ନୂଆଦିଲ୍ଲୀ, ୧୭।୩: ଇରାନ ଏବଂ ଇସ୍ରାଏଲ-ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁଁ ବିଶ୍ୱର ପ୍ରମୁଖ ତେଲ ପରିବହନ ମାର୍ଗ 'ହର୍ମୁଜ ପ୍ରଣାଳୀ' ବନ୍ଦ ହୋଇଯାଇଛି । ଏହାର ସିଧାସଳଖ ପ୍ରଭାବ ଏବେ ଶ୍ରୀଲଙ୍କା ଉପରେ ପଡ଼ିବାକୁ ଯାଉଛି । ତେଲର ଅଭାବକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେଙ୍କ ସରକାର ଦେଶରେ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ବୁଧବାର ଅର୍ଥାତ୍ ମାର୍ଚ୍ଚ ୧୮ ତାରିଖଠାରୁ ପ୍ରତି ସପ୍ତାହର ବୁଧବାର ଦିନକୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଇଛି । ଫଳରେ ସରକାରୀ କର୍ମଚାରୀମାନେ ସପ୍ତାହକୁ ମାତ୍ର ୪ ଦିନ କାମ କରିବେ । ଏଥିସହ ସମସ୍ତ ସ୍କୁଲ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ବୁଧବାର ଦିନ ବନ୍ଦ ରହିବ ।

ଏହା ବି ପଢ଼ନ୍ତୁ... ​​​​​​​ଦୁବାଇ ଛାଡ଼ି ୟୁରୋପ ଧାଉଁଛନ୍ତି ଧନକୁବେର, ଦିନକୁ ମସ୍କାଟ ବିମାନବନ୍ଦର ଛାଡୁଛି ୩୦ ଘରୋଇ ଜେଟ୍

ସରକାରୀ କର୍ମଚାରୀମାନଙ୍କୁ ସମ୍ଭବ ହେଲେ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଛି । ଘରୋଇ ସଂସ୍ଥାଗୁଡ଼ିକୁ ମଧ୍ୟ ଏହି ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି । ଡାକ୍ତରଖାନା, ବନ୍ଦର ଏବଂ ଜଳ ଯୋଗାଣ ଭଳି ଅତ୍ୟାବଶ୍ୟକ ସେବାଗୁଡ଼ିକ ପୂର୍ବଭଳି ଜାରି ରହିବ । ଶ୍ରୀଲଙ୍କା ସରକାର ପୁଣିଥରେ QR କୋଡ୍ ମାଧ୍ୟମରେ ତେଲ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମାର୍ଚ୍ଚ ୧୫ରୁ ଲାଗୁ ହୋଇଥିବା ନିୟମ ଅନୁସାରେ, ସାଧାରଣ ଗାଡ଼ି ଚାଳକଙ୍କ ପାଇଁ ସପ୍ତାହକୁ ସର୍ବାଧିକ ୧୫ ଲିଟର ପେଟ୍ରୋଲ କିମ୍ବା ଡିଜେଲ ସୀମିତ କରାଯାଇଛି । ସାର୍ବଜନୀନ ପରିବହନ ପାଇଁ ୨୦୦ ଲିଟର ପର୍ଯ୍ୟନ୍ତ କୋଟା ରଖାଯାଇଛି । "ଆମକୁ ସବୁଠାରୁ ଖରାପ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ହେବ, କିନ୍ତୁ ଆମେ ଭଲ ସମୟ ପାଇଁ ଆଶା ରଖିଛୁ," ବୋଲି ରାଷ୍ଟ୍ରପତି ଦିସାନାୟକେ ଅଧିକାରୀମାନଙ୍କୁ କହିଛନ୍ତି । ଏହି ନୂତନ କଟକଣା ଶ୍ରୀଲଙ୍କାବାସୀଙ୍କୁ ୨୦୨୨ର ସେହି ଭୟଙ୍କର ଆର୍ଥିକ ସଙ୍କଟ କଥା ମନେ ପକାଇ ଦେଇଛି, ଯେତେବେଳେ ଦେଶରେ ତେଲ ଓ ଖାଦ୍ୟ ପାଇଁ ହାହାକାର ପଡ଼ିଥିଲା । ଯଦିଓ ବର୍ତ୍ତମାନ ସ୍ଥିତି ସେତେଟା ଗମ୍ଭୀର ନୁହେଁ, ତଥାପି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।