ଭୁବନେଶ୍ୱର,୧୧/୧୨: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ, ଓଡ଼ିଶା ସୋସାଇଟି ଅଫ୍ ଆମେରିକା(ଓସା) ଏବଂ ଆଇଆଇଟି ଭୁବନେଶ୍ୱରର ଏଆଇ ଆଣ୍ଡଊ ଏଚ୍ପିସି ରିସର୍ଚ୍ଚ ସେଣ୍ଟର ମିଳିତ ଆନୁକୂଲ୍ୟରେ ‘ଓଡ଼ିଶା ଏଆଇ ସିମ୍ପୋସିୟମ’ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଡିସେମ୍ବର ୧୮ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କୃତ୍ରିମ ବୁଦ୍ଧିମତା ଅର୍ଥାତ ଏଆଇର ଦୃଶ୍ୟପଟ୍ଟ ଉପରେ ଆଲୋଚନା ହେବ । ଓଡ଼ିଶାରେ ଏହାକୁ ଦୃଢ଼ୀଭୂତ କରାଇବାର ଲକ୍ଷ୍ୟ ନେଇ ଏହି ସମ୍ମିଳନୀ କରାଯିବ ।
୨୦୨୬ରେ ଆୟୋଜିତ ହେବାକୁ ଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଟ୍ର ହେଉଛି ସରକାରୀ ସ୍ତରର ଏକ ପୂର୍ବ ପ୍ରସ୍ତୁତି । କେନ୍ଦ୍ର ସରକାରଙ୍କ ବୈଦ୍ୟୁତିକ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ଅଧୀନସ୍ଥ ଇଣ୍ଡିଆନ୍ ଏଆଇ ମିଶନ୍ ସହ ସୋଆ ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗୀ ରହିବ । ପୂର୍ବ ଭାରତର ପ୍ରମୁଖ ବୃତିଗତ ଶିକ୍ଷା କେନ୍ଦ୍ର ସୋଆ କ୍ରମାଗତ ଭାବେ ଏନ୍ଆଇଆର୍ଏଫ୍ ରାଙ୍କିଙ୍ଗ ସ୍ରେ ଦେଶର ଶ୍ରେଷ୍ଠ ୨୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜକୁ ସ୍ଥାନୀତ କରି ରଖିଛି । ୨୦୨୫ ଏନ୍ଆଇଆରଏଫ୍ ରାଙ୍କିଙ୍ଗସ୍ରେ ଦେଶର ୧୫ତମ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ସୋଆ ସ୍ଥାନୀତ ହୋଇଛି । ନାକ୍ ଦ୍ୱାରା ଏହି ବିଶ୍ୱବିଦ୍ୟାଳୟ ୨୦୨୨ ମସିହାରେ ସର୍ବାଧିକ “ଏ ପ୍ଲସ୍ ପ୍ଲସ୍’ ଗ୍ରେଡ ହାସଲ କରି ପୁନଃ ସ୍ୱୀକୃତି ପାଇଛି। ସେହିପରି କ୍ୟୁଏସ୍ ଏବଂ ଟିଏଚ୍ଇ ରାଙ୍କିଙ୍ଗ୍ରେ ମଧ୍ୟ ବିଶ୍ୱସ୍ତରୀୟ ମାନ୍ୟତା ପାଇଛି ସୋଆ ।
ଏହି ସିମ୍ପୋସିୟମ୍ରେ ବିଶିଷ୍ଟ ନୀତି ନିର୍ଦ୍ଧାରକ, ଶିଳ୍ପ କ୍ଷେତ୍ରର ନେତୃତ୍ୱ, ଉଦ୍ଭାବକ, ଉଦ୍ୟୋଗୀ ଓ ନିବେଶକ ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବେ । ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରର ଏଆଇ ବିଶେଷଜ୍ଞ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବେ । ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟ, ଗବେଷଣା ଅନୁଷ୍ଠାନ, ଷ୍ଟାର୍ଟ-ଅପ୍, ଇନୋଭେଟର୍ସ, କର୍ପୋରେଟ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ବିଶ୍ୱ ଦରବାରରେ କୃତ୍ରିମ ବୁଦ୍ଧିମତାର ଉତ୍କର୍ଷ କେନ୍ଦ୍ର ଭାବେ ଓଡ଼ିଶାକୁ ସ୍ଥାନିତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏହି ସମ୍ମିଳନୀରେ ଭାଗ ନେବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ https://odishaaisummit.explarax.com/event/symposium.ଆଇଡି ମାଧ୍ୟମରେ ଯୋଗାଯୋଗ କରି ପାରିବେ ।