ଭୁବନେଶ୍ଵର, ୧୬/୦୩ : ଖରାଦିନ ଆସିଲେ ଖୋଜାପଡ଼େ ପଖାଳ କଂସା। ଭାତ ଗଣ୍ଡେ ଖାଇ ତୋରାଣି ମୁନ୍ଦେ ପିଇଦେଲେ ପେଟ ଶାନ୍ତି। ଯଦି ଦହି ପଖାଳ ମିଳିଗଲା ତାହେଲେ କଥା ସରିଲା। ଆଉ କ'ଣ ବା ଦରକାର ? ଆମେ ଆଜି ଦହି ଏବଂ ଭାତ କମ୍ବବିନେସନର ଏକ ଦକ୍ଷିଣ ଭାରତୀୟ ଖାଦ୍ୟ ବିଷୟରେ କହିବୁ ଯାହା ଖାଇଲେ ଆପଣଙ୍କର ବି ଆତ୍ମତୃପ୍ତି ହୋଇଯିବ। ଏହାକୁ ତିଆରି କରିବା ମଧ୍ୟ ଖୁବ୍ ସହଜ। ଯଦି ଆପଣ ଏମିତି କିଛି ସ୍ଵାସ୍ଥ୍ୟକର ରେସିପି ଖାଇବାକୁ ଚାହୁଁଛନ୍ତି ତାହେଲେ ପ୍ରସ୍ତୁତ କରନ୍ତୁ କର୍ଡ ରାଇସ୍।
ଅବଶ୍ୟକୀୟ ଜିନିଷ
୧ କପ୍ ଭାତ, ୧ କପ୍ ଦହି, ୫ଟି କଟା କଞ୍ଚାଲଙ୍କା, କଟା ହୋଇଥିବା ଅଦା, ୧ ଚାମଚ କଟା ଧନିଆ ପତ୍ର, ୩ ଚାମଚ ତେଲ, ୧ ଚାମଚ ଶୋରିଷ, ୩ ଚାମଚ ଚଣା ଡାଲି, ୨ଟି ଶୁଖିଲା ଲଙ୍କା, ୧ ଚୁଟକି ହେଙ୍ଗୁ, ୫-୬ଟି ଭୁରଶୁଙ୍ଗା ପତ୍ର, ସ୍ଵାଦ ଅନୁସାରେ ଲୁଣ।
ପ୍ରସ୍ତୁତି କରିବାର ଉପାୟ
୧- ପ୍ରଥମେ ଏକ ପାତ୍ରରେ ଚାଉଳ, ଦହି, କଞ୍ଚାଲଙ୍କା, ଧନିଆ ପତ୍ର ଏବଂ ଲୁଣ ଭଲ ଭାବରେ ଗୋଳାଇ ରଖନ୍ତୁ।
୨-ଏକ ପ୍ୟାନରେ ତେଲ ଗରମ କରି ଏଥିରେ ଫୁଟଣ, ଡାଲି, ଶୁଖିଲା ଲଙ୍କା, ହେଙ୍ଗୁ ଏବଂ ଭୁରଶୁଙ୍ଗା ପତ୍ର ପକାନ୍ତୁ।
୩-ତଡକା ପ୍ରସ୍ତୁତ ହୋଇଗଲେ ଏହାକୁ ଦହି ଭାତ ମିଶ୍ରଣରେ ପକାଇ ଗୋଳାଇ ଦିଅନ୍ତୁ।
୪-ଏବେ ପ୍ରସ୍ତୁତ ହୋଇଯିବ ସ୍ଵାଦିଷ୍ଟ କର୍ଡ ରାଇସ୍ ବା ଦହି ଭାତ।
୫- ପେଟ ଖରାପ ଥିଲେ କିମ୍ଵା ଜ୍ଵର ହୋଇଥିଲେ ଏହି ଖାଦ୍ୟ ପାଟିକୁ ସ୍ଵାଦିଷ୍ଟ ଏବଂ ପେଟକୁ ଲାଭଦାୟକ ହେବ।