କାଠମାଣ୍ଡୁ/ନୂଆଦିଲ୍ଲୀ: ନେପାଳରେ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟାନ୍ କରାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଯୁବପିଢ଼ି ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ବିରୋଧ ପ୍ରଦର୍ଶନ କରୁଛନ୍ତି । ବିରୋଧ ପ୍ରଦର୍ଶନ ଏବେ ହିଂସ୍ର ରୂପ ଧାରଣ କରିଥିବା ବେଳେ ପ୍ରାୟ ୧୬ ଜଣଙ୍କ ଜୀବନ ଯାଇଛି । ସୁରକ୍ଷା ବାହିନୀ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଶତାଧିକ ଆହତ ହୋଇଛନ୍ତି । ବିଶେଷକରି, ଜେନେରେସନ ଜେଡ୍ (ଜେନ୍-ଜି) ସବୁଠାରୁ ଆକ୍ରମଣାତ୍ମକ ହୋଇଉଠିଛନ୍ତି । ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ବ୍ୟତୀତ ଇନଫ୍ଲୁଏନ୍ସର ଏବଂ ସେମାନଙ୍କର ପ୍ରଶଂସକମାନେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।
ସେମାନଙ୍କର ଯୁକ୍ତି ହେଉଛି ଯେ, କିଛି ଲୋକ ସୋସିଆଲ ମିଡିଆରୁ ଟଙ୍କା ରୋଜଗାର କରୁଥିଲେ । ସେମାନେ ସେମାନଙ୍କର ପରିବାର ଚଳାଉଥିଲେ । ହଠାତ ସୋସିଆଲ ମିଡିଆ ବ୍ୟାନ୍ ହୋଇଯିବାରୁ ଅନେକ ୟୁଜର ରୋଜଗାର ହରାଇଛନ୍ତି । ଏସବୁ ଅଭିଯୋଗରେ ସରକାରକଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି ଜେନ-ଜିର ଲୋକେ । ତେବେ ୧୯୯୭ରୁ ୨୦୨୧ ମସିହା ମଧ୍ୟରେ ଜନ୍ମଗ୍ରହଣ କରିଥିବା ଲୋକମାନଙ୍କୁ ଜେନ-ଜି କ୍ୟାଟେଗୋରି ବୋଲି କୁହାଯାଇଥାଏ । ସେପଟେ ପ୍ରାୟ ୩ କୋଟି ଲୋକସଂଖ୍ୟା ବିଶିଷ୍ଟ ନେପାଳରେ କେତେ ଲୋକ ସୋସିଆଲ ମିଡିଆ ବ୍ୟବହାର କରନ୍ତି ସେନେଇ ଜାଣିବା ମଧ୍ୟ ଆବଶ୍ୟକ ।
କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ଅନୁସାରେ, ନେପାଳର ଅଧିକାଂଶ ଇଣ୍ଟରନେଟ୍ ବ୍ୟବହାରକାରୀ ସୋସିଆଲ ମିଡିଆ ବ୍ୟବହାର କରନ୍ତି। ଦେଶର ମୋଟ ଅନଲାଇନ୍ ଟ୍ରାଫିକର ପ୍ରାୟ ୮୦ ପ୍ରତିଶତ ସୋସିଆଲ ମିଡିଆ । ଏହି ବ୍ୟବହାରକାରୀଙ୍କ ମଧ୍ୟରୁ ଅଧିକାଂଶ ଫେସବୁକ୍, ମେସେଞ୍ଜର, ଇନଷ୍ଟାଗ୍ରାମ, ଏକ୍ସ ଏବଂ ୟୁଟ୍ୟୁବ୍ ମଧ୍ୟ ବ୍ୟବହାର କରନ୍ତି। ଡାଟା ରିପୋର୍ଟାଲର ଜାନୁଆରୀ ୨୦୨୪ ତଥ୍ୟ ଅନୁଯାୟୀ, ନେପାଳରେ ୧୩.୫ ନିୟୁତ ସକ୍ରିୟ ଫେସବୁକ୍ ବ୍ୟବହାରକାରୀ, ୧୦.୮୫ ନିୟୁତ ମେସେଞ୍ଜର ବ୍ୟବହାରକାରୀ, ୩.୬ ନିୟୁତ ଇନଷ୍ଟାଗ୍ରାମ ବ୍ୟବହାରକାରୀ, ୧.୫ ନିୟୁତ ଲିଙ୍କଡଇନ୍ ବ୍ୟବହାରକାରୀ ଏବଂ ୪୬୬,୧୦୦ ଏକ୍ସ ବ୍ୟବହାର କରନ୍ତି ।
ନେପାଳ ସରକାର ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିଛନ୍ତି । ଏଥିରେ Instagram, Facebook, Messenger, YouTube, X, Reddit, LinkedIn, WhatsApp, Discord, Pinterest, Signal, Threads, Rumble, Line, Imo, Jalo, Soul, Hamro Patro, WeChat, Quora, Tumblr, Clubhouse, Mi Video, Mi YK3 ଅନ୍ତର୍ଭୁକ୍ତ । ଅନଲାଇନ୍ ଠକେଇ ଏବଂ ମନି ଲଣ୍ଡରିଂ ଅଭିଯୋଗରେ ଟେଲିଗ୍ରାମକୁ ଜୁଲାଇ ୨୦୨୫ରେ ବ୍ୟାନ କରାଯାଇଥିଲା । ଅଗଷ୍ଟ ୨୦୨୪ରେ TikTokକୁ ମଧ୍ୟ ନିଷେଧ କରାଯାଇଥିଲା । କିନ୍ତୁ ନିୟମ ପାଳନ କରିବା ପରେ ଏହାକୁ ପୁନଃ ଆରମ୍ଭ କରାଯାଇଥିଲା । ନେପାଳର ସୂଚନା ଏବଂ ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଏହି କମ୍ପାନୀଗୁଡ଼ିକ ପଞ୍ଜିକୃତ କରି ନଥିବାରୁ ଏଗୁଡ଼ିକୁ ନିଷିଦ୍ଧ କରାଯାଇଛି ବୋଲି ସରକାର କହିଛନ୍ତି ।
ନେପାଳ ସରକାର କହିଛନ୍ତି ଯେ, ଏହି ପଦକ୍ଷେପ କେବଳ ନିୟମ ପାଳନ ସୁନିଶ୍ଚିତ କରିବା ପାଇଁ ନିଆଯାଇଛି। ଅଗଷ୍ଟ ୨୮ରେ ନେପାଳ ସରକାର ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ପଞ୍ଜିକରଣ କରିବା, ଅଭିଯୋଗ ସମାଧାନ ଅଧିକାରୀ ନିଯୁକ୍ତ କରିବା ଏବଂ ଦେଶରେ ଏକ ଯୋଗାଯୋଗ କାର୍ଯ୍ୟାଳୟ ଖୋଲିବା ପାଇଁ ୭ ଦିନ ସମୟ ଦେଇଥିଲେ । କିନ୍ତୁ ଫେସବୁକ୍, ଇନଷ୍ଟାଗ୍ରାମ୍, ହ୍ୱାଟ୍ସଆପ୍, ୟୁଟ୍ୟୁବ୍, ଟ୍ୱିଟର (ଏକ୍ସ), ରେଡିଟ୍ ଏବଂ ଲିଙ୍କଡିନ୍ ଭଳି ବଡ଼ କମ୍ପାନୀଗୁଡ଼ିକ ଏପରି କରିନଥିଲେ । ଫଳସ୍ୱରୂପ, ସେଗୁଡ଼ିକୁ ବ୍ୟାନ୍ କରାଯାଇଥିଲା ।
ନେପାଳରେ ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକ ଉପରେ ପୂର୍ବରୁ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଜୁଲାଇ ମାସରେ ନେପାଳ ସରକାର ଅନଲାଇନ୍ ଠକେଇ ଏବଂ ମନି ଲଣ୍ଡରିଂ ଅଭିଯୋଗରେ ଟେଲିଗ୍ରାମ ଆପ୍ ବ୍ୟାନ୍ କରିଥିଲେ । ଗତ ବର୍ଷ TikTok କୁ ୯ ମାସ ପାଇଁ ବନ୍ଦ କରାଯାଇଥିଲା । କମ୍ପାନୀ ନିୟମ ପାଳନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଏହା ଉପରୁ ବ୍ୟାନ ହଟାଇଥିଲେ ନେପାଳ ସରକାର ।