ପୁରୀ,୧୫/୦୮: ଆଜି ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ । ବଡ଼ଦେଉଳ ପରମ୍ପରା ଅନୁସାରେ ପାଳନ ହେବ ଜନ୍ମାଷ୍ଟମୀ ନୀତି । ଏଣୁ ଶୁକ୍ରବାର ସନ୍ଧ୍ୟା ୭ଟାରୁ ରାତି ୧୨ଟା  ପର୍ଯ୍ୟନ୍ତ ଠାକୁରଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଶ୍ରୀକୃଷ୍ଣଙ୍କ ଜନ୍ମର ପୂର୍ବ ବିଧି ପାଳନ ପୂର୍ବକ ଗୁରୁବାର ସ୍ୱତନ୍ତ୍ର ନୀତି ହୋଇଛି । ଶ୍ରୀକୃଷ୍ଣଙ୍କ ଜନ୍ମ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଯେଉଟ ଭୋଗ ଲାଗି କରାଯାଇଛି । ଗର୍ଭଯନ୍ତ୍ରଣାରୁ  ଉପଶମ ପାଇଁ ଠାକୁରଙ୍କୁ ଏହି ଭୋଗ ଲାଗି କରାଯିବାର  ବିଧି ରହିଛି । ଏଥିସହ ସମ୍ପନ୍ନ ହୋଇଛି ଠାକୁରଙ୍କ ଗର୍ଭଉଦକ ବନ୍ଦାପନା ନୀତି ।  

ଶ୍ରୀଜଗନ୍ନାଥ ମା’ଦେବକୀ ଭାବେ ଶ୍ରୀକୃଷ୍ଣଙ୍କୁ ଜନ୍ମ ଦେବେ ।  ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଶ୍ରୀଜଗନ୍ନାଥଙ୍କ ଠାରୁ ହିଁ କୃଷ୍ଣ ଓ  ରାମ ଆଦି ସମସ୍ତ ଅବତାର ଜନ୍ମ ନିଅନ୍ତି । ସନ୍ଧ୍ୟାଧୂପ ସରିବା  ପରେ ପାଣି ପଡି ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା । ଅଣସର ପିଣ୍ଡିଠାରେ ଯେଉଟ ଭୋଗ ଲାଗି ହୋଇଥିଲା ।  ସେଥିରେ ଶାଗ, ତରପାରୀ, ପିଠା, ଛିଲି, ଓରିଆ, କ୍ଷୀରି ଆଦି  ଅର୍ପଣ ହୋଇଥିଲା । ମୁଦିରସ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ  ଲାଗି କରିବା ପରେ ପୂଜାପଣ୍ଡା ସାମନ୍ତମାନେ ପଞ୍ଚୋପଚାରରେ  ପୂଜା କରିଥିଲେ । ରାତିରେ ଜେଉଟ ଭୋଗ ଲାଗି ନୀତି ସମ୍ପନ୍ନ  ହୋଇଥିଲା । ୩ ବାଡରେ ବନ୍ଦାପନା ପରେ ମହାପ୍ରଭୁଙ୍କ  ବାଡରେ ଗୋଟିଏ ଅଧିକ ବନ୍ଦାପନା ହୋଇଥିଲା । ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ । ଏହାପରେ ଯଥାବିଧି  ଠାକୁରଙ୍କ ଦୈନନ୍ଦିନ ନୀତି ଅନୁଷ୍ଠିତ ହେଲା । ଏଥିସହ ଆଜି  ଠାକୁରଙ୍କ ଗୁରୁବାର ମାଜଣା ନୀତି ଅନୁଷ୍ଠିତ ହୋଇଥିଲା ।