ନୂଆଦିଲ୍ଲୀ, ୩/୧୨ : ବିଜେପି ଟିକଟରେ ନିର୍ବାଚନ ଲଢୁଛନ୍ତି ସୋନିଆ ଗାନ୍ଧୀ। କଣ ଚମକି ପଡ଼ିଲେ କି ? ହଁ ଆଜ୍ଞା ଏହି ଖବର ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କେରଳର ମୁନ୍ନାର ପଞ୍ଚାୟତରୁ ଆସିଛି ଏଭଳି ଖବର। ମୁନ୍ନାର ପଞ୍ଚାୟତର ଜଣେ ମହିଳା ପ୍ରାର୍ଥୀଙ୍କ ନାଁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ତାଙ୍କ ନାଁ ମେଳ ଖାଉଛି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି। 

​​​​​​​

ସୋନିଆଙ୍କ ବାପା ଦିବଙ୍ଗତ ଦୁରେ ରାଜ୍‌ ଜଣେ ବରିଷ୍ଠ କଂଗ୍ରେସ ନେତା ଏବଂ ନଲ୍ଲାଥନ୍ନି କଲ୍ଲାରର କର୍ମୀ ଥିଲେ । ସୋନିଆ ଗାନ୍ଧୀଙ୍କୁ ଖୁବ୍‌ ପ୍ରଶଂସା କରୁଥିବାରୁ ତାଙ୍କ ନାମ ଅନୁସାରେ ସେ ନିଜ ନବଜାତ ଝିଅର ନାମକରଣ କରିଥିଲେ । ତେବେ ବିବାହ ପରେ ସୋନିଆଙ୍କ ରାଜନୈତିକ ଆନୁଗତ୍ୟ ବଦଳିଗଲା । ତାଙ୍କ ସ୍ୱାମୀ ସୁଭାଷ ବିଜେପିର ଜଣେ ସକ୍ରିୟ କର୍ମୀ ଏବଂ ବର୍ତ୍ତମାନ ପଞ୍ଚାୟତ ମହାସଚିବ ଅଛନ୍ତି । ଦେଢ଼ ବର୍ଷ ତଳେ ସେ ପୁରୁଣା ମୁନ୍ନାର ମୂଲକ୍କଡା ୱାର୍ଡରେ ଉପନିର୍ବାଚନରେ ଲଢ଼ିଥିଲେ । ତାଙ୍କ ପଦାଙ୍କ ଅନୁସରଣ କରି ସୋନିଆ ଗାନ୍ଧୀ ଏବେ ବିଜେପି-ସମର୍ଥିତ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ସେଥିପାଇଁ ସ୍ଥାନୀୟ ନିର୍ବାଚନରେ ତାଙ୍କୁ ନେଇ କୌତୁହଳ ଓ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ପ୍ରାର୍ଥୀ ମଞ୍ଜୁଲା ରମେଶ ଏବେ ଏକ ଅସ୍ୱାଭାବିକ ଚାଲେଞ୍ଜ୍‌ର ସମ୍ମୁଖୀନ ହୋଇଛନ୍ତି । କାରଣ ବିଜେପି ପ୍ରାର୍ଥୀ ସୋନିଆ ଗାନ୍ଧୀ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ହଠାତ୍‌ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ସମାନ ନାଁ ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଇଥିବାବେଳେ କଂଗ୍ରେସ ପ୍ରାର୍ଥୀଙ୍କ ସାମ୍ନାରେ ଭୋଟ୍‌ କଟିବା ଏକ ବଡ଼ ଆହ୍ୱାନ ହୋଇପାରେ । କେରଳରେ ଚଳିତ ବର୍ଷର ସ୍ଥାନୀୟ ନିର୍ବାଚନ ଆସନ୍ତା ୯ ଓ ୧୧ ତାରିଖ, ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ୧୩ ତାରିଖରେ ଭୋଟ୍‌ ଗଣତି ହେବ ।