ଭୁବନେଶ୍ବର,୧୧।୬ : ଜୁନ୍ ୧୬ରୁ ବଦଳିବ ପାଗ ।  ଓଡିଶା ମୁହାଁ ହେବ ମୌସୁମୀ। ଆଉ ୩ ଦିନ ପରେ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ।ଅନ୍ୟପକ୍ଷରେ  ୧୬ରୁ ୧୮  ଜୁନ୍ ଯାଏ କୌଣସି ଓ୍ବାର୍ଣ୍ଣିଂ ନାହିଁ ।ଏହାରି ଭିତରେ କାଳବୈଶାଖୀ ଯିବ, ମୌସୁମୀ ଆସିବ। ଓଡିଶା ପାଇଁ  ଗ୍ରୀନ୍ ସିଗନାଲ୍ ଦେଲେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।

 ବର୍ତ୍ତମାନ ମୌସୁମୀ କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ପାର୍ ହୋଇ ପଶ୍ଚିମବଙ୍ଗ ଓ ବିହାରର କିଛି ଅଂଶ ଛୁଇଁଛି।  ଆଗାମୀ ୨ରୁ ୩ ଦିନରେ ମୌସୁମୀ ଆଗକୁ ବଢି ଓଡିଶା, ଛତିଶଗଡ, ଝାଡଖଣ୍ଡ ଓ ଉତ୍ତର ପ୍ରଦେଶର କିଛି ଅଂଶକୁ ଛୁଇଁବା ପାଇଁ ପରିସ୍ଥିତି ଅନୁକୂଳ ଅଛି। ମୌସୁମୀର ଉତ୍ତର ସୀମା ଏବେ କଲିଙ୍ଗପାଟନମ୍, ରାୟଗଡା ପର୍ଯ୍ୟନ୍ତ ଆସିଛି।

ସବୁଠୁ ଗୁରୁତ୍ୱପୂର୍ଣ କଥା  ୧୬ ଜୁନ୍ ରୁ ୧୮ ଜୁନ୍ ସକାଳ ଯାଏଁ ସାରା ଓଡିଶାରେ କୌଣସି ଓ୍ବାର୍ଣ୍ଣିଂ ଦିଆଯାଇ ନାହିଁ ।  ଏହି ୩ ଦିନ କାଳବୈଶାଖୀ ଦୁର୍ବଳ ରହିବ। ଏହା ହିଁ ମୌସୁମୀ ପ୍ରବେଶର ସବୁଠୁ ବଡ଼ ସଙ୍କେତ। ୧୮ ଜୁନ୍ ପରେ ବି ସେପରି କୌଣସି ପରିବର୍ତ୍ତନ ହେବ ନାହିଁ। ଅର୍ଥାତ୍ ପାଗ ସ୍ଥିର ରହିବ, ଯାହା ମୌସୁମୀ ବର୍ଷା ପାଇଁ ରାସ୍ତା ଖୋଲିବ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ସର୍ବୋଚ୍ଚ ତାପମାତ୍ରା ବଲାଙ୍ଗିରରେ ୪୧ ଡିଗ୍ରୀ, ସର୍ବନିମ୍ନ କୋରାପୁଟରେ ୨୦.୮ ଡିଗ୍ରୀ ରେକର୍ଡ କରାଯାଇଛି।ସର୍ବାଧିକ ବର୍ଷା ସମ୍ବଲପୁର ରେଢ଼ାଖୋଲରେ ୨୯ ମିଲିମିଟର, ପଟାଙ୍ଗି ୨୮.୪, ନୀଳଗିରି ୨୫ ମିଲିମିଟର ରେକର୍ଡ କରାଯାଇଛି।

ଆସନ୍ତାକାଲି ଯାଏଁ ଉପକୂଳ ଓଡିଶାରେ ଗରମ ଓ ଗୁଳୁଗୁଳି  ରହିଛି।  ତେଣୁ ୟେଲୋ ୱାର୍ଣିଂ ଦେଇଛି ବିଭାଗ। ଆସନ୍ତାକାଲି ପାଇଁ  ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କଟକ, ପୁରୀ, ମୟୂରଭଞ୍ଜ ସମେତ ୧୮ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୫୦-୬୦ କିମି ପବନ, ବିଜୁଳି ମାରିବ। ୧୩ ରେ କେନ୍ଦ୍ରାପଡା, କଟକ, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରେ ଅରେଞ୍ଜ ଆଲର୍ଟ ସହ ଭାରୀ ବର୍ଷା ହେବ। ତେଣୁ ବିଜୁଳି ସମୟରେ ଘରେ ରୁହନ୍ତୁ, ଗଛ ତଳେ ଆଶ୍ରୟ ନିଅନ୍ତୁ ନାହିଁ, ବିଦ୍ୟୁତ୍ ଉପକରଣ ଅନପ୍ଲଗ୍ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି।ଏବେ ପ୍ରାକ୍ ମୌସୁମୀ ବର୍ଷା ଚାଲିଛି। କିନ୍ତୁ ୧୬ ଜୁନ୍ ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଦକ୍ଷିଣ ଓଡିଶା ଦେଇ ରାଜ୍ୟରେ ପ୍ରବେଶ କରିବ ବୋଲି ନିର୍ଦ୍ଦେଶିକା ମନୋରମା ମହାନ୍ତି ସ୍ପଷ୍ଟ କରିଛନ୍ତି।