ଭୁବନେଶ୍ୱର, ୦୯/୦୬: ରାଜଧାନୀରୁ ରାଜ୍ୟ ବାହାରକୁ ଯୁବତୀ ଚାଲାଣ ରାକେଟର ପର୍ଦ୍ଦାଫାଶ ହୋଇଛି । ସୋମବାର ରାତିରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଜଣେ ନାବାଳିକାଙ୍କ ସମେତ ୨ଜଣ ଯୁବତୀଙ୍କୁ ଫାଣ୍ଡି ପୁଲିସ ଉଦ୍ଧାର କରିଛି । କିଛି ଏନ୍ଜିଓ କର୍ମଚାରୀ ଏହି ଯୁବତୀମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରିବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ହୋଇଛି ।
୧୬ ନମ୍ବର ଏନ୍ଏଚ୍ର ବରମୁଣ୍ଡା ଓଭରବ୍ରିଜ କଡ଼ ସର୍ଭିସ ରୋଡରେ ରାତି ପ୍ରାୟ ୧୧ଟା ବେଳେ ଯୁବତୀମାନେ ବସକୁ ଅପେକ୍ଷା କରିଥିଲେ । ସେମାନଙ୍କ ଆଖପାଖରେ ଦଲାଲ ରୂପୀ ଏନ୍ଜିଓ କର୍ମଚାରୀ ବୁଲୁଥିବାରୁ କାହାରିକୁ କିଛି କହି ପାରୁନଥିଲେ । ଜଣେ ଯୁବତୀ ଶୌଚାଳୟ ଯିବା ବାହାନାରେ ବସଷ୍ଟାଣ୍ଡ ଗେଟ୍ରେ ଜଗିଥିବା ସୁରକ୍ଷାକର୍ମୀଙ୍କୁ ସବୁ କଥା ଜଣାଇଥିଲେ । ସୁରକ୍ଷାକର୍ମୀମାନେ ଯୁବତୀଙ୍କୁ ଉଦ୍ଧାର କରି ବସଷ୍ଟାଣ୍ଡ ଫାଣ୍ଡି ପୁଲିସ ଜିମା ଦେଇଛନ୍ତି । ପୁଲିସ ଯୁବତୀମାନଙ୍କୁ ପଚରାଉଚରା କରିଛି । ସର୍ଟ ଷ୍ଟେ ହୋମ୍ରେ ସେମାନଙ୍କୁ ଛଡ଼ାଯାଇଛି । ବସଷ୍ଟାଣ୍ଡରୁ ଦଲାଲମାନେ ଖସିଯିବାକୁ ସକ୍ଷମ ହୋଇଛନ୍ତି । ପୁଲିସ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିଛି । ଯୁବତୀମାନଙ୍କୁ ଚାକିରି ଦେବା ବାହାନାରେ ଅନ୍ୟତ୍ର ଚାଲାଣ କରାଯାଉଥିବା ପୁଲିସ ସନ୍ଦେହ କରୁଛି ।