ପୁରୀ, ୨୧/୧୧: ଚଳିତ ୨୧ ତାରିଖରେ ବସିବ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଓ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଉପସ୍ଥିତିରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଉପକମିଟିରେ ଗ୍ରହଣ କରିଥିବା ନିଷ୍ପତ୍ତି ନେଇ ଆଲୋଚନା ହେବ । ସେହିପରି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ରତ୍ନଭଣ୍ଡାର ଗଣତିମଣତି, ଗୁରୁକୁଳ ନିର୍ମାଣ, ଶ୍ରୀମନ୍ଦିର ସୁରକ୍ଷା, ଶ୍ରଦ୍ଧାଳୁଙ୍କ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରଭୃତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ।
ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସଭାକକ୍ଷରେ ଦିନ ପ୍ରାୟ ୧୧ଟାରେ ଏହି ବୈଠକ ବସିବା ନେଇ ସ୍ଥିର ହୋଇଛି । ରତ୍ନଭଣ୍ଡାର ମରାମତି ସରିଥିଲେ ହେଁ ଏପର୍ଯ୍ୟନ୍ତ ରତ୍ନଗଣତିମଣତି କରିବାକୁ ପ୍ରଶାସନିକ ପଦକ୍ଷେପ ନିଆଗଲାନି । ରତ୍ନ ସୁରକ୍ଷିତ ଥିବା ଶ୍ରଦ୍ଧାଳୁଙ୍କ ସନ୍ଦେହ ଦୂର ହେଲାନି । ସେହିପରି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହୋଇନପାରିବା ଯୋଗୁ ଦୈନିକ ଶ୍ରଦ୍ଧାଳୁମାନେ ଠେଲାପେଲା ଭିତରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ମହାପ୍ରସାଦର ସୁଲଭ ଦର ପ୍ରସ୍ତୁତି ଓ ଶୋଷଣ ମୁକ୍ତ ମହାପ୍ରସାଦ ବିକ୍ରି ବ୍ୟବସ୍ଥା ହେଲାନି । ଦୈନିକ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁ ଆସୁଥିବାରୁ ସେମାନଙ୍କ ଆଶା ମୁତାବକ ଆଖି ପୂରା ଜଗା ଦର୍ଶନ ଓ ନିର୍ଦ୍ଧାରିତ ଦରରେ ପେଟପୂରା ମହାପ୍ରସାଦ ବ୍ୟବସ୍ଥା କରିବାକୁ ଦାବି ହେଉଛି । ଏନେଇ କମିଟିରେ ଆଲୋଚନା ହେବ ବୋଲି ପ୍ରାଥମିକ ସୂଚନା ମିଳିଛି।