କଟକ,୨୮/୦୯: ଇନ୍ସର୍ଭିସ୍ ଶିକ୍ଷକମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍ ଓଟିଇଟି) ଶନିବାର ଶେଷ ହୋଇଛି । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଦ୍ୱାରା ପରିଚାଳିତ ଏହି ପରୀକ୍ଷା ୩୦ଟି ଜିଲ୍ଲାର ୧୯୩ଟି କେନ୍ଦ୍ରରେ ହୋଇଥିଲା । ଦୁଇଟି ଯାକ ପେପର୍ ପାଇଁ ଆବେଦନକାରୀ ୭୫ ହଜାର ୪୦୩ ଜଣଙ୍କ ମଧ୍ୟରୁ ୭୨ ହଜାର ୪୦୩ ଜଣ ପରୀକ୍ଷା ଦେଇଥିଲେ । ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି ପରୀକ୍ଷାରେ ପ୍ରଥମ ପେପର ପାଇଁ ଆବେଦନକାରୀ ୨୯ ହଜାର ୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୭ ହଜାର ୫୮୦ ଜଣ ପରୀକ୍ଷା ଦେଇଥିଲେ । ୧୪୨୪ ଜଣ ଅନୁପସ୍ଥିତ ଥିଲେ ।
ସେହିପରି ପେପର-୨ ପରୀକ୍ଷା ପାଇଁ ୪୬ ହଜାର ୩୯୯ ଶିକ୍ଷକଙ୍କ ମଧ୍ୟରୁ ୧୫୭୬ ଜଣ ଅନୁପସ୍ଥିତ ଥିଲେ । ପରୀକ୍ଷାରେ କୌଣସିଠାରେ ବିଭ୍ରାଟ ହୋଇ ନଥିବା ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ପ୍ରଥମ ପେପରରେ ପ୍ରଶ୍ନ ଜଟିଳ ଥିବା ଶିକ୍ଷକମାନେ କହିଛନ୍ତି । କିଛି ନିର୍ଦ୍ଦିଷ୍ଟ ପ୍ରଶ୍ନକୁ ନେଇ ପରୀକ୍ଷାର୍ଥୀ ଆପତ୍ତି ଉଠାଇଥିବା ବେଳେ ଏ ସମ୍ପର୍କରେ କେତେକ ଶିକ୍ଷକ ବୋର୍ଡ କାର୍ଯ୍ୟାଳୟରେ ଖୁବ୍ ଶୀଘ୍ର ଲିଖିତ ଭାବେ ଜଣାଇବେ ବୋଲି କହିଛନ୍ତି । ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ଟାରୁ ଦିନ ୧୧ଟା ୩୦ ମିନିଟ୍ ଯାଏ ଓ ପେପର-୨ ପରୀକ୍ଷା ଅପରାହ୍ନ ୨ଟାରୁ ୪ଟା ୩୦ ମିନିଟ୍ ଯାଏ ହୋଇଥିଲା । ଓଏମ୍ଆର୍ ସିଟ୍ ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚାଇବା ପାଇଁ ୩୨ଟି ଡେସ୍ପାଚ୍ ଟିମ୍ ରହିଛି । ଆସନ୍ତା ଦୁଇ ଦିନ ମଧ୍ୟରେ କେନ୍ଦ୍ରରୁ ଓଏମ୍ଆର୍ ସିଟ୍ ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିବ । ଡେସ୍ପାଚ୍ ଟିମ୍ ଜିପିଏସ୍ ଟ୍ରାକିଂରେ ରହିଛନ୍ତି । ପ୍ରତି ଟିମ୍ରେ ଦୁଇ ଜଣ ବନ୍ଧୁକଧାରୀ ପୁଲିସ ନିୟୋଜିତ ଅଛନ୍ତି ।