ନୂଆଦିଲ୍ଲୀ : ଆମେରିକାକୁ କଡ଼ା ଜବାବ ଦେଲା ଶ୍ରୀଲଙ୍କା। ନିଜ ଭୂମିରେ ୟୁଏସ୍ର ଯୁଦ୍ଧ ଜାହାଜର ଅବତରଣ କରିବାକୁ କଲା ମନା। ଦେଲା ନାହିଁ କୌଣସି ଅନୁମତି। ଇରାନ ଯୁଦ୍ଧ ବେଳେ ଆମେରିକା ନିଜର ଦୁଇଟି ଫାଇଟର ଜେଟ୍କୁ ଶ୍ରୀଲଙ୍କାର ଦକ୍ଷିଣ-ପୂର୍ବ ମଟ୍ଟାଲା ଅନ୍ତର୍ଜାତୀୟ ଏୟାରପୋର୍ଟରେ ଲ୍ୟାଣ୍ଡ କରେଇବାକୁ ଚାହୁଁ ଥିଲା। କିନ୍ତୁ ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ଆମେରିକାକୁ ଏହାର ଅନୁମତି ଦେଇ ନଥିଲେ।
ଶୁକ୍ରବାର ଶ୍ରୀଲଙ୍କାର ରାଷ୍ଟ୍ରପତି ସଂସଦରେ ଏହି କଥାର ଘୋଷଣା କରି ଥିଲେ। ସଂସଦରେ ଏହି ନିଷ୍ପତ୍ତିର ଘୋଷଣା କରି ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ କହିଛନ୍ତି ଯେ, ଜିବୁତିରୁ ଆମେରିକାର ଦୁଇଟି ଯୁଦ୍ଧ ବିମାନ ୪ ଓ ୮ ମାର୍ଚ୍ଚରେ ଶ୍ରୀଲଙ୍କାରେ ଲ୍ୟାଣ୍ଡ କରିବାକୁ ଅନୁମତି ମାଗି ଥିଲା। କିନ୍ତୁ ଆମେରିକାର ଏହି ଦୁଇଟି ଅନୁରୋଧ ଅସ୍ୱୀକାର କରି ଦିଆ ଯାଇଥିଲା।
ରାଷ୍ଟ୍ରପତି କହିଥିଲେ – ଅନେକ ଚାପ ସତ୍ତ୍ୱେ ଆମେ ଆମର ନିଷ୍ପତ୍ତିରେ ନିରପେକ୍ଷ ରହିବାକୁ ଚାହିଁଛୁ। ଆମେ ନଇଁବୁ ନାହିଁ। ମଧ୍ୟ-ପୂର୍ବର ଯୁଦ୍ଧ ଚ୍ୟାଲେଞ୍ଜ ସୃଷ୍ଟି କରି ଦେଇଛି। କିନ୍ତୁ ଆମେ ନିରପେକ୍ଷ ରହିବାକୁ ଯଥା ସମ୍ଭବ ଚେଷ୍ଟା କରିବୁ।
ଆହୁରି ମଧ୍ୟ ପଢନ୍ତୁ : ଇରାନୀ ଜାହାଜ ବୁଡ଼ିବା ଘଟଣା : ଭାରତକୁ ବଦନାମ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ
ଶ୍ରୀଲଙ୍କା ରାଷ୍ଟ୍ରପତି କହିଥିଲେ- ସେମାନେ ଜିବୁତିର ଏକ ଘାଟିରୁ ଆଠଟି ଆଣ୍ଟି ସିପ୍ କ୍ଷେପଣାସ୍ତ୍ର ସହ ସଜ୍ଜିତ ଦୁଇଟି ଯୁଦ୍ଧ ବିମାନ ମାଟ୍ଟାଲା ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଆଣିବାକୁ ଚାହୁଁଥିଲେ, ଏବଂ ଆମେ ସିଧାସଳଖ ମନା କରିଦେଲୁ।"
ଦିସାନାୟକେଙ୍କ ଏହି ବିବୃତ୍ତି ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ଆମେରିକାର ସ୍ୱତନ୍ତ୍ର ଦୂତ ସର୍ଗିଓ ଗୋରଙ୍କ ସହ ସାକ୍ଷାତ କରିବାର ଗୋଟିଏ ଦିନ ପରେ ଆସିଛି। ଏକ ବିବୃତ୍ତିରେ କୁହାଯାଇଛି ଯେ, ରାଷ୍ଟ୍ରପତି ଦିସାନାୟକେ ଓ ସର୍ଗିଓ ଗୋର ଗୁରୁତ୍ତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗର ସୁରକ୍ଷା ଓ ବନ୍ଦରକୁ ସୁରକ୍ଷିତ ରଖିବା , ପାରସ୍ପରିକ ଲାଭଦାୟୀ ବ୍ୟାପାର ଓ ବାଣିଜ୍ୟିକ ସମ୍ୱନ୍ଧକୁ ମଜବୁତ କରିବା ,ତଥା ଏକ ସ୍ୱତନ୍ତ୍ର , ଖୋଲା ଓ ଏକ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଆମେରିକାର ପ୍ରୟାସ ବିଷୟରେ ଆଲୋଚନା କରାଯାଇଛି।
ଉଲ୍ଲେଖନୀୟ ଯେ, ମାର୍ଚ୍ଚ ୪ ତାରିଖରେ ଆମେରିକା ଗାଲେ ନିକଟରେ ଇରାନୀ ଫ୍ରିଗେଟ୍ ‘ଆଇରିସ ଡେନା’ ଉପରେ ଟାରପିଡୋ ଦ୍ୱାରା ଆକ୍ରମଣ କରିଥିଲା। ଗାଲେ ଏହି ଦ୍ୱୀପର ଦକ୍ଷିଣ ଉପକୂଳ ସହର। ଏହି ଆକ୍ରମଣରେ ୮୪ ଜଣ ନାବିକଙ୍କ ମୃତ୍ୟୁ ହୋଇ ଥିବା ବେଳେ ୩୨ ଜଣଙ୍କୁ ରକ୍ଷା କରାଯାଇ ଥିଲା। ଉକ୍ତ ଜାହାଜଟି ଭାରତର ବିଶାଖାପାଟ୍ଟନମରେ ନୌସେନା ନୌବାହିନୀ ସମୀକ୍ଷା ଅଭ୍ୟାସ ପରେ ଘରକୁ ଫେରୁଥିଲା।