ଭୁବନେଶ୍ବର : ଆଜି ଝଡ଼ର ଇଗଲ ବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ରାଜ୍ୟ ରାଜନୀତିରେ ଏବେ ବିଜୁ ଲିଗାସି ଚାଲିଥିବାବେଳେ ଏକାଠି ହୋଇଛନ୍ତି ବିଜୁ ପ୍ରେମୀ । ଓୟୁଏଟିରେ ଏକାଠି ହୋଇଥିବା ଓଡ଼ିଶା ନାଗରିକ ମଞ୍ଚ ପକ୍ଷରୁ ଏକାଠି ହୋଇଛନ୍ତି ଶତାଧିକ ବିଜୁ ପ୍ରେମୀ । ଏହି ଅବସରରେ ବରିଷ୍ଠ ରାଜନେତା ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି କି, ଆମ କାର୍ଯ୍ୟକ୍ରମକୁ ଦେଖନ୍ତୁ, ଆମ କଥାରେ ଯଦି ବିଶ୍ୱାସ କରୁଛନ୍ତି ତେବେ ଆମ ସହିତ ଯୋଗ ଦିଅନ୍ତୁ । ଓଡିଶା ନାଗରିକ ମଞ୍ଚର ଜଣେ ଜଣେ ସକ୍ରିୟ ସଦସ୍ୟ ହୁଅନ୍ତୁ | ଓଡିଶାର ୩୦ ଟି ଜିଲ୍ଲାରେ କାର୍ଯ୍ୟକ୍ରମ ହେବ ଏହାସହ ପ୍ରତି ବ୍ଲକ ଏବଂ ପ୍ରତି ପଂଚାୟତରେ ହେବ। ଆମର ପ୍ରଶଂସା ପତ୍ର ଅନ୍ୟ ମାନେ ଦେଇସାରିଲେଣି। ଆମର ପାର୍ଟି ହେବାର ନାହିଁ, କିନ୍ତୁ ସମସ୍ତଙ୍କ ମନରେ ପାର୍ଟି କଥା କାହିଁକି ଆସୁଛି ? ଏ ହେଉଛି ସବୁ ପାର୍ଟି ମାନଙ୍କ ପାଇଁ ସତର୍କ ଘଣ୍ଟି । ପାର୍ଟି ଭଲ କାମ କରୁନାହାନ୍ତି, ଏମାନେ ଏକାଠି ହେଲେଣି ପାର୍ଟି କରିବା ପାଇଁ | ପାର୍ଟି ହେବାର ଆବଶ୍ୟକତା ନାହିଁ, ଯଦି ବର୍ତମାନର ପାର୍ଟି ଗୁଡିକ ସଭ୍ୟ ହୋଇଯିବେ ଏବଂ ସଂସ୍କାରିତ ହୋଇ ଭଲ କାମ କରିବେ ।
ଏହାସହ ସୌମ୍ୟ କହିଛନ୍ତି କି, ମୁଁ ବିଜୁ ବାବୁଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିଥିଲି, ବିଜୁ ବାବୁଙ୍କୁ ଅନେକ ସମାଲୋଚନା କରିଛି। ନିର୍ବାଚନ ଲଢ଼ିବା ପରଠାରୁ ମୋ ସମ୍ପର୍କରେ ପରିବର୍ତନ ଆସିଲା | ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ମୋତେ ରାତ୍ରୀ ଭୋଜନ ପାଇଁ ଡାକିଥିଲେ। ହାତ ମିଶାଇବା ପାଇଁ ମୋତେ କହିଥିଲେ ସେହିଦିନ ଠାରୁ ମୁଁ ବିଜୁ ବାବୁଙ୍କ ନିକଟତର ହୋଇଗଲି ।
ସେପଟେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ସଭାମଞ୍ଚରୁ ନବନୀ ପଟ୍ଟନାୟକଙ୍କୁ ଜଣାଇଛନ୍ତି ଧନ୍ୟବାଦ । ସେ କହିଛନ୍ତି କି, ଯଦି ଏହି ସଭା ହୋଇ ନଥାନ୍ତା ତେବେ ନବୀନବାବୁ ଦିଲ୍ଲୀ ସଂସଦଙ୍କ ସହ ତିରୋଧାନ ଦିବସ ପାଳନ କରିନଥାନ୍ତେ । ଯାହା ହେଉ ବହୁଦିନ ପରେ ନବୀନ ବାବୁଙ୍କର ବାପାଙ୍କ କଥା ମନେପଡିଲା ବୋଲି କହି ସମାଲୋଚନା କରିଛନ୍ତି । ଏହାସହ ସେ କହିଛନ୍ତି କି, ଓଡ଼ିଶା ନାଗରିକ ମଞ୍ଚ ଓଡ଼ିଶାବାସୀଙ୍କ ସ୍ବର ହେବ । ଆଜିଠାରୁ ଏହାର ମୂଳଦୂଆ ପଡ଼ିଲା । ଏବେ ମୋର ଚିନ୍ତା ଦୂର ହେଲା । ଏହି ମଞ୍ଚ ଜରିଆରେ ଓଡ଼ିଶାବାସୀଙ୍କ ସବୁ ପ୍ରଶ୍ନର ଉତ୍ତର ମିଳିବ ।