କଟକ,୦୧/୦୯(ମହାଦେବ ସେଠୀ): ପୁଅର ଚିକିତ୍ସା ପାଇଁ ବଦଳି ଯାଇଛି ମା’ର ଠିକଣା ଆଉ ବୃତ୍ତି । ଏପରି ଘଟିଛି ବ୍ରହ୍ମପୁର ଥାନା ବେତାର ଅଞ୍ଚଳର ମମତା ପଣ୍ଡାଙ୍କ କ୍ଷେତ୍ରରେ । ୨୦୨୨ ସେପ୍ଟେମ୍ବରରେ ପୋଡ଼ି ହୋଇ ଗୁରୁତର ଥିବା ପୁଅକୁ ଚିକିତ୍ସା କରାଇ ମରଣ ମୁହଁରୁ ଉଦ୍ଧାର କରିଥିଲେ ସତ, କିନ୍ତୁ ଦିନକୁ ଦିନ ସେ ପଙ୍ଗୁ ପାଲଟି ଯାଇଥିଲା । ପୂର୍ବରୁ ସ୍ୱାମୀଙ୍କୁ ହରାଇ ସାରିଥିବାରୁ ଆଶାବାଡ଼ି ପାଲଟିଥିବା ଏକମାତ୍ର ପୁଅର ଏପରି ଅବସ୍ଥାକୁ ନେଇ ପୂରା ଭାଙ୍ଗିପଡ଼ିଥିଲେ ମମତା । ତଥାପି ମୂଲପାତି ଲାଗି ଯାହା କିଛି ଅର୍ଥ ସଞ୍ଚିଥିଲେ ତାକୁ କାନିରେ ବାନ୍ଧି ପୁଅକୁ ଭଲ କରିବା ଲାଗି ବ୍ରହ୍ମପୁରରୁ ଆସି କଟକ ଏସ୍ସିବି ମେଡିକାଲ୍ରେ ପହଞ୍ଚିଥିଲେ । ପୁଅକୁ ସ୍ୱାଭାବିକ କରିବା ପାଇଁ ଲମ୍ବା ସମୟ ଲାଗିବ ବୋଲି ଡାକ୍ତର କହିବାରୁ କଟକରେ ଅଟକି ଯାଇଛନ୍ତି ମା’ ମମତା । ପୁଅର ଦେଖାଶୁଣା ଓ ଚିକିତ୍ସା ପାଇଁ ଟଙ୍କା ଦରକାର ଥିବାରୁ ଗାଁକୁ ଫେରି ମୂଲପାତି ଲାଗିବା ବଦଳରେ ଏବେ କଟକ ଏସ୍ସିବିରେ ସିକ୍ୟୁରିଟି ଗାର୍ଡ ବୃତ୍ତିକୁ ଆପଣାଇଛନ୍ତି ।
ମମତା କଟକରେ ଘର ଭଡ଼ା ନେଇ ରହି ପୁଅକୁ ଚିକିତ୍ସା କରାଉଛନ୍ତି । ପ୍ରଥମେ ଆସିବା ବେଳେ ଅଜଣା ସ୍ଥାନ ଓ ଅପରିଚିତ ଲୋକଙ୍କ ଗହଳି ଭିତରେ ନିଜେ ସୁରକ୍ଷିତ ରହି ପୁଅକୁ କିପରି ସୁସ୍ଥ କରାଇବେ ସେଇ ଚିନ୍ତା ଘାରିଥିଲା ତାଙ୍କୁ । ଏବେ କିନ୍ତୁ ସେ କଟକ ବଡ଼ ମେଡିକାଲ୍ରେ ଅନ୍ୟର ସୁରକ୍ଷା ପାଇଁ ସାହା ହେଉଛନ୍ତି । ଆର୍ଥିକ ଅନଟନ ସତ୍ତେ୍ୱ ମମତାଙ୍କର ଏହି ସଂଘର୍ଷମୟ କାହାଣୀ ଅନେକଙ୍କ ପାଇଁ ପ୍ରେରଣାଦାୟୀ ।
ବ୍ରହ୍ମପୁରରୁ ଏସ୍ସିବି ମେଡିକାଲ୍ର ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡକୁ ଆସିବା ଇତିମଧ୍ୟରେ ଦୁଇ ବର୍ଷ ବିତି ଗଲାଣି । ବ୍ରହ୍ମପୁର ତାଙ୍କ ଜନ୍ମସ୍ଥାନ ଓ ଶାଶୂ ଘର ହୋଇଥିଲେ ମଧ୍ୟ କଟକ ଏବେ ତାଙ୍କ କର୍ମକ୍ଷେତ୍ର ପାଲଟି ଯାଇଛି । ସେ କହନ୍ତି, ମୋ ପୁଅ ପୋଡ଼ି ହୋଇ ଗୋଡ଼ ବଙ୍କା ହୋଇଯାଇଥିଲା । ଚଲାବୁଲା କରିପାରୁ ନଥିଲା । ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତର ବିଭୂତି ସାର୍ ଓ ତାଙ୍କ ସହଯୋଗୀ ଡାକ୍ତର ମୋ ପୁଅକୁ ନୂଆ ଜୀବନ ଦେଇଛନ୍ତି । ମୋ ପୁଅ ଏବେ ଚଲାବୁଲା କରୁଛି । ନିଆଁରେ ଜଳିଯିବା ବେଳେ ତା ହାତ ପାପୁଲି ସହ ଆଙ୍ଗୁଠିଗୁଡ଼ିକ ନଷ୍ଟ ହୋଇଯାଇଥିଲା । ଶରୀରରୁ ମାଂସ ନେଇ ପାପୁଲି ଓ ଅଙ୍ଗୁଳି ପ୍ରତିରୋପଣ କରିବେ ବୋଲି ଡାକ୍ତର ମୋତେ ଭରସା ଦେଇଛନ୍ତି । ଆସନ୍ତା ଜାନୁଆରୀରେ ମୋ ପୁଅ ହାତରେ ଅପରେସନ୍ କରାଯିବ । ଫଳରେ ସେ ହାତରେ ନିଜ କାମ କରିପାରିବ । ପୋଡ଼ି ହେଲା ଦିନଠୁ ତା’ ପାଠପଢ଼ାରେ ଡୋରିବନ୍ଧା ହୋଇଛି । କିନ୍ତୁ ଚିକିତ୍ସା ପରେ ସ୍କୁଲ୍ରେ ପଢ଼ାଲେଖା କରିବ ବୋଲି ମୋର ଆଶା ।
ମମତାଙ୍କ ସ୍ୱାମୀ କୃପାସିନ୍ଧୁ ପଣ୍ଡା ଆରପାରିରେ । ମମତା ବାହାରକୁ କାମ କରିବାକୁ ଯାଇଥିବା ବେଳେ ଘରେ ଷ୍ଟୋଭ୍ ଫାଟି ଯିବାରୁ ନବମ ଶ୍ରେଣୀରେ ପଢ଼ୁଥିବା ପୁଅ ବବୁଲ୍(୧୬) ପୋଡ଼ି ହୋଇଯାଇଥିଲା । ମୁଣ୍ଡକୁ ଛାଡ଼ି ପୂରା ଶରୀରଟା କିରାସିନ୍ ନିଆଁରେ କ୍ଷତିଗ୍ରସ୍ତ ହୋଇଯାଇଥିଲା । ଯାହା କିଛି ଧନ ସମ୍ପତ୍ତି ଥିଲା ସେଥିରେ ପୁଅକୁ ଭୁବନେଶ୍ୱରରେ ଏକ ହସ୍ପିଟାଲ୍ରେ ଚିକିତ୍ସା କରାଇଥିଲେ । ଏକ ବର୍ଷ ଧରି ସେଠାରେ ଚିକିତ୍ସା ହେବା ମଧ୍ୟରେ ବବୁଲ୍ ମରଣ ମୁହଁରୁ ବର୍ତ୍ତିଗଲେ ସତ କିନ୍ତୁ ତାଙ୍କ ବେକଠାରୁ ଅଣ୍ଟା, ଗୋଡ଼ହାତ ଆଦିରେ ମାଂସପେଶୀ ସଙ୍କୁଚିତ ହୋଇ ପୂରା ଶରୀରଟା ବଙ୍କା ହୋଇଯାଇଥିଲା । ଫଳରେ ସେ ଚଲାବୁଲା କିମ୍ବା ବସି ଉଠିପାରୁ ନ ଥିଲେ ।
ଏଣୁ ୨୦୨୩ ଅଗଷ୍ଟ ଶେଷ ବେଳକୁ ପୁଅ ବବୁଲ୍କୁ ଧରି ମମତା ଏସ୍ସିବି ମେଡିକାଲ୍ ଆସିଥିଲେ । ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ ଯୋଜନା (ଆର୍ବିଏସ୍କେ) ସହାୟତାରେ ବବୁଲ୍ର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ଚିକିତ୍ସା ଆରମ୍ଭ ହୋଇଥିଲା । ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ୱରେ ୨୦୨୩ ସେପ୍ଟେମ୍ବରରେ ପ୍ରଥମେ ବବୁଲ୍ର ଅପରେସନ୍ ହୋଇଥିଲା । ବବୁଲ୍ର ଚର୍ମ ନଷ୍ଟ ହୋଇଯାଇଥିବାରୁ ଅପରସେନ୍ କରି ସ୍ୱାଭାବିକ ସ୍ଥିତିକୁ ଆଣିବା ଡାକ୍ତରଙ୍କ ପାଇଁ ବହୁ ଚ୍ୟାଲେଞ୍ଜ୍ ଥିଲା ବୋଲି ଡାକ୍ତର ନାୟକ କହିଛନ୍ତି । ବବୁଲଙ୍କର ଶରୀରରେ ଏକାଧିକ ଥର ଅପରେସନ୍ କରାଯାଇ ମୁଣ୍ଡ ଖପୁରୀରୁ ଚମଡ଼ା ନେଇ ପ୍ରଥମେ ବେକରେ ପକାଯାଇଥିଲା । ଏବେ ବବୁଲ୍ ସଳଖି ଚାଲୁଥିବା ବେଳେ ଆଗକୁ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବ ବୋଲି ଡାକ୍ତରୀ ଟିମ୍ କହିଛନ୍ତି ।