ଭୁବନେଶ୍ୱର,୨୨/୦୫ : ବାଲିଅନ୍ତା ଭିଡ଼ ହିଂସାକୁ ନିୟନ୍ତ୍ରଣ କରିବାରେ ପୁଲିସ ଫେଲ୍ ମାରିଲା । ଜିଆର୍ପି କନଷ୍ଟେବଳ ସୌମ୍ୟରଞ୍ଜନଙ୍କୁ ପିଟିପିଟି ମାରିଦେଲେ ଲୋକେ । ଏହି ବର୍ବରକାଣ୍ଡ ପରେ ପୁଲିସ ଚେତିଛି । ବାଲିଅନ୍ତା ଘଟଣାର ପୁନରାବୃଦ୍ଧି ନ ହେବା ପାଇଁ ପୁଲିସ ଏକ ସ୍ୱତନ୍ତ୍ର ଫୋର୍ସ ଗଢ଼ିଛି । ଏହି ଫୋର୍ସର କମାଣ୍ଡୋମାନେ ଏଣିକି ଭିଡ଼ ହିଂସା ଓ ଦଙ୍ଗାକୁ ନିୟନ୍ତ୍ରଣ କରିବେ । ସ୍ପେଶାଲ ଟାକ୍ଟିକାଲ ୟୁନିଟ୍(ଏସ୍ଟିୟୁ) ଓ ସ୍ପେଶାଲ ଟାକ୍ଟିକାଲ ଗ୍ରୁପ୍(ଏସ୍ଟିଜି)କୁ ନେଇ ଏହି ସ୍ୱତନ୍ତ୍ର ଫୋର୍ସ ଗଢ଼ାଯାଇଛି । ଏସଟିୟୁ ଓ ଏସଟିଜିରେ ପ୍ରାୟ ୩୦ଜଣ ଲେଖାଏଁ କମାଣ୍ଡୋ ଅଛନ୍ତି। ସେମାନଙ୍କୁ ଅର୍ବାନ କମାଣ୍ଡୋ କୁହାଯାଉଛି। ଏମାନେ ଚନ୍ଦକାସ୍ଥିତ (ଏସ୍ଓଜି) କ୍ୟାମ୍ପରୁ ଟ୍ରେନିଂ ନେଇଛନ୍ତି । ସହରାଞ୍ଚଳରେ ଯେକୌଣସି ପ୍ରକାର ଆତଙ୍କୀ ହମଲାକୁ ପ୍ରତିହତ କରିବାରେ ଏମାନେ ସିଦ୍ଧହସ୍ତ ।

ଏହି ୨ଟି ଟିମର ଅର୍ବାନ କମାଣ୍ଡୋମାନେ ବିଧାନସଭା ଅଧିବେଶନ ବେଳେ ସୁରକ୍ଷା ପାଇଁ ଖୋଜାପଡ଼ନ୍ତି । ସହରକୁ କୌଣସି ଭିଭିଆଇପିଙ୍କ ଗସ୍ତ ରହିଲେ, ସେମାନଙ୍କ ସୁରକ୍ଷା ପାଇଁ ଏମାନେ ନିୟୋଜିତ ହୁଅନ୍ତି । ସହରରେ ବଡ଼ ରାଜନୈତିକ ସମାବେଶ ବେଳେ ଆତଙ୍କୀ ହମଲା ରୋକିବା ପାଇଁ କମାଣ୍ଡୋମାନେ ସଜାଗ ଥାଆନ୍ତି । ବିମାନବନ୍ଦରରେ ହାଇଆଲର୍ଟ ବେଳେ ମଧ୍ୟ ନିୟୋଜିତ ହୁଅନ୍ତି । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ, କୌଣସି ଜାଗାରେ ଭିଡ଼ ହିଂସା ଘଟିଲେ, ଇଆରସସ୍ଏସର ଗାଡି କିମ୍ବା ପିସିଆର୍ ଭ୍ୟାନ୍ କର୍ମଚାରୀମାନେ ପ୍ରଥମେ ସେଠାର ପହଞ୍ଚିଥାନ୍ତି । କିନ୍ତୁ ବାଲିଅନ୍ତାର ଭିଡ଼ ହିଂସା ବେଳେ ଉତ୍ତେଜନାମୂଳକ ସ୍ଥିତିକୁ ଆୟତ୍ତ କରିବାରେ ପିସିଆର କର୍ମଚାରୀ ବିଫଳ ହୋଇଥିଲେ । ଯେଉଁଥିପାଇଁ ପୁଲିସର ଛବି ମଳିନ ପଡ଼ିଥିଲା । ଏସବୁ ଘଟଣାର ପୁନରାବୃତ୍ତି ନ ହେବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଏଭଳି ଜରୁରୀ ସ୍ଥିତିରେ କମାଣ୍ଡୋମାନେ କେମିତି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବେ, ସେନେଇ ତାଲିମ୍ ଦିଆଯାଇଛି । ଆଗକୁ ସିଆଇଏସ୍ଏଫ୍ କିମ୍ବା ଅନ୍ୟ ଏଜେନ୍ସି ଆଗାମୀ ଦିନରେ କମାଣ୍ଡୋମାନଙ୍କୁ ତାଲିମ୍ ଦେବେ।

ଏହି ଖବରଟିକୁ ପଢନ୍ତୁSIR Update: ଭୋଟର ତାଲିକା ସଂଶୋଧନ ପାଇଁ ସବୁ ଜିଲ୍ଲାରେ ଖୋଲିବ ହେଲ୍ପଡେସ୍କ, ଉପକୃତ ହେବେ ପ୍ରବାସୀ, ବୃଦ୍ଧ ଓ ଦିବ୍ୟାଙ୍ଗ