ଭୁବନେଶ୍ୱର,୧୦/୦୨: ପରିବେଶ ପର୍ଯ୍ୟଟନ ଉପରେ ଓଡ଼ିଶାର ଫୋକସ୍ ରହିଆସିଛି । ପର୍ଯ୍ୟଟକ, ସହରର ଭିଡ଼ ପରିବର୍ତ୍ତେ ଏବେ ପ୍ରକୃତି କୋଳରେ ସମୟ ବିତାଇବାକୁ ବେଶୀ ପସନ୍ଦ କରୁଛନ୍ତି । ତେଣୁ ପର୍ଯ୍ୟଟକଙ୍କ ଚାହିଦାକୁ ନଜରରେ ରଖି କୋରାପୁଟ, କେନ୍ଦୁଝର, କନ୍ଧମାଳ, ଗଞ୍ଜାମ ଭଳି ସ୍ଥାନରେ ଏବେ ହୋଟେଲ ଏବଂ ରିସର୍ଟ ସ୍ଥାପନ ଲାଗି ଆଗଭର ହେଉଛନ୍ତି ନିବେଶକ ।
ଶିଳ୍ପ ବିଭାଗ ସୂଚନା ମୁତାବକ, ୨୦୨୪ ଜୁଲାଇ ପରଠୁ ରାଜ୍ୟ ସରକାର ୫୫ ନୂଆ ହୋଟେଲ ଏବଂ ରିସର୍ଟ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏସବୁ ପ୍ରକଳ୍ପରେ ୩୨୧୧ କୋଟି ଟଙ୍କାର ନିବେଶ ହେଉଛି । ଏହା ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ଚାହିଦା ପୂରଣରେ ସହାୟକ ହେବ । ନିବେଶକ ବିଳାସପୂର୍ଣ୍ଣ ପଞ୍ଚତାରକା ହୋଟେଲ ଏବଂ ଇକୋରିସର୍ଟ ସ୍ଥାପନ କରୁଛନ୍ତି । ଭୁବନେଶ୍ୱର ନିବେଶର ହଟ୍ଫ ଟ୍ ଥିବାବେଳେ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ନିବେଶକୁ ମଧ୍ୟ ପ୍ରାଥମିକତା ମିଳିଛି ।
ଆହୁରି ପଢ଼ନ୍ତୁ:- ବିଳାସପୂର୍ଣ୍ଣ ରିସର୍ଟ ହେବ ଏପ୍ଷ୍ଟିନ୍ର କୁକର୍ମ ଦ୍ୱୀପ, ଜାଣନ୍ତୁ କିଏ ଏବେ ମାଲିକ…
ରାଡିସନ ହୋଟେଲ ଗଞ୍ଜାମ ଏବଂ ପୁରୀରେ ନିବେଶ କରୁଛି । ସେହିଭଳି ଜାତୀୟ ସ୍ତରର ବ୍ରାଣ୍ଡ୍ ହାୟାତ, ଆଇଟିସି ହୋଟେଲ ଓ ଅଲ୍ ଆକର ଭୁବନେଶ୍ୱର, ମ୍ୟାରିୟଟ ବନଭଏ ପୁରୀ ଏବଂ ଚିଲିକାର ସୁମୋଲୋ ଦ୍ୱୀପରେ ନିବେଶ ହେବାକୁ ଯାଉଛି । ୱାର୍ଲଡ ଅଫ୍ ହାୟାତ ସହ ଆଶୀର୍ବାଦ ଇଞ୍ଜିନିୟରିଂ ୧୩୯ କୋଟିରେ ଭୁବନେଶ୍ୱରରେ ପଞ୍ଚ ତାରକା ହୋଟେଲ କରୁଛି । ଏଭଳି ସୁବିଧା ଲାଗି ରାଜ୍ୟରେ ଆଇଟିସି ହୋଟେଲ ୧୧୯ କୋଟି ନିବେଶ କରିବ ।
୫୫ ହୋଟେଲ କାର୍ଯ୍ୟକ୍ଷମ ହେଲେ ୩୮୦୦ ନୂଆ ହୋଟେଲ ରୁମ୍ ଯୋଡିହେବ । ୩ ତାରକା ବଜେଟ୍ ହୋଟେଲଠାରୁ ଆରମ୍ଭ କରି ୧୧୦ କୋଟି ବିନିଯୋଗରେ ସୋମୁଲୋରେ ଆଇଟିସି ସହଯୋଗରେ ବିଳାସପୂର୍ଣ୍ଣ ରିସର୍ଟ ଆସିବାକୁ ଯାଉଛି । ୨୦୨୦ରେ ରାଜ୍ୟକୁ ୧୦ ହଜାର ବିଦେଶୀ ପର୍ଯ୍ୟଟକ ଆସିଥିଲେ । ୨୦୨୪-୨୫ରେ ଏହା ୫୩ ହଜାରକୁ ବୃଦ୍ଧି ପାଇଛି । ସମାନ ଅବଧିରେ ରାଜ୍ୟକୁ ଦେଶର ୧୧ ନିୟୁତ ପର୍ଯ୍ୟଟକ ଆସିଛନ୍ତି ।
ଆହୁରି ପଢ଼ନ୍ତୁ:- ମଦ ପିଇ ସ୍କୁଲକୁ ଝୁଲି ଝୁଲି ଆସିଲେ ସାର୍, ଟେକି ନେଇ ବାହାରେ ଛାଡ଼ିଲେ ଯୁବକ
ଏବେ ରାଜ୍ୟରେ ପର୍ଯ୍ୟଟକଙ୍କ ଲାଗି ୪୮ ହଜାର ହୋଟେଲ ରୁମ୍ ରହିଛି । ଏବେ ପର୍ଯ୍ୟଟକ କେବଳ ପୁରୀ, ଭୁବନେଶ୍ୱର କିମ୍ବା କଟକ ଭଳି ସ୍ଥାନରେ ବୁଲିବା ପରିବର୍ତ୍ତେ ପ୍ରାକୃତିକସ୍ଥଳ ଗୁଡ଼ିକୁ ବାଛୁଛନ୍ତି । ଓଡ଼ିଶାର ଅପରୂପ ପ୍ରାକୃତିକ ଶୋଭାରାଜି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ସୁଉଚ୍ଚ ପର୍ବତମାଳା, ଅଭୟାରଣ୍ୟ, ନଦୀ, ହ୍ରଦ, ସୁଦୀର୍ଘ ବେଳାଭୂମି, ଜଳପ୍ରପାତଠାରୁ ଆରମ୍ଭ କରି ଐତିହ୍ୟ ଏବଂ ସଂସ୍କୃତି ପର୍ଯ୍ୟଟକଙ୍କୁ ବାନ୍ଧି ରଖିଥାଏ ।