ନୂଆଦିଲ୍ଲୀ, ୪।୩: ଇସ୍ରାଏଲ-ଇରାନ ମଧ୍ୟରେ ବଢୁଥିବା ଉତ୍ତେଜନା ଯୋଗୁଁ ମଧ୍ୟପ୍ରାଚ୍ୟର ଆକାଶପଥ ବନ୍ଦ ରହିଛି । ଏପରି ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ବିଦେଶରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ପାଇଁ ଆଶ୍ୱସ୍ତିକର ଖବର । ୟୁଏଇରେ ଫସି ରହିଥିବା ଶତାଧିକ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବା ପାଇଁ ଅଣ୍ଟା ଭିଡ଼ିଛି ଘରୋଇ ବିମାନ ସେବା ସଂସ୍ଥା ସ୍ପାଇସ୍ଜେଟ୍ । ଆଜି ଅର୍ଥାତ ୪ ମାର୍ଚ୍ଚରେ ସଂଯୁକ୍ତ ଆରବ ଏମିରେଟ୍ସ (UAE)ରୁ ଭାରତକୁ ୮ଟି ସ୍ୱତନ୍ତ୍ର ବିମାନ ଚଳାଚଳ କରିବା ନେଇ କମ୍ପାନୀ ଘୋଷଣା କରିଛି ।
କାହିଁକି ବାଧାପ୍ରାପ୍ତ ହୋଇଛି ବିମାନ ସେବା ?
ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସଂଘର୍ଷ ଯୋଗୁଁ ପଶ୍ଚିମ ଏସିଆର ଆକାଶ ମାର୍ଗକୁ ବନ୍ଦ କରିଦିଆଯାଇଛି । ଫଳରେ ସାଧାରଣ ବିମାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି ଏବଂ ହଜାର ହଜାର ଯାତ୍ରୀ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ସ୍ପାଇସଜେଟ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ୮ଟି ସ୍ୱତନ୍ତ୍ର ବିମାନ UAEର ଫୁଜୈରାରୁ ଭାରତର ବିଭିନ୍ନ ପ୍ରମୁଖ ସହରକୁ ଯାତ୍ରୀମାନଙ୍କୁ ନେଇ ଆସିବ । ୩ ମାର୍ଚ୍ଚରେ ଏୟାରଲାଇନ୍ ପକ୍ଷରୁ ପୂର୍ବରୁ ୪ଟି ସ୍ୱତନ୍ତ୍ର ବିମାନ ଚଲାଯାଇଥିଲା । ୪ ମାର୍ଚ୍ଚଠାରୁ ଫୁଜୈରା-ଦିଲ୍ଲୀ ଏବଂ ଫୁଜୈରା-ମୁମ୍ବାଇ ମଧ୍ୟରେ ନିୟମିତ ବିମାନ ସେବା ପୁନଃ କାର୍ଯ୍ୟକ୍ଷମ ହେବ ।
ଏହା ବି ପଢ଼ନ୍ତୁ... ଇରାନର ନୂଆ ସୁପ୍ରିମ ଲିଡରଙ୍କୁ ଶେଷ କରି ଦେବୁ,ଇସ୍ରାଏଲର ଖୋଲା ଧମକ
କୁଏତରେ ସଙ୍କଟରେ ୩୦୦ ଭାରତୀୟ:
ଅନ୍ୟପଟେ କୁଏତରେ ଫସି ରହିଥିବା ପ୍ରାୟ ୩୦୦ ଭାରତୀୟ ନାଗରିକଙ୍କ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ଏହି ସମସ୍ତ ଯାତ୍ରୀ ବର୍ତ୍ତମାନ କୁଏତର ହୋଟେଲ କ୍ରାଉନ୍ ପ୍ଲାଜାରେ ରହିଛନ୍ତି । ସେଠାରେ ଫସିଥିବା ଭାରତୀୟ ନାଗରିକ କଳ୍ପେଶ ସଞ୍ଜୟ ରାଠୀଙ୍କ କହିବା ଅନୁଯାୟୀ, ହୋଟେଲ ପରିଚାଳନା କମିଟି ସେମାନଙ୍କୁ କୌଣସି ପ୍ରକାର ସାହାଯ୍ୟ କରୁନାହିଁ । କୁଏତ ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ବା ଉଦ୍ଧାର ପାଇଁ ପ୍ରତିଶ୍ରୁତି ମିଳିନାହିଁ । ଫସିଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ମହାରାଷ୍ଟ୍ରର ବାସିନ୍ଦା । ସେମାନେ କୌଣସି କାମରେ କୁଏତରେ ପହଞ୍ଚିଥିଲେ । ସେଠାରେ ଫସିରହିଥିବା ଭାରତୀୟ ଯାତ୍ରୀ କହିଛନ୍ତି, "ଆମେ ଏଠାରେ ବହୁତ ଅସୁବିଧାରେ ଅଛୁ । ନା ହୋଟେଲ କର୍ତ୍ତୃପକ୍ଷ ଶୁଣୁଛନ୍ତି ନା ସ୍ଥାନୀୟ ପ୍ରଶାସନ । ଆମେ ଭାରତ ସରକାର ଏବଂ କୁଏତରେ ଥିବା ଭାରତୀୟ ଦୂତାବାସକୁ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରୁଛୁ ।" ଭାରତୀୟ ଦୂତାବାସ ଏହି ଘଟଣା ଉପରେ ନଜର ରଖିଛି ଏବଂ ଖୁବ୍ଶୀଘ୍ର ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଆଶା କରାଯାଉଛି ।