାର ଲୋକେ ଜଣାଇଛନ୍ତି । ଅନ୍ୟପଟେ, ପରିବାର ଲୋକେ ସଂପୃକ୍ତ କମ୍ପାନି ବିରୁଦ୍ଧରେ ଟିଟିଲାଗଡ଼ ଥାନାରେ ଏତଲା ଦେବାକୁ ଯାଇଥଲେ । ହେଲେ ପୁଲିସ ଖାଉଟି ଅଦାଲତରେ ମାମଲା କରିବାକୁ ପରାମର୍ଶ ଦେଇ ଫେରାଇ ଦେଇଥିବା ପରିଜନ କହିଛନ୍ତି । ଏନେଇ ସମ୍ପୃକ୍ତ କମ୍ପାନିର କଷ୍ଟମର କେୟାରକୁ ଯୋଗାଯୋଗ କରିବାରୁ ଏମିତି ହେବା ଅସମ୍ଭବ ବୋଲି କହି ଫୋନ ସଂଯୋଗ କାଟି ଦେଇଥିବା ପରିବାରବର୍ଗ କହିଛନ୍ତି ।