ମୁମ୍ୱାଇ : ବଲିଉଡ ଅଭିନେତା ସୋନୁ ସୁଦ୍‌ ଏହି ଦିନ ନିଜର ଅପକମିଂ ଫିଲ୍ମ ‘ଫତେହ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସୋନୁଙ୍କର ଏହି ଫିଲ୍ମ ଦୁଇ ଦିନ ପରେ ଅର୍ଥାତ୍‌ ୧୦ ଜାନୁଆରୀରେ ଫିଲ୍ମ ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମକୁ ନେଇ ସୋନୁଙ୍କର ପ୍ରଶଂସକ ଖୁବ୍‌ ଉତ୍ସାହିତ ଅଛନ୍ତି। ଏହି ଫିଲ୍ମ ଆକ୍ସନ ଓ ରୋମାନ୍ସରେ ଭରପୂର ରହିଛି। ଏହି ସମୟରେ ‘ଫତେହ’ର ପୂରା ଟିମ୍ ଜୋଶ୍‌ର ସହ ପ୍ରମୋଶନରେ ଲାଗି ପଡ଼ିଛନ୍ତି। ଏହି ମଧ୍ୟରେ ଏବେ ସୋନୁ ସୁଦ୍‌ଙ୍କ ଷ୍ଟୁଡେଣ୍ଟ ପ୍ରଶଂସକ ଏକ ନୂଆ ରେକର୍ଡ କରିଛନ୍ତି, ଯାହାକୁ ଦେଖି ନିଜେ ଅଭିନେତା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। 

ଉଲ୍ଲେଖନୀୟ ଯେ , ସୋନୁ ସୁଦଙ୍କ ଷ୍ଟୁଡେଣ୍ଟ ଫ୍ୟାନ୍ସ ସୋଲାପୁରରେ ଏକ ନୂଆ ରେକର୍ଡ କରିଛନ୍ତି। କହି ରଖୁଛୁ କି ୫୦୦ ଷ୍ଟୁଡେଣ୍ଟ ସୋନୁଙ୍କର ଅପକମିଂ ଫିଲ୍ମ ‘ଫତେହ’ ର ୩୯୦ ଫୁଟର କଟଆଉଟ୍‌ ନେଇ ମୈଦାନରେ ୱାକ୍‌ କରୁଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ଷ୍ଟୁଡେଣ୍ଟସ ସୋନୁଙ୍କ ପ୍ରତି ନିଜର ଶ୍ରଦ୍ଧା ଓ ସମ୍ମାନକୁ ଦର୍ଶାଇଛନ୍ତି। କହି ରଖୁଛୁ କି, ଏହା ପୂର୍ବରୁ  ଡିସେମ୍ୱର, ୨୦୨୪ରେ ସାଉଥ୍‌ ଅଭିନେତା ରାମ ଚରଣଙ୍କର ମଧ୍ୟ ଏକ କଟ୍‌ଆଉଟ୍‌ ଫ୍ୟାନ୍ସ କରିଥିଲେ , ଯାହା ୨୫୬ ଫୁଟର ଥିଲା। ଏଥିରେ ସୋନୁ ନିଜେ ତାଙ୍କୁ ମଧ୍ୟ ପଛରେ ଛାଡ଼ି ଦେଇଛନ୍ତି।

ସୋନୁ ସୁଦ୍‌ ନିଜ ଷ୍ଟୁଡେଣ୍ଟ ପ୍ରଶଂସକଙ୍କ ଏହି ଭିଡ଼ିଓକୁ ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସେ ଏହି ଭିଡ଼ିଓକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି , “୩୯୦ ଫୁଟ, ୫୦୦ ଷ୍ଟୁଡେଣ୍ଟସ, ୧ ଇମୋସନ, ଫତେହ ।“ ଏହାସହ ସୋନୁ ଭାରତୀୟ ପତାକା ସହ ହାର୍ଟର ଇମୋଜି ମଧ୍ୟ ସେୟାର କରିଛନ୍ତି । ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଖୁବ୍‌ ପସନ୍ଦ କରାଯାଉଛି। ଏହା ଉପରେ ପ୍ରଶଂସକ ଲଗାତାର କମେଣ୍ଟ କରି ନିଜର ଖୁସି ବ୍ୟକ୍ତ କରିବା ଦେଖାଯାଉଛି। 


ସୂଚନା ଆଧାରରେ , ସୋନୁ ସୁଦଙ୍କର ଅପକମିଂ ଫିଲ୍ମ ‘ଫତେହ’ ୧୦ ଜାନୁଆରୀରେ ଫିଲ୍ମ ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି। ‘ଫତେହ’ ସୋନୁ ସୁଦ୍‌ଙ୍କ ନିର୍ଦ୍ଦେଶନାରେ ତିଆରି ଏହା ପ୍ରଥମ ଆକ୍ସନ-ଥ୍ରୀଲର ଫିଲ୍ମ। ଏଥିରେ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ , ବିଜୟ ରାଜ୍‌, ନସିରୁଦ୍ଦିନ ଶାହ ଓ ଦିବ୍ୟେନ୍ଦୁ ଭଟ୍ଟାଚାର୍ଯ୍ୟ ପ୍ରମୁଖ ରୋଲ୍‌ରେ ଅଛନ୍ତି।