ଭୁବନେଶ୍ବର,୧୫।୬ : ଦୁଇ ଦିନର ବ୍ୟବଧାନ ପରେ ପୁଣି ଓଡ଼ିଶାରେ ସକ୍ରିୟ ହୋଇଛି ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ । ସୋମବାର ଉପକୂଳ ସହ ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଛୁଇଁଛି ମୌସୁମୀ। ସେହିଭଳି ଆଗାମୀ ୪ରୁ ୫ ଦିନ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ ବଜ୍ରପାତ ଓ ପବନ ଆଶଙ୍କା ରହିଛି। ଏନେଇ ସତର୍କ କରିଛନ୍ତି ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି।
ବର୍ତ୍ତମାନ ମୌସୁମୀ ଉତ୍ତର ସୀମା ହର୍ନାଇ, ସୋଲାପୁର, ହାଇଦ୍ରାବାଦ, ଭଦ୍ରାଦ୍ରି କୋଠାଗୁଡେମ୍, କଳିଙ୍ଗପାଟନମ୍, ପାରାଦୀପ, ବାରିପଦା, ପୁରୁଲିଆ, ଧାନବାଦ ଓ ମୁଜାଫରପୁର ଦେଇ ଗତି କରୁଛି। ଆଗାମୀ ୪-୫ ଦିନରେ ମୌସୁମୀ ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶାର ଆହୁରି ଅନେକ ଅଞ୍ଚଳ, ଝାଡ଼ଖଣ୍ଡ, ବିହାର ଏବଂ ଦକ୍ଷିଣ ଛତିଶଗଡ଼କୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି।
ସେହିଭଳି ଦକ୍ଷିଣ ଉପକୂଳ ଓଡ଼ିଶା ଓ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ନିକଟରେ ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚତାରେ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଗତ ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଏବଂ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଛି। ଖୋର୍ଦ୍ଧା, କଟକ, ଢେଙ୍କାନାଳ ଓ ଯାଜପୁରର ଗୋଟିଏ-ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ସର୍ବାଧିକ ବର୍ଷା ବୋଲଗଡ଼ରେ ରେକର୍ଡ ହୋଇଛି।
ରବିବାର ବଜ୍ରପାତ ଯୋଗୁ ରାଜ୍ୟରେ ୭ ଜଣଙ୍କ ମୃତ୍ୟୁ ହୋଇଛି ଓ ୨ ଜଣ ଆହତ ହୋଇଛନ୍ତି। କଟକରେ ୩, ସୋନପୁର, ବୌଦ୍ଧ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।ସର୍ବାଧିକ ତାପମାତ୍ରା ବୌଦ୍ଧରେ ୪୨.୮ ଡିଗ୍ରୀ ଓ ସର୍ବନିମ୍ନ ଫୁଲବାଣୀରେ ୨୧.୫ ଡିଗ୍ରୀ ରେକର୍ଡ ହୋଇଛି।
କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ବଜ୍ରପାତ ସହ ୫୦ରୁ ୬୦ କିମି ବେଗରେ ପବନ ଓ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ଆହୁରି ପଢନ୍ତୁ : ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଅଘଟଣ ; ରିପ୍ କରେଣ୍ଟରେ ପଡ଼ି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ