ନୂଆଦିଲ୍ଲୀ ୧୧/୦୬: ଅଧିକାଂଶ ବିଶାଳକାୟ ଆକାଶଗଙ୍ଗା କେନ୍ଦ୍ରରେ ଗୋଟିଏ ସୁପରମାସିଭ୍ ବ୍ଲାକ୍ହୋଲ ରହିଛି । ଏହା ଏତେ ବିଶାଳ ଯେ ତା’ଠୁ ଆଉ ବଡ଼ କିଛି ନାହିଁ, ଏପରିକି ଆଲୋକ ମଧ୍ୟ ଏହାର ଅତି ନିକଟତର ହେଲେ ଏହାର ମାଧ୍ୟାକର୍ଷଣରୁ ଖସି ଯାଇପାରେ ନାହିଁ । ଯେତେବେଳେ ଏହି ସୁପରମାସିଭ୍ ବ୍ଲାକହୋଲ୍ ସକ୍ରିୟ ଥାନ୍ତି ଏବଂ ଆଖାପାଖ ଗ୍ୟାସ୍ ଓ ଧୂଳିକୁ ଟାଣନ୍ତି, ସେମାନେ ବ୍ରହ୍ମାଣ୍ଡର କିଛି ସବୁଠୁ ଉର୍ଜ୍ଜାବାନ ବସ୍ତୁ ହୋଇଥାନ୍ତି । ସମଗ୍ର ଆକାଶଗଙ୍ଗାଠୁ ମଧ୍ୟ ଅଧିକ ଉଜ୍ୱଳ ହୋଇଥାନ୍ତି ଏବଂ ବିକିରଣର ଶକ୍ତିଶାଳୀ ଜେଟ୍ ବିସ୍ଫୋରଣ କରନ୍ତି । ନକ୍ଷତ୍ରବିଜ୍ଞାନୀ ଏମାନଙ୍କୁ ଆକ୍ଟିଭ ଗାଲାକ୍ଟିକ୍ ନ୍ୟୁକ୍ଲି (ଏଜିଏନ୍) କହନ୍ତି । ଏହା ବୋଧହୁଏ ସେହି ଅନ୍ତିମ ସ୍ଥାନ ଯେଉଁଠି ଗ୍ରହମାନଙ୍କର ଉତ୍ପତ୍ତି ବିଷୟରେ ଆଶା କରାଯାଏ ।
ଆଷ୍ଟ୍ରୋଫିଜିକାଲ ଜର୍ନାଲରେ ପ୍ରକାଶିତ ଏକ ସଦ୍ୟ ଅଧ୍ୟୟନ ଦର୍ଶାଇଛି, ଏହି ମହାଜାଗତିକ ରାକ୍ଷସ (ବ୍ଲାକ୍ହୋଲ)ଗୁଡ଼ିକୁ ପରିକ୍ରମା କରୁଥିବା ଧୂଳିର ବଳୟରେ ଅଧିକ ଗ୍ରହଙ୍କର ଉପସ୍ଥିତି ଥାଇପାରେ, ଯାହା ବିଷୟରେ ପୂର୍ବରୁ କେହି ଭାବିନଥିବେ । ଅଧ୍ୟୟନକର୍ତ୍ତାଙ୍କ ମଡେଲ ଦର୍ଶାଇଛି, ଏହି ଏଜିଏନ୍ ଧୂଳିର ବଳୟରେ ବ୍ରହ୍ମାଣ୍ଡର ସର୍ବାଧିକ ସଂଖ୍ୟକ ଗ୍ରହ ଅଛି । ଏହି ଆଶ୍ଚର୍ଯ୍ୟଚକିତ ଘଟଣା ସାଧାରଣ ପରିସ୍ଥିତିରେ ଗ୍ରହ ସୃଷ୍ଟି କେମିତି ହୁଏ, ତାହା ବୁଝିବାରେ ସାହାଯ୍ୟ କରିବ । ଯେତେବେଳେ ଏକ ନୂଆ ନକ୍ଷତ୍ର ଜନ୍ମ ହୁଏ, ଏହା ଗ୍ୟାସ୍ ଓ ଧୂଳିର ଏକ ଘୂର୍ଣ୍ଣାୟମାନ ବଳୟ ଦ୍ୱାରା ଆବୃତ୍ତ ହୋଇଥାଏ । ଏହି ବଳୟ ସେହି ବାଦଲର ବଳକା ଉପାଦାନ, ଯାହାର ବିଲୟରୁ ନକ୍ଷତ୍ର ହୋଇଥିଲା । କୋଟି କୋଟି ବର୍ଷ ଧରି ବଳୟର ଧୂଳିକଣା ପରସ୍ପର ସହ ଧକ୍କା ହୁଏ ଏବଂ ଏକାଠି ଲାଗି ରହେ । ଧୀରେ ଧୀରେ ଛୋଟ ଛୋଟ ଗୋଡ଼ି, ତା’ପରେ ପଥର ଓ ତା’ପରେ ବିଶାଳ ପିଣ୍ଡ ଏବଂ ଶେଷରେ ପୂର୍ଣ୍ଣ-ଆକାରବିଶିଷ୍ଟ ଗ୍ରହରେ ରୂପାନ୍ତରିତ ହୁଏ । ପ୍ରାୟ ୪୫୦ କୋଟି ବର୍ଷ ପୂର୍ବେ ଆମ ସୌରମଣ୍ଡଳ ଏହି ଉପାୟରେ ସୃଷ୍ଟି ହୋଇଥିଲା ।
ଏହି ପ୍ରକ୍ରିୟା ଲାଗି ଅପେକ୍ଷାକୃତ ଶାନ୍ତ ଓ ଥଣ୍ଡା ପରିବେଶ ଆବଶ୍ୟକ । ଧୂଳିକଣା ପରସ୍ପର ସହ ଯୋଡ଼ିହେବାକୁ ଦୀର୍ଘ ସମୟ ଲାଗେ, ଅର୍ଥାତ୍ ଚରମ ତାପମାତ୍ରାରେ ଏହି ପ୍ରକ୍ରିୟା ସମ୍ଭବ ହୋଇପାରେନା । ବ୍ଲାକହୋଲ୍ ଚତୁଃପାଶ୍ୱର୍ରେ ଅତି-ଉତ୍ତପ୍ତ ଉପାଦାନର ବଳୟ ରହିଛି, ଯାହା ଭିତର ଆଡ଼କୁ ଘୂରୁଛି ଏବଂ ତା’ର ଆହୁରି ଦୂରରେ ଆଉ ଏକ ଡୋନଟ୍ ଆକୃତିର ଗ୍ୟାସ୍ ଓ ଧୂଳିର ବଳୟ ରହିଛି, ଯାହାକୁ ଟୋରସ୍ କୁହାଯାଏ । ଏହି ସମଗ୍ର ପ୍ରଣାଳୀ ବିକିରଣରେ ପରିପୂର୍ଣ୍ଣ ଏବଂ ଏଥିରେ ବିପୁଳ ମାଧ୍ୟାକର୍ଷଣ ଶକ୍ତି କାମ କରେ । କିନ୍ତୁ ଗବେଷକମାନେ କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ଲକ୍ଷ୍ୟ କଲେ । ବ୍ଲାକ୍ହୋଲଠୁ ଯଥେଷ୍ଟ ଦୂରରେ ଥିବା ଟୋରସ୍ର ବାହ୍ୟ ଅଂଶ ଧୂଳିକଣାକୁ ଘନ ହେବାକୁ ଓ ବାନ୍ଧି ରଖିବାକୁ ବାସ୍ତବରେ ଯଥେଷ୍ଟ ଥଣ୍ଡା । ସେଠାରେ ତାପମାତ୍ରା ନୂଆ ନକ୍ଷତ୍ର ଚତୁଃପାର୍ଶ୍ୱରେ ଗ୍ରହ-ସୃଷ୍ଟିକାରୀ ବଳୟର ତାପମାତ୍ରା ସହ ତୁଳନୀୟ । ମୂଳ ଉପାଦାନ ସମାନ, କିନ୍ତୁ ଚତୁଃପାର୍ଶ୍ୱ ଅତ୍ୟନ୍ତ ଭିନ୍ନ ।
ଆହୁରି ପଢ଼ନ୍ତୁ...South Korean women live 90 years: ଦକ୍ଷିଣ କୋରିଆର ମାଇଲଖୁଣ୍ଟ, ହାରାହାରି ୯୦ ବର୍ଷ ବଞ୍ଚିବେ ମହିଳା