ପୁରୀ,୧୦/୦୨: ମଙ୍ଗଳବାର ମଧ୍ୟାହ୍ନରେ ୨୦୨୬-୨୭ ବର୍ଷ ନିମନ୍ତେ ଚୂଡ଼ାନ୍ତ ପଞ୍ଜିକା ସମୀକରଣ ବୈଠକ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିବ । ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ସଭାକକ୍ଷରେ ହେବାକୁ ଥିବା ବୈଠକରେ ବରିଷ୍ଠ ସେବାୟତ, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ, ଗୋବର୍ଦ୍ଧନ ମଠର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିବେ । ଆସନ୍ତା ଓଡ଼ିଆ ବର୍ଷ (ବୈଶାଖ ଠାରୁ ଚୈତ୍ର) ପର୍ଯ୍ୟନ୍ତ ନିର୍ଭୁଲ ପାଞ୍ଜି ପ୍ରକାଶନ ନିମନ୍ତେ ଏଠାରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ ।

ଆହୁରି ପଢ଼ନ୍ତୁ:- ଛୋଟ ସହରର ହୋଟେଲ-ରିସର୍ଟରେ ବଢ଼ୁଛି ନିବେଶ, ଏବେ ପ୍ରକୃତି କୋଳରେ ସମୟ ବିତାଇବାକୁ ବେଶୀ ପସନ୍ଦ କରୁଛନ୍ତି ପର୍ଯ୍ୟଟକ

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନିକଟରେ ପ୍ରାୟ ୫ ପାଞ୍ଜି ପ୍ରକାଶ ସଂସ୍ଥା ନିଜର ପାଞ୍ଜି ସମୀକରଣ ପାଣ୍ଡୁ ଲିପି ପ୍ରଦାନ କରିଛନ୍ତି । ଆସନ୍ତା ଗଣେଶ ପୂଜା ଦିନ ଧାର୍ଯ୍ୟକୁ ନେଇ ସାମାନ୍ୟ ଦ୍ୱନ୍ଦ୍ୱ ଥିବାରୁ ଚୂଡ଼ାନ୍ତ ବୈଠକରେ ଏହାର ସମାଧାନ ହେବ । କିଛି ବର୍ଷ ହେବ ନିର୍ଭୁଲ ପାଞ୍ଜି ପ୍ରକାଶନକୁ ନେଇ ଦ୍ୱନ୍ଦ୍ୱ ଓ ବିବାଦ ସାଧାରଣ ଲୋକଙ୍କୁ ବିଭ୍ରାନ୍ତି କରୁଛି । ତେଣୁ ଶ୍ରୀମନ୍ଦିର ପ୍ରଶାସନ ଚଳିତ ବର୍ଷ ପାଞ୍ଜି ପ୍ରକାଶନ ସଂସ୍ଥାମାନଙ୍କୁ ନେଇ ତତ୍ପରତା ଦେଖାଇଛି । ରାଜ୍ୟରେ ପାଞ୍ଜି ବିକ୍ରି କରୁଥିବା ୮ ଅନୁଷ୍ଠାନ ମଧ୍ୟରୁ ୫ ଅନୁଷ୍ଠାନ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପାଣ୍ଡୁଲିପି ମଂଜୁରୀ ଆବେଦନ କରିଥିବା ବେଳେ ଅନ୍ୟ ୩ ସଂସ୍ଥାର ପାଞ୍ଜି ପ୍ରକାଶ ଉପରେ ଚର୍ଚ୍ଚା ହୋଇପାରେ ।