- ଟ୍ରମ୍ପଙ୍କ ଶାନ୍ତି ବୋର୍ଡକୁ ନେଇ ଚର୍ଚ୍ଚା ଜୋର
- ଏହି ବୋର୍ଡର ଆବଶ୍ୟକତା ନାହିଁ କହିଲା ସ୍ପେନ୍
- ଅନେକ ଦେଶ ଏଥିରେ ସାମିଲ ହୋଇ ନାହାନ୍ତି
ନୂଆଦିଲ୍ଲୀ : ନାଟୋର ସହଯୋଗୀ ଦେଶ ସ୍ପେନ୍ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସେହି ପ୍ରସ୍ତାବକୁ ଏଡେଇ ଦେଇଛନ୍ତି, ଯେଉଁଥିରେ ସେ ଏହି ଦକ୍ଷିଣୀ-ପଶ୍ଚିମୀ ୟୁରୋପୀୟ ଦେଶକୁ ବୋର୍ଡ ଅଫ୍ ପିସ୍ରେ ସାମିଲ ହେବାର ନିମନ୍ତ୍ରଣ ପଠାଇ ଥିଲେ। ସ୍ପେନ୍ ସ୍ପଷ୍ଟ ଭାବେ କହି ଦେଇଛି ଯେ, ତାକୁ ଏହି ବୋର୍ଡର ଆବଶ୍ୟକତା ନାହିଁ ,କାହିଁକି ନା ଏବେ ବି ଅନ୍ତର୍ଜାତୀୟ ସଂଗଠନ ସଂଯୁକ୍ତ ରାଷ୍ଟ୍ର (ୟୁଏନ)ରେ ତାଙ୍କର ଭରସା ବଜାୟ ରହିଛି। ଟ୍ରମ୍ପଙ୍କ ପ୍ରୟାସରେ ଆରମ୍ଭ କରାଯାଇ ଥିବା , ବୋର୍ଡ ଅଫ୍ ପିସ୍’ରେ ସାମିଲ ନହେବା ପ୍ରସଙ୍ଗରେ ସ୍ପେନ ସରକାର କହିଛନ୍ତି ଯେ, ଏହି ନିଷ୍ପତ୍ତି ସଂଯୁକ୍ତ ରାଷ୍ଟ୍ର (ୟୁଏନ) , ଅନ୍ତର୍ଜାତୀୟ ଆଇନ ଓ ବହୁପକ୍ଷୀୟ ବ୍ୟବସ୍ଥା ପ୍ରତି ଏହାର ପ୍ରତିବଦ୍ଧତାର ଅନୁରୂପ।
ୟୁରୋପୀୟ ସଂଘ ( ଇୟୁ)ଶିଖର ସମ୍ମିଳନୀ ପରେ ବ୍ରୁସେଲ୍ସରେ ସାମ୍ୱାଦିକଙ୍କ ସହ କଥା ହୋଇ ସ୍ପେନ୍ର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ କହିଥିଲେ –ଆମେ ନିମନ୍ତ୍ରଣର ପ୍ରଶଂସା କରୁଛୁ , କିନ୍ତୁ ଆମେ ଏହାକୁ ସ୍ୱୀକାର କରି ପାରିବୁ ନାହିଁ। ପେଡ୍ରୋ ସାଞ୍ଚେଜ୍ କହିଛନ୍ତି ଯେ, ଏହି ନିଷ୍ପତ୍ତି ବହୁପକ୍ଷବାଦୀ ଓ ସଂଯୁକ୍ତ ରାଷ୍ଟ୍ର ପ୍ରଣାଳୀ ପ୍ରତି ତାଙ୍କର ପ୍ରତିଦ୍ଧତାର ଅନୁରୂପ।
ସ୍ପେନ୍ ବିଶ୍ୱାସ ଯେ, ଅନ୍ତର୍ଜାତୀୟ ସଂଘର୍ଷକୁ ସ୍ଥାପିତ ବୈଶ୍ୱିକ ଢାଞ୍ଚା(ଯେମିତି ୟୁଏନ)ର ମାଧ୍ୟମରେ ହିଁ ସମାଧାନ କରିବା ଉଚିତ୍। ସାଞ୍ଚେଜ୍ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସ୍ପେନ୍ ଏହି ବୋର୍ଡର ସଦସ୍ୟ ଏଥିପାଇଁ ହେଉ ନାହିଁ , କାରଣ ଏଥିରେ ପାଲେଷ୍ଟାଇନ ପ୍ରାଧିକରଣକୁ ସାମିଲ କରାଯାଇ ନାହିଁ। ସ୍ପେନ୍ର କହିବା ହେଲା ଯେ, ତାଙ୍କର ଆଭିମୁଖ୍ୟ ଅନ୍ତର୍ଜାତୀୟ ଆଇନ ଓ ଏକ ନ୍ୟାୟସଙ୍ଗତ ‘ଟୁ-ଷ୍ଟେଟ୍ ସଲ୍ୟୁସନ’ର ସମର୍ଥନ ଉପରେ ଆଧାରିତ।
ସବୁଠୁ ବଡ଼ କଥା ଏହା ଯେ, ଶାନ୍ତି ବୋର୍ଡର ଲଞ୍ଚ କାର୍ଯ୍ୟକ୍ରମରେ କାନାଡା , ବ୍ରିଟେନ ଓ ୟୁରୋପୀୟ ସଂଘର ପାଖାପାଖି ସବୁ ଦେଶ ସାମିଲ ହୋଇ ନାହାନ୍ତି। ଇୟୁ ପକ୍ଷରୁ କେବଳ ହଙ୍ଗେରୀ ଓ ବୁଲଗେରିଆ ଏଥିରେ ସଦସ୍ୟ ଅଛନ୍ତି। ଏଥିରେ ଏହି ପ୍ରୟାସକୁ ନେଇ ୟୁରୋପରେ ସନ୍ଦେହ ଓ ଅସହମତିର ସଙ୍କେତ ମିଳିଛି। ହେଲେ ‘ବୋର୍ଡ ଅଫ୍ ପିସ୍’ରେ ପାକିସ୍ତାନ ,ଇସ୍ରାଏଲ , କତାର , ସାଉଦୀ ଆରବ,ସଂଯୁକ୍ତ ଆରବ ଏମିରେଟ୍ ଭଳି ଆଉ କିଛି ପଶ୍ଚିମ ଏସିଆର ଦେଶ ସାମିଲ ଅଛନ୍ତି। ହେଲେ ସ୍ପେନର ଏହି ନିଷ୍ପତ୍ତି ଦର୍ଶାଉଛି ଯେ, ଟ୍ରମ୍ପ ପ୍ରଶାସନର ଏହି ନୂଆ ଶାନ୍ତି ପ୍ରୟାସକୁ ନେଇ ପୂରା ଦୁନିଆ ଏକମତ ନୁହେଁ।