ମହାବୀର ଜୟନ୍ତୀର ପବିତ୍ର ଅବସରରେ, ମୁଁ ଭଗବାନ ମହାବୀରଙ୍କ ପ୍ରତି ମୋର ଗଭୀରତମ ସମ୍ମାନ ଜଣାଉଛି । ଆଜି ଆମେ ତାଙ୍କର ଜୟନ୍ତୀ ପାଳନ କରୁଛୁ । ଏହି ପ୍ରବନ୍ଧ ମାଧ୍ୟମରେ ମୁଁ ତାଙ୍କର ଶାଶ୍ୱତ ବାଣୀ ପ୍ରତି ମଧ୍ୟ ମୋର ଶ୍ରଦ୍ଧା ନିବେଦନ ଜ୍ଞାପନ କରୁଛି । ତାଙ୍କର ବାଣୀ ଶାନ୍ତି, କରୁଣା ଏବଂ ସତ୍ୟର ପଥରେ ପରିଚାଳିତ ହେବା ନିମନ୍ତେ ମାନବ ସମାଜକୁ ପଥ ପ୍ରଦର୍ଶନ କରିବ ।
ତାମିଲନାଡ଼ୁ ଏକ ଆଧ୍ୟାତ୍ମିକ ଭୂମି ଭାବରେ ଦୀର୍ଘଦିନରୁ ହିଁ ପରିଚିତ ହୋଇଆସିଛି । ପ୍ରାୟ ଏକହଜାର ବର୍ଷ ଧରି ଆଧ୍ୟାତ୍ମିକତା ଏବଂ ଦର୍ଶନର ଏକ ଉନ୍ନତ ଚିନ୍ତାଧାରା ଜାରି ରହିଆସିଛି ଏବଂ ତାହା ଏହି ପାବନ ଭୂମିରେ ବ୍ୟାପକ ମାତ୍ରାରେ ପ୍ରସାରିତ ହୋଇଛି । ଆମର ତାମିଲ ଭୂମି, ଯାହା ପ୍ରାଚୀନ ସଂସ୍କୃତିର ଏକ ଧାରାରେ ଭରପୂର, ଏକ ଗଭୀର ଆଧ୍ୟାତ୍ମିକ ସମାବେଶୀ ଭାବନାରେ ଉଦବୁଦ୍ଧ ଏବଂ ଅବିଶ୍ୱସନୀୟ ପ୍ରଜ୍ଞାରେ ସମାବିଷ୍ଟ, ସେଥିରେ ମୁକ୍ତ ହୃଦୟରେ ଏବଂ କୌଣସି ବାଛ ବିଚାର ବିନା ଏହା ସମସ୍ତ ଧର୍ମକୁ କେବଳ ଗ୍ରହଣ କରିନାହିଁ, ଏହାର ଉପଯୁକ୍ତ ଲାଳନପାଳନ ମଧ୍ୟ କରି ପୁଷ୍ଟ କରିଛି । ଏହି କାରଣରୁ ତାମିଲନାଡ଼ୁର ଲୋକମାନେ ଜୈନଧର୍ମକୁ ମଧ୍ୟ ସମ୍ମାନ ମର୍ଯ୍ୟାଦା ଓ ଆଗ୍ରହର ସହିତ ଗ୍ରହଣ କରିଛନ୍ତି, ଯାହାକି ବର୍ତ୍ତମାନର ବିହାର ରାଜ୍ୟରେ ଆଜିକୁ ହଜାର ହଜାର ବର୍ଷ ପୂର୍ବେ ଉତ୍ପତ୍ତି ଲାଭ କରିଥିଲା । ତାମିଲ ଲୋକମାନେ ସଦାବେଳେ ଆରମ(ସାଧୁତା)କୁ ଜୀବନର ମୂଳସୂତ୍ର ଭାବରେ ଗ୍ରହଣ କରିଆସିଛନ୍ତି ଏବଂ ଯେଉଁ ଧର୍ମ ଏହି ସାଧୁତାକୁ ପ୍ରାଧାନ୍ୟ ଦିଏ ତାହାକୁ ମଧ୍ୟ ସମାନ ଉତ୍ସୁକତାର ସହିତ ଆପଣାଇ ଆସିଛନ୍ତି । ଜୀବନ ଯେତେବେଳେ ଏଭଳି ସନ୍ତୁଳିତ ଆରମ(ପୁଣ୍ୟ), ପୋରୁଲ(ସଂପଦ) ଏବଂ ଇନବାମ(ଆନନ୍ଦ) ସନ୍ଧାନରେ ରହିଛି, ସେତେବେଳେ ଉଭୟ ସମ୍ପଦ ଏବଂ ସନ୍ତୁଷ୍ଟିକୁ ମଧ୍ୟ ସେହିଭଳି ସତ୍ୟପଥ ଅନୁସରଣ କରି ହାସଲ କରାଯାଇପାରିବ ବୋଲି ସେମାନଙ୍କ ମନରେ ଦୃଢ଼ ବିଶ୍ୱାସ ରହିଛି । "ଆରାଥୋଡୁ ନିତ୍ରାଲ'ର ଆଦର୍ଶ, ଅର୍ଥାତ୍ ସତ୍ୟର ପଥକୁ ଦୃଢ଼ତାର ସହିତ ଅନୁପାଳନ କରିବା ହେଉଛି ଜୀବନ ବ୍ୟାକରଣର ପ୍ରଥମ ସୂତ୍ର ।
ତାମିଲନାଡ଼ୁର ଜନସାଧାରଣ ସଦାବେଳେ ବିଶ୍ୱାସ କରନ୍ତି ଯେ ସତ୍ୟ ବିନା ସଂପଦ ପଛରେ ଧାଇଁବା ନିରର୍ଥକ ଏବଂ ସାଧୁତା ନଥାଇ ଆନନ୍ଦକୁ ଉପଭୋଗ କରିବା ମଧ୍ୟ ସମପରିମାଣରେ ଅସାର । ଏହାକୁ ସାମାଜିକ ସ୍ୱୀକୃତି ପ୍ରାପ୍ତ ହୋଇନଥାଏ କିମ୍ବା ନୈତିକତା ଦୃଷ୍ଟିରୁ ମଧ୍ୟ ଏହା ଗ୍ରହଣୀୟ ନୁହେଁ । ଯେତେବେଳେ ସମାଜରେ ଏଭଳି ବ୍ୟବସ୍ଥା ପ୍ରଚଳିତ ଥିଲା, ଲୋକମାନେ ଏହାକୁ ପରମ୍ପରା ଭାବରେ ଗ୍ରହଣ କରିଥିଲେ । ଆମର ସଭ୍ୟତା ଏହି ନିୟମ ପ୍ରଚଳନ କରିଛି ଯେ ଏପରିକି ସାହିତ୍ୟରେ ସୁଦ୍ଧା କୌଣସି ପ୍ରକାର ଅନୀତି ଆଚରଣକୁ କଦାପି ସ୍ୱୀକୃତି ପ୍ରାପ୍ତ ହେବନାହିଁ- ପ୍ରାଚୀନ ଗ୍ରନ୍ଥ "ଟୋଲକାପିୟମ'ରେ ଏହି ନୀତି ପ୍ରତିଫଳିତ ହୋଇଛି ।
ଭଗବାନ ମହାବୀର ଆମକୁ ତିନିଗାଟି ରତ୍ନ- ସଦ୍ ଆସ୍ଥା, ସଦ୍ ଜ୍ଞାନ ଏବଂ ସଦ୍ ଆଚରଣର ଶିକ୍ଷା ଦେଇଛି³ ଯାହାକି ହେଉଛି ଜୈନଧର୍ମର ମୂଳ ଆଧାର । ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ତାମିଲ ଲୋକମାନେ, ଯେଉଁମାନେ କି ଏହି ନୈତିକ ଆଦର୍ଶକୁ ଯୁଗ ଯୁଗ ଧରି ଅନୁପାଳନ କରିଆସୁଥିଲେ ସେମାନେ ଏହି ଆଦର୍ଶ ପରମ୍ପରାକୁ ଆଗ୍ରହର ସହିତ ଗ୍ରହଣ କରିଥିଲେ ଏବଂ ଏହାକୁ ପ୍ରସାରିତ କରିଥିଲେ, ଯାହାକି ଦେଶର ଉତ୍ତର ଦିଗରୁ ଆସିଥିଲା ।
ପ୍ରାଚୀନ ଭାରତ ସବୁଠାରୁ ମହାନ୍ ଆଧ୍ୟାତ୍ମିକ ପରମ୍ପରା ଭାବରେ, ଜୈନଧର୍ମ ଅହିଂସା, ତପ, ନିବୃତ୍ତି(ତ୍ୟାଗ)ର ନୈତିକ ଆଦର୍ଶ ଉପରେ ହିଁ ପର୍ଯ୍ୟବସିତ । ଭାଗବାନ ମହାବୀର ବାର ବର୍ଷର ଗଭୀର ତପତ୍ୟା ଏବଂ କୃଚ୍ଛ୍ର ଉପବାସ ମାଧ୍ୟମରେ ମାନବ ସମାଜର ଉତ୍ଥାନ ନିମନ୍ତେ ଯେଉଁ ବାର୍ତ୍ତା ମାନବ ସମାଜ ନିକଟରେ ଉପସ୍ଥାପନ କରିଥିଲେ ତାହା ଆଜି ସୁଦ୍ଧା ଜାଜ୍ୱଲ୍ୟମାନ । ତାଙ୍କର ସେହି ଆମର ବାର୍ତ୍ତା ଯେତିକି ସ୍ପଷ୍ଟ ସେତିକ ଅତୁଟ, ତାହା ହେଲା କେବଳ ସାଧୁତା (ସତ୍ୟନିଷ୍ଠତା) ଦ୍ୱାରା ହିଁ ସଂସାରଚକ୍ରରୁ ମୁକ୍ତି ପାଇବା ସମ୍ଭବ । ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ । ତେଣୁ ଏଥିରେ ତିଳେହେଲେ ସନ୍ଦେହ ନାହିଁ ଯେ ଜୈନଧର୍ମ ସଦାବେଳେ ଦାନ ଉପରେ ଅଧିକ ପ୍ରାଧାନ୍ୟ ଦେଇଥାଏ, ଯାହାକି ତାମିଲ ଲୋକମାନଙ୍କ ମନରେ ସଦାବେଳେ ଗଭୀରତମ ପ୍ରଦେଶରେ ଚିରନ୍ତନ ଭାବରେ ରହିଆସିଛି ଏବଂ ଅନ୍ୟମାନଙ୍କ ପ୍ରତି ସେମାନଙ୍କ ମନରେ ତାହା ରହିଛି ।
ଜୈନଧର୍ମ ତାମିଲନାଡ଼ୁରେ ବ୍ୟାପକ ଭାବରେ ପ୍ରସାରିତ ହୋଇଥିଲା । ତାହାର କାରଣ ହେଉଛି ଏହାର ନୀତି ତାମିଲ ଲୋକମାନଙ୍କ ନିକଟରେ ଠିକ୍ଭାବରେ ପହଞ୍ଚିଥିଲା ଏବଂ ସେମାନେ ତାହାକୁ ହୃଦୟର ସହିତ ଗ୍ରହଣ କରିଥିଲେ । ଜୈନ ପଣ୍ଡିତମାନେ ଏହି କ୍ଷେତ୍ରର ବିଭିନ୍ନ ମାତୃଭାଷାରେ ସେମାନଙ୍କର ଶାସ୍ତ୍ରମାନ ରଚନା କରିଥିଲେ, ସେମାନଙ୍କର ଦର୍ଶନକୁ ସାଧାରଣ ଲୋକଙ୍କ ନିମନ୍ତେ ବୋଧଗମ୍ୟ ହେବା ନିମନ୍ତେ ପ୍ରୟାସ କରିଥିଲେ । ତାମିଲ ସାହିତ୍ୟକୁ ସେମାନଙ୍କର ବେଦାନ ବାସ୍ତବପକ୍ଷେ ଅସୀମ ଏବଂ ଅତୁଳନୀୟ ।
ପ୍ରାଚୀନ ତାମିଲ ସାହିତ୍ୟରେ ଜୈନ ଚିନ୍ତାଧାରାର ପ୍ରଭାବ ସ୍ପଷ୍ଟରୂପେ ପରିଲକ୍ଷିତ ହୋଇଥାଏ । ସଙ୍ଗମ ଯୁଗରେ "ପୁରାନାନୁରୁ'ରେ କବି ପକ୍କୁଡ଼ୁକ୍କାଇ ନାନକାନିୟାର ଦର୍ଶାଇଛନ୍ତି "ସଂସାର ହେଉଛି ଦୁଃଖ ଏବଂ ସୁଖର ଅକଳ୍ପନୀୟ ସମାହାର । ତଥାପି ଯେଉଁମାନେ ଏହାର ସ୍ୱାଭାବକୁ ବୁଝିପାରନ୍ତି, ସେମାନେ ଏହାର ମଧୁରତାକୁ ଉପଭୋଗ କରିପାରନ୍ତି' । ଏହା ଜୈନ ଦର୍ଶନକୁ ହିଁ ପ୍ରତିଫଳିତ କରେ ଯେ ଆନନ୍ଦ ଏବଂ ଦୁଃଖ ଜୀବନର ଏକ ସ୍ୱାଭାବିକ ଓ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ବାସ୍ତବ ଜ୍ଞାନ ହେଉଛି ଏହି ସତ୍ୟତାକୁ ସ୍ୱୀକାର କରିବା ।
ଅନୁରୂପ ଭାବରେ, କନିୟାନ ପୁଙ୍ଗୁନ୍ଦ୍ରନାରଙ୍କ ଦ୍ୱାରା ଲିଖିତ ମହାନ ଶ୍ଳୋକ "ୟାଦ୍ଧୁମ୍ ଓରେ, ୟାଭରମ୍ କେଲିର'ରେ ଏକ ଜାଗତିକ ଦର୍ଶନ ପ୍ରତିଫଳିତ ହୋଇଛି, ତାହା ହେଲା- ସଂସାରର ସମସ୍ତ ସ୍ଥାନ ତୁମ ନିଜର ଏବଂ ସବୁ ଲୋକ ତୁମର ଆତ୍ମୀୟ ଏବଂ ଅନ୍ୟମାନଙ୍କଠାରୁ କୌଣସି ସୁଖ କିମ୍ବା ଦୁଃଖର ଉତ୍ପତ୍ତି ଘଟିନଥାଏ ଏହା ତୁମ ନିଜ କର୍ମରୁ ହିଁ ଆକାର ନେଇଥାଏ । ଏଭଳି ପ୍ରଭାବୀ ଦର୍ଶନ ଓ ଚିନ୍ତାଧାରାର ମୂଳ ଆଧାର କର୍ମବାଦରେ ହିଁ ନିହିତ, ଯାହା ଜୈନ ଦର୍ଶନ ସହିତ ସମନ୍ୱୟ ରକ୍ଷାକରେ । ଏହି କାରଣରୁ କନିୟାର ପୁଙ୍ଗୁନ୍ଦ୍ରନାରଙ୍କୁ ଅଧିକାଂଶ ସମୟରେ ଜଣେ ଜୈନ ଦର୍ଶନରେ ବିଶ୍ୱାସୀ ବୋଲି ବିଶ୍ୱାସ କରାଯାଇଥାଏ ।
ତାମିଲ ସାହିତ୍ୟର କାଳଜୟୀ କୃତି ଯଥାଶିଳାପଧିକରମ୍, ଜୀବକ ଚିନ୍ତାମଣି, ବଲାୟାପଥି ଏବଂ ନଲାଦୀୟାର କାଳଜୟୀ କୃତି ଯାହାକି ତାମିଲ ସାହିତ୍ୟର ସୁଦୃଢ଼ ସ୍ତମ୍ଭ ଭାବରେ ଏହାର ଐତିହ୍ୟକୁ ପ୍ରତିପାଦିତ କରେ । ଏଥିରେ ଜୈନ ଚିନ୍ତାଧାରା ଏବଂ ନୈତିକ ଜ୍ଞାନର ଶାଶ୍ୱତ ବାର୍ତ୍ତା ନିହିତ ରହିଛି ।
ତାମିଲନାଡ଼ୁରେ ଜୈନବାଦର ପ୍ରସାର ପଛରେ ଏକ ସ୍ୱୀକୃତ ଐତିହାସିକ ପରମ୍ପରା ରହିଛି ବୋଲି ବିଶ୍ୱାସ କରାଯାଏ । ମହାନ ମୁନୀ ଭଦ୍ରବାହୁ ନିଜର ଆଧ୍ୟାତ୍ମିକ ଦୂରଦୃଷ୍ଟି ବଳରେ ଆକଳନ କରିପାରିଥିଲେ ଯେ ମଗଧରେ ବାରବର୍ଷ ପାଇଁ ଏକ ଭୟଙ୍କର ମରୁଡ଼ି ଘଟିବ । ଏହା ଜାଣିପାରି ସେ ୧୨,୦୦୦ ସନ୍ନ୍ୟାସୀଙ୍କୁ ସାଙ୍ଗରେ ଧରି ଦକ୍ଷିଣ ଦିଗକୁ ଯାତ୍ରା କରିଥିଲେ ଏବଂ ମରୁଡ଼ି ପ୍ରଭାବରୁ ଏହି ସାଧୁ ସନ୍ନ୍ୟାସୀମାନଙ୍କୁ ରକ୍ଷା କରିପାରିଥିଲେ । ତାଙ୍କ ସହିତ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ମଧ୍ୟ ଆସିଥିଲେ ବୋଲି ବିଶ୍ୱାସ କରାଯାଏ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନିଜର ରାଜପଦ ଛାଡ଼ି ମୁନିଙ୍କ ସହିତ ସନ୍ନ୍ୟାସୀ ଜୀବନ ବିତାଇବା ପାଇଁ ସିଦ୍ଧାନ୍ତ ଗ୍ରହଣ କରିଥିଲେ । ସେମାନେ ଆସି ପରିଶେଷରେ ବର୍ତ୍ତମାନର କର୍ଣ୍ଣାଟକର ଶ୍ରବଣବେଲାଗାଡା ଠାରେ ଅବସ୍ଥାନ କରିଥିଲେ ।
ସେଠାରୁ ମୁନି ଭଦ୍ରବାହୁ, ତାଙ୍କର ଶିଷ୍ୟ ବିଶାଖା ମୁନିବରଙ୍କୁ ଚୋଳ ଏବଂ ପାଣ୍ଡ୍ୟ ରାଜ୍ୟରେ ଜୈନଧର୍ମ ପ୍ରଚାର ପ୍ରସାର ନିମନ୍ତେ ପଠାଇଥିବା କୁହାଯାଏ । ଏହିସବୁ ଘଟଣାର ପ୍ରମାଣ ଆମେ ବୃହଦକଥା କୋଷ ଯାହାକି ହରିସେନଙ୍କ ଦ୍ୱାରା ରଚିତ ଏବଂ ଦେବଚନ୍ଦ୍ରଙ୍କ ରାଜାବଳୀ କାଥେରୁ ପାଇଥାଉ । ସେହିଭଳି ବ୍ରାହ୍ମି ଲିପିରେ ଲିଖିତ ପ୍ରସ୍ତର ଖୋଦେଇ ଯାହାକି ମଦୁରାଇ ଅଞ୍ଚଳରୁ ଆବିଷ୍କୃତ ହୋଇଛି ତାହା ମଧ୍ୟ ଏହି କଥାକୁ ପୁଷ୍ଟ କରେ । ଅପରପକ୍ଷରେ ଏହି ଜନଶ୍ରୁତି ପ୍ରାୟ ଦୁଇହଜାର ବର୍ଷ ଧରି ଲୋକମୁଖରେ ସୁଦ୍ଧା ସଂରକ୍ଷିତ ହୋଇ ରହିଛି ।
ଆଜି ସୁଦ୍ଧା ତାମିଲନାଡ଼ୁରେ ପ୍ରାୟ ତାମିଲ ଭାଷାଭାଷୀ ପ୍ରାୟ ଚାଳିଶ ହଜାରରୁ ଅଧିକ ଜୈନ ଧର୍ମାବଲମ୍ବୀ ଅଛନ୍ତି । ତେଣୁ ପ୍ରାଚୀନ ଐତିହ୍ୟକୁ ସୁରକ୍ଷା ପ୍ରଦାନ କରିବାର ଏକ ଜୀବନ୍ତ ସଂଯୋଗ ରହିଛି । ପ୍ରତ୍ନତାତ୍ତ୍ୱିକ ପ୍ରମାଣ ମଧ୍ୟ ଏ କଥାର ସୂଚନା ଦିଏ ଯେ ସିତାନ୍ନାଭସାଲ, ଥିରୁମଲାଇ ଏବଂ ଆରାଭକୁରିଚି ଠାରେ ଜୈନମାନଙ୍କ ଉପସ୍ଥିତି ପ୍ରାଚୀନ କାଳରେ ଥିଲା । ସେଠାରେ ଥିବା ଖୋଦିତ ଶିଳାଶଯ୍ୟାରୁ ଏଭଳି ପ୍ରମାଣ ଆମେ ପାଇଥାଉ । ଆଜିସୁଦ୍ଧା ସେଠାରେ ଥିବା ପ୍ରସ୍ତର ଖୋଦେଇ ଜୈନ ସନ୍ନ୍ୟାସୀମାନଙ୍କ ପ୍ରତିମୂର୍ତ୍ତି ମୂକସାକ୍ଷୀ ଭାବରେ ସେଠାରେ ବିଦ୍ୟମାନ ରହିଛି ।
କାଞ୍ଚିପୁରମ, ଯାହାକି ଦକ୍ଷିଣ-ଭାରତର କାଶୀ ଭାବରେ ସୁବିଖ୍ୟାତ, ତାହା ମୁଖ୍ୟତଃ ତିନିଗାଟି ଜିଲ୍ଲାରେ ବିଭାଜିତ । ସେଗୁଡ଼ିକ ହେଲା ଶିବ କାଞ୍ଚି, ବିଷ୍ଣୁ କାଞ୍ଚି ଏବଂ ଜୈନ କାଞ୍ଚି । ତୃତୀୟ ସ୍ଥାନଟି ଥିରୁପରୁିକୁନରମ୍ କ୍ଷେତ୍ରରେ ଅବସ୍ଥିତ ଯେଉଁଠାରେ ଭଗବାନ ମହାବୀର ଏବଂ ଭଗବାନ ଚନ୍ଦ୍ରପ୍ରଭାଙ୍କ ନିମନ୍ତେ ଅନେକ ମନ୍ଦିର ସେଠାରେ ରହିଛି । ସେହି କ୍ଷେତ୍ରରେ ଧର୍ମ, ଶିକ୍ଷାର ପ୍ରଚାର ଏବଂ ସାମାଜିକ ଉନ୍ନତି ନିମନ୍ତେ ଜୈନ ସନ୍ନ୍ୟାସୀମାନଙ୍କ ଉଲ୍ଲେଖନୀୟ ଅବଦାନ ରହିଛି । ଏହା କାଞ୍ଚିପୁରମକୁ ଶିକ୍ଷାର ଏକ ମହାନ୍ କେନ୍ଦ୍ର ଭାବରେ ମର୍ଯ୍ୟାଦା ପ୍ରଦାନ କରେ ।
ତିରୁପୁର ଜିଲ୍ଲାରେ ଜନ୍ମଲାଭ କରିବା ଏବଂ ସେଠାରେ ବଢ଼ିବା ଅବସରରେ ମୁଁ ସେହି କ୍ଷେତ୍ରରେ ଥିବା କେତେଗୋଟି ଜୈନ ଐତିହ୍ୟ ସହିତ ମୋର କିଛି ଘନିଷ୍ଠ ଏବଂ ବ୍ୟକ୍ତିଗତ ସମ୍ପର୍କକୁ ସମସ୍ତଙ୍କ ସହିତ ବାଣ୍ଟିବାକୁ ଚାହେଁ । କୋଙ୍ଗୁ ଭେଲ୍ଲିର ଶାସକ, ଯେଉଁମାନେ କି ବିଜୟମଙ୍ଗଳମକୁ ନିଜର ରାଜଧାନୀ ଭାବରେ ପ୍ରତିଷ୍ଠା କରି ଶାସନ କରୁଥିଲେ ସେମାନଙ୍କର ଉଭୟ ତାମିଲ ସାହିତ୍ୟ ଏବଂ ଜୈନ ଧର୍ମ ପ୍ରତି ବିଶେଷ ଅବଦାନ ରହିଛି । ସେ ନିଜେ "ପେରୁଙ୍କଥାଇ' ନାମକ ତାମିଲ କାବ୍ୟ ରଚନା କରିଥିଲେ ଏବଂ "ବୃହଦକଥା'କୁ ତାମିଲରେ ଅନୁବାଦ କରିଥିଲେ । ଏଥିରେ ଉଦୟନଙ୍କ କାହାଣୀ ବର୍ଣ୍ଣିତ ହୋଇଛି । ସେ ମଧ୍ୟ ବିଜୟମଙ୍ଗଳମ ଠାରେ ଏକ ଜୈନ ମନ୍ଦିର ପ୍ରତିଷ୍ଠା କରିଥିଲେ ଯାହା କାଙ୍ଗୁ କ୍ଷେତ୍ରର ସର୍ବ ପ୍ରାଚୀନ ମନ୍ଦିର ବୋଲି ବିଶ୍ୱାସ କରାଯାଏ । ଏହି ପବିତ୍ର ମନ୍ଦିର ପରିସରରେ ସେ ଏକ ତାମିଲ ସଙ୍ଗମ ପ୍ରତିଷ୍ଠା କରି ତାମିଲ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରିଥିଲେ । ଏହାଫଳରେ ସାହିତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକଳାପକୁ ପର୍ଯ୍ୟାପ୍ତ ପ୍ରୋତ୍ସାହନ ମିଳିଥିଲା । ଏହା ତାମିଲ ଭାଷା ଏବଂ ଅନ୍ୟାନ୍ୟ ସାହିତ୍ୟର ବିକାଶ ଦିଗରେ ବିଶେଷ ଭାବରେ ସହାୟକ ହୋଇଥିଲା । ତାମିଲନାଡ଼ୁର ଜୈନ ମନ୍ଦିରମାନ ଯଥା- ତିରୁପାରୁଟ୍ଟିକୁନରମ୍ ନିର୍ମାଣକଳା, ସ୍ଥାପତ୍ୟକଳା ଏବଂ ଚିତ୍ରକଳା ଉତ୍କର୍ଷର ଏକ ଅନନ୍ୟ ଉଦାହରଣ । ଯଦିଚ ଜୈନଧର୍ମ ସୁଦୂର ଉତ୍ତର ଭାରତରେ ଆତ୍ମପ୍ରକାଶ କରିଥିଲା, ତଥାପି ଦକ୍ଷିଣ ଭାରତର ଏହି ଭବ୍ୟ ଏବଂ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରମାନଙ୍କରେ ତାମିଲ ସ୍ଥାପତ୍ୟକଳା ଏବଂ ଶୈଳୀ ପରିଲକ୍ଷିତ ହୋଇଥାଏ ।
ଏଭଳି ସୁସଙ୍ଗତ ସମନ୍ୱୟ ଅଧିକ ଭାବରେ ଜିଙ୍ଗି ଜୈନ ମଠ ଏବଂ ଆରାନ୍ଥାଇ ଓ ଥିରୁପାନମାଲାଇ ଠାରେ ଥିବା ମନ୍ଦିରରେ ଆଡମ୍ବରପୂର୍ଣ୍ଣ ଉତ୍ସବ ପାଳନରେ ମଧ୍ୟ ଦେଖିବାକୁ ମିଳିଥାଏ। ସେଠାରେ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଥିବା ପୁରୁଣା ରୀତିନୀତିକୁ ଏପର୍ଯ୍ୟନ୍ତ ସୁଦ୍ଧା ଭକ୍ତି ଏବଂ ନିଷ୍ଠାର ନିଦର୍ଶନ ସ୍ୱରୂପ ସଂରକ୍ଷିତ ରଖାଯାଇଛି । ସେହିଭଳି ଚ୍ଛିନାପୁରମଠାରେ ଥିବା ମନ୍ଦିର, ଯାହାକି ଭଗବାନ ଆଦିନାଥଙ୍କୁ ସମର୍ପିତ, ସେଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ସକ୍ରିୟ ପୂଜାର୍ଚ୍ଚନା ଜାରି ରହିଛି, ଯାହାକି ଏହି ଆଧ୍ୟାତ୍ମିକ ପରମ୍ପରାକୁ ନିରବଚ୍ଛିନ୍ନ ଭାବରେ ଅତୁଟ ରଖିଛି ।
ଉପସଂହାର: ଅହିଂସାର ଶାଶ୍ୱତ ବାର୍ତ୍ତା- ଯାହାକି ଭଗବାନ ମହାବୀର ମାନବ ସମାଜକୁ ପ୍ରଦର୍ଶନ କରିଥିଲେ ତାହା ଆଜିର ଦୁନିଆରେ ସୁଦ୍ଧା ସେହିଭଳି ଉଜ୍ଜ୍ୱଳ ଆଲୋକବର୍ତ୍ତିକା ଭାବରେ ପ୍ରଜ୍ଜ୍ୱଳିତ ରହିଛି । ଭବିଷ୍ୟତକୁ ହିଂସା, ବିବାଦ ଏବଂ ପ୍ରତିଦ୍ୱନ୍ଦ୍ୱିତାଠାରୁ ମୁକ୍ତ ରଖିବାକୁ ହେଲେ ଏହି ଆଦର୍ଶ ପଥ ଅନୁସରଣ କରିବା ହିଁ ଏକମାତ୍ର ମାର୍ଗ । ଭଗବାନ ମହାବୀରଙ୍କ ଜୟନ୍ତୀର ପବିତ୍ର ଅବସରରେ, ଆସନ୍ତୁ ଆମର ଜୀବନ ପ୍ରତି ପ୍ରତିବଦ୍ଧତାକୁ ଦୋହରାଇବା ଏବଂ ସତ୍ୟ, କରୁଣା ଏବଂ ଶାନ୍ତିର ମାର୍ଗକୁ ଆପଣାଇବା । ଏହି ପବିତ୍ର ଅବସର ଆମ ସମସ୍ତଙ୍କୁ ଏହି ଦିବ୍ୟ ମୂଲ୍ୟବୋଧ ଆଧାରିତ ଚିନ୍ତାଧାରାରେ ଉଦ୍ବୁଦ୍ଧ କରୁ ଏବଂ ଆମ ଜୀବନ ଓ କର୍ମକୁ ଶାନ୍ତି, ସଦ୍ଭାବନା ଏବଂ କରୁଣାରେ ଭରପୂର ଏକ ସମାଜ ଗଠନ ନିମନ୍ତେ ନିୟୋଜିତ କରୁ । ମହାବୀର ଜୟନ୍ତୀ ଅବସରରେ ମୁଁ ଆପଣମାନଙ୍କର ସୁଖ ଏବଂ ଆଧ୍ୟାତ୍ମିକ ଶାନ୍ତି କାମନା କରୁଛି!