ନୂଆଦିଲ୍ଲୀ ୦୬/୦୬: ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହା ନିଜ ନିଜର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ପାଇଁ ପରିଚିତ । ଯେମିତିକି ଆମେରିକାର ମିନିଆପୋଲିସ୍‌ରେ ଅବସ୍ଥିତ ଅର୍ଫିଲ୍ଡ ଲାବୋରେଟୋରି । ଏହି ସ୍ଥାନଟି ଏତେ ନିରୋଳା, ନିସ୍ତବ୍ଧ ଯେ ସାମାନ୍ୟରୁ ଅତି ସାମାନ୍ୟ ଶବ୍ଦ ବି ସ୍ପଷ୍ଟ ଶୁଣାଯାଏ । ଏହି ଲାବୋରେଟୋରିକୁ ସେପରି ଭାବେ ତିଆରି କରାଯାଇଛି ଯାହାଦ୍ୱାରା ହୃତ୍‌ସ୍ପନ୍ଦନ, ରକ୍ତଚାଳନ ଏପରିକି ଆଖି ପତା ପକାଇଲେ ବି ଶୁଣାଯିବ । ଏହି ପରୀକ୍ଷାଗାରକୁ ଦୁନିଆର ସବୁଠାରୁ ନିଃଶବ୍ଦ ସ୍ଥାନ ବୋଲି କୁହାଯାଏ । ଏଠାରେ ଶବ୍ଦର ସ୍ତର ବିଯୁକ୍ତ ୨୪.୯ ଡେସିବଲ୍‌ ରେକର୍ଡ କରାଯାଇଛି । ଏହି ପରୀକ୍ଷାଗାର କେବଳ ଏକ କୋଠରୀରେ ସୀମିତ ନୁହେଁ । ଏହା ଆଧୁନିକ ଇଞ୍ଜିନିୟରିଂର ଏକ ଅତ୍ୟାଧୁନିକ ଉଦାହରଣ । ଏଠାରେ ଲାବୋରେଟୋରି ଭିତରେ ଆହୁରି ଗୋଟିଏ କୋଠରୀ ନିର୍ମାଣ କରାଯାଇଛି ଏବଂ ଏହା ଷ୍ଟିଲ୍‌ ଓ କଂକ୍ରିଟ୍‌ର ଅତି ବହଳିଆ ଆବରଣରେ ଘେରା । ସଂପୂର୍ଣ୍ଣ ସଂରଚନା ଏପରି ଭାବେ ହୋଇଛି ଯାହାଦ୍ୱାରା ଏଠାରେ କୌଣସି ପ୍ରକାର କମ୍ପନ ସୃଷ୍ଟି ହେବ ନାହିଁ । ଏହି କୋଠରୀର କାନ୍ଥରେ ମୋଟା ଫାଇବର୍‌ ଗ୍ଲାସ୍‌ ଲାଗିଛି ଯାହା ୯୯.୯୯ପ୍ରତିଶତ ଶବ୍ଦ ପ୍ରତିରୋଧୀ ।

ଏହି କୋଠରୀ ଭିତରେ ବାହାରୁ ଆସୁଥିବା କୌଣସି ଶବ୍ଦ ଶୁଣାଯାଉନଥିବାରୁ ଏହା ଭିତରେ ବିଚିତ୍ର ଅନୁଭୂତି ହୋଇଥାଏ । ଲୋକମାନେ ନିଜ ଶରୀର ଆଭ୍ୟନ୍ତରରେ ହେଉଥିବା ଶବ୍ଦ ବି ଭଲ ଭାବେ ଶୁଣିପାରନ୍ତି । ତେବେ ଏହି କୋଠରୀ ଭିତରେ ଲୋକମାନେ ଅତି ବେଶିରେ ୪୫ ମିନିଟରୁ ଅଧିକ ସମୟ ରହିପାରନ୍ତି ନାହିଁ । ଚାରିପାର୍ଶ୍ୱରେ କୌଣସି ପ୍ରକାର ଶବ୍ଦ ହେଉନଥିବାରୁ ମସ୍ତିଷ୍କ ନିଜର ଦିଗ ନିୟନ୍ତ୍ରଣ କରିବାର କ୍ଷମତା ହରାଇବସେ ।

​​​​​​​

କିଛି ଲୋକଙ୍କର ମୁଣ୍ଡ ବୁଲାଇବା ଆରମ୍ଭ ହୋଇଯାଏ ତ ଆଉ କେତେକଙ୍କଠାରେ ଚଲାବୁଲା କରିବାର ଶକ୍ତି ହ୍ରାସ ପାଇବା ଆରମ୍ଭ କରେ । ମୋଟ ଉପରେ ଏହି ଲାବୋରେଟୋରିରେ ଅଧିକ ସମୟ ରହିଲେ ମଣିଷ ନିଜ ଉପରୁ ସନ୍ତୁଳନ ହରାଇବସେ । ଏହି କୋଠରୀ କାହାକୁ ଦଣ୍ଡ ଦେବାର ଉପଯୁକ୍ତ ସ୍ଥାନ ବୋଲି ମନେ ହେଉଥିଲେ ବି ଏହା ତିଆରି କରିବା ପଛରେ ନାନାବିଧ ଉଦ୍ଦେଶ୍ୟ ଥିଲା । ଅନେକ କମ୍ପାନି ନିଜ ନିଜର ଉତ୍ପାଦର ଶବ୍ଦର ସ୍ତର ଯାଞ୍ଚ କରିବା ପାଇଁ ଏହି ଲାବୋରେଟୋରିର ଉପଯୋଗ କରନ୍ତି । ମୋଟର ସାଇକେଲ୍‌ରୁ ନେଇ ସ୍ମାର୍ଟଫୋନ୍‌ ପର୍ଯ୍ୟନ୍ତ ଅନେକ ଉତ୍ପାଦର ଶବ୍ଦ ସ୍ତର ଯାଞ୍ଚ ହୋଇଥାଏ ଏହି ସ୍ଥାନରେ । ଏହି ଲାବୋରେଟୋରିରେ ଶ୍ରବଣ ଯନ୍ତ୍ରର ପରୀକ୍ଷଣ ମଧ୍ୟ କରାଯାଇଥାଏ ।

ଆହୁରି ପଢ଼ନ୍ତୁ...Water Hyacinth : ଟେରର ଅଫ୍ ବେଙ୍ଗଲ ୱାଟର ହାଇସିନ୍ଥ, ଭାରତୀୟ ନଦୀକୁ କରିସାରିଲାଣି ହାଇଜ୍ୟାକ୍