ପୁରୀ, ୧୫।୬ : ପୁଣି ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଅଘଟଣ। ବ୍ଲୁ ଫ୍ଲାଗ ବିଚ୍ ରେ ସ୍ନାନ କରୁଥିବା ବେଳେ ଘଟିଛି ଅଘଟଣ। ରିପ୍ କରେଣ୍ଟରେ ପଡ଼ି ଜଣେ ନାବାଳକ ପର୍ଯ୍ୟଟକର ଚାଲିଯାଇଛି ଜୀବନ। ମୃତ ପର୍ଯ୍ୟଟକ ଜଣକ ହେଲେ ଛତିଶଗଡ଼ର ପିୟୁଷ କୁମାର। ଅଗ୍ନିଶମ ବିଭାଗ କର୍ମଚାରୀ ଓ ଲାଇଫ ଗାର୍ଡ ମୃତଦେହ ଉଦ୍ଧାର କରି ପୁରୀ ହସ୍ପିଟାଲ କୁ ପଠାଇଛନ୍ତି।
ସୋମବାର ଅପରାହ୍ନରେ ବ୍ଲୁ ଫ୍ଲାଗ ବିଚ୍ ରେ ପିୟୁଷ ସ୍ନାନ କରୁଥିଲେ। ଏକ ବଡ଼ ଲହଡ଼ି ଆସିବାରୁ ପିୟୁଷ ରିପ୍ କରେଣ୍ଟରେ ପଡ଼ି ସମୁଦ୍ର ଭିତରକୁ ଭାସି ଯାଇଥିଲେ। ପରିବାର ଲୋକେ ଚିତ୍କାର କରିବା ପରେ ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ତୁରନ୍ତ ସମୁଦ୍ର ଭିତରକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ। ପରେ ପୁରୀ ହସ୍ପିଟାଲକୁ ପଠାଯାଇଥିଲା। ତେବେ ହସ୍ପିଟାଲରେ ନାବାଳକକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି। ପୁଅର ମୃତ୍ୟୁକୁ ପରିବାର ଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।