ଗୁଜୁରାଟ, ୧୧।୫: ଭାରତର ପ୍ରଥମ ଜ୍ୟୋତିର୍ଲିଙ୍ଗ ଶ୍ରୀ ସୋମନାଥ ମନ୍ଦିର ଆଜି ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଛି । ସୋମନାଥ ମନ୍ଦିରର ପୁନଃନିର୍ମାଣ ପରେ ଏହାର ଉଦଘାଟନକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ 'ସୋମନାଥ ଅମୃତ ମହୋତ୍ସବ'ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇ ପ୍ରଭୁ ଶିବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ସୋମନାଥ ମନ୍ଦିରରେ ପହଞ୍ଚି ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିଥିଲେ । ଏହି ବିଶେଷ ଅବସରରେ ଦେଶର ବିଭିନ୍ନ ୧୧ଟି ପବିତ୍ର ତୀର୍ଥସ୍ଥାନରୁ ଅଣାଯାଇଥିବା ଜଳରେ ପ୍ରଭୁ ସୋମନାଥଙ୍କ 'କୁମ୍ଭାଭିଷେକ' କରାଯାଇଥିଲା। ପ୍ରଧାନମନ୍ତ୍ରୀ ମନ୍ଦିର ପରିସରରେ 'ବିଶେଷ ମହାପୂଜା' ସହ ମନ୍ଦିର ଶିଖରରେ 'ଧ୍ୱଜାରୋହଣ' ମଧ୍ୟ କରିଥିଲେ । ଭକ୍ତିମୟ ପରିବେଶ ମଧ୍ୟରେ ବେଦପାଠ ଓ ମନ୍ତ୍ରୋଚ୍ଚାରଣରେ ସମଗ୍ର ମନ୍ଦିର ପ୍ରାଙ୍ଗଣ କମ୍ପି ଉଠିଥିଲା ।

ଭବ୍ୟ ରୋଡ୍ ସୋ’ ଓ ଜନସମାଗମ:

କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ବିଶାଳ ରୋଡ୍ ସୋ’ରେ ସାମିଲ ହୋଇଥିଲେ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଙ୍ଘଭୀଙ୍କ ଉପସ୍ଥିତିରେ ହୋଇଥିବା ଏହି ରୋଡ୍ ସୋ’ରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ରାସ୍ତାର ଦୁଇ ପାର୍ଶ୍ୱରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଅମୃତ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗୁଜୁରାଟ ଲୋକକଳା ମହାସଂଘ ପକ୍ଷରୁ ପ୍ରାୟ ୨୨୦ରୁ ଅଧିକ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି । ପୋରବନ୍ଦର ସମେତ ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ନିଜର ପାରମ୍ପରିକ ନୃତ୍ୟ ଓ କଳା ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି। ଏହି କାର୍ଯ୍ୟକ୍ରମ କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଏହା ଭାରତୀୟ ସଂସ୍କୃତିର ଏକ ପ୍ରତିଫଳନ ସଦୃଶ ହୋଇଛି ।

ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ:

ଏହି ଐତିହାସିକ ୭୫ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକଟ ଏବଂ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ସୋମନାଥ ମନ୍ଦିରର ସଂଘର୍ଷ ଏବଂ ପୁନରୁଦ୍ଧାରର ଗାଥାକୁ ଏହା ବିଶ୍ୱ ଦରବାରରେ ପହଞ୍ଚାଇବ ବୋଲି ଆଶା କରାଯାଉଛି । ସ୍ୱାଧୀନତା ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦ୍ୱାରା ଏହି ମନ୍ଦିରର ପୁନଃନିର୍ମାଣ ସଂକଳ୍ପ ନିଆଯାଇଥିଲା, ଯାହାର ୭୫ ବର୍ଷ ଆଜି ଗୌରବର ସହ ପାଳନ କରାଯାଉଛି ।

ସୋମନାଥ ଅମୃତ ମହୋତ୍ସବରେ ଯୋଗ ଦେବା ସହ ସେ ଅନେକ କାର୍ଯ୍ୟକ୍ରମରେ ସାମିଲ ହେବେ । ପ୍ରଧାନମନ୍ତ୍ରୀଙ୍କ ଆଜିର ମିନିଟ୍-ଟୁ-ମିନିଟ୍ କାର୍ଯ୍ୟସୂଚୀ କ’ଣ ରହିଛି ଆସନ୍ତୁ ଜାଣିବା:

ସକାଳ ୦୮:୩୦: ଜାମନଗରରୁ ସୋମନାଥ ଅଭିମୁଖେ ଯାତ୍ରା ଆରମ୍ଭ

ସକାଳ ୧୦:୦୦: ସୋମନାଥରେ ପହଞ୍ଚିବା ପରେ ଏକ ବିଶାଳ ରୋଡ୍ ଶୋ’ରେ ସାମିଲ ହେବେ

ସକାଳ ୧୦:୧୫: ବିଶ୍ୱପ୍ରସିଦ୍ଧ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା, ମହାଦେବଙ୍କ କୁମ୍ଭାଭିଷେକ ଏବଂ ଏୟାର ଶୋ’ ପ୍ରଦର୍ଶନ

ମଧ୍ୟାହ୍ନ ୧୨:୦୦: ସୋମନାଥଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ

ଅପରାହ୍ନ ୦୧:୦୦ ରୁ ୦୩:୩୦: ସୋମନାଥ ସର୍କିଟ୍ ହାଉସରେ ବିଶ୍ରାମ

ଅପରାହ୍ନ ୦୫:୦୦: ବଡ଼ୋଦରାଠାରେ ସର୍ଦ୍ଦାର ଧାମର ଲୋକାର୍ପଣ ଏବଂ ସେଠାରେ ଆୟୋଜିତ ଜନସଭାରେ ଯୋଗଦାନ

ସନ୍ଧ୍ୟା ୦୭:୦୦: ବଡ଼ୋଦରା ସହରରେ ଏକ ଭବ୍ୟ ରୋଡ୍ ଶୋ’

ରାତି ସମୟ: କାର୍ଯ୍ୟକ୍ରମ ଶେଷ କରି ବରୋଦାରୁ ନୂଆଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ

ସୋମନାଥ ଅମୃତ ମହୋତ୍ସବକୁ ଦୃଷ୍ଟିରେ ରଖି ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।