ଭୁବନେଶ୍ୱର, ୨/୧୨ : ବିଶ୍ୱକପ୍ରେ ଚାମ୍ପିଅନ୍ ଦୃଷ୍ଟିବାଧିତ ଭାରତୀୟ ମହିଳା ଟି- ୨୦କ୍ରିକେଟ୍ ଟିମ୍ର ୪ଓଡ଼ିଆ ଖେଳାଳିଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ମଙ୍ଗଳବାର ସମ୍ବର୍ଦ୍ଧିତ କରିଛନ୍ତି । ଦୃଷ୍ଟିବାଧିତ ମହିଳା କ୍ରିକେଟ ଟିମ୍ ଚାମ୍ପିଅନ୍ ଟାଇଟଲ୍ ହାସଲ କରିବା ପରେ ଏହି ଟିମର୍ ଫେରି ଆସିଥିବା ୪ଓଡ଼ିଆ ଖେଳାଳିଙ୍କୁ ସୋଆ ପ୍ରତିଷ୍ଠାତା ସଭାପତି ସମ୍ବର୍ଦ୍ଧିତ କରିବା ସହ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତ୍ୟେକଙ୍କୁ ୫୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି ।

ଦୃଷ୍ଟିବାଧିତ ମହିଳା କ୍ରିକେଟ୍ ଟିମ୍ ମଙ୍ଗ ଧରିଥିବା ୪ଓଡ଼ିଆ ଖେଳାଳୀ ହେଉଛନ୍ତି ଫୁଲ ସାରେନ୍, ବାସନ୍ତୀ ହାଁସଦା, ଯମୁନାରାଣୀ ଟୁଡୁ ଓ ପାର୍ବତୀ ମାରାଣ୍ଡି। ଏହି ଚାମ୍ପିଅନ୍ ଟିମ୍ ସୋମବାର ଓଡ଼ିଶା ଫେରିଛନ୍ତି । ସେମାନଙ୍କ ସହ ତାଙ୍କ ମେଂଟର ଜାଫର ଇକବାଲ୍ ମଧ୍ୟ ପ୍ରଫେସର ନାୟକଙ୍କୁ ସାକ୍ଷାତ କରିଛନ୍ତି । ପ୍ରଫେସର ନାୟକ ଏହି ଖେଳାଳୀମାନଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଚା ଜଣାଇବା ସହ ସେମାନଙ୍କର ଆହୁରି ଉତ୍ତରୋତର ଉନ୍ନତି କାମନା କରିଛନ୍ତି ।

ସୋଆ ଦ୍ୱାରା ଏପରି ସମ୍ବର୍ଦ୍ଧନା ଏବଂ ଆର୍ଥିକ ପୁରସ୍କାର ପ୍ରଦାନ ସେମାନଙ୍କ ମନରେ ଆନନ୍ଦ ସୃଷ୍ଟି କରିଛି ବୋଲି ଖେଳାଳୀମାନେ କହିଛନ୍ତି । ଏଥି ନିମନ୍ତେ ଖେଳାଳୀ ଓ ତାଙ୍କ ମେଂଟର ପ୍ରଫେସର ନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।