ଭୁବନେଶ୍ୱର,୨୧/୦୩:  ଦେଓମାଳି ପର୍ବତ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । ହେଲେ ପାହାଡ ସାରା ଆବର୍ଜନା ଗଦା ହୋଇଛି । ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲି ଦେଓମାଳିର ଏଭଳି ଅବସ୍ଥା ଦେଖି ଚିନ୍ତା ପ୍ରକଟ କରିଛନ୍ତି । ନିଜର ଆଗାମୀ ଚଳଚ୍ଚିତ୍ର ‘ଏସ୍‌ଏସ୍‌ଏମ୍‌ବି୨୯’ର ସୁଟିଂ ସାରି କୋରାପୁଟରୁ ଫେରିବା ପରେ ରାଜାମୌଲି୍‌ ନିଜର ଏକ୍ସ ଆକାଉଣ୍ଟରେ ଦେଓମାଳି ପର୍ବତର ଅବସ୍ଥା ଦେଖି  ବିଚଳିତ ଥିବା ପ୍ରକାଶ କରିଛନ୍ତି । ଏହି ପର୍ବତ ସୁରକ୍ଷାରେ  ନିଜକୁ ନିୟୋଜିତ କରିବା ଲାଗି ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । 




ଦେଓମାଳିର ଏକ ଭିଡିଓ ପୋଷ୍ଟ  କରି ରାଜାମୌଲି ଲେଖିଛନ୍ତି, ଓଡ଼ିଶାର ସର୍ବୋଚ୍ଚ ପର୍ବତ  ଦେଓମାଳି ଉପରକୁ ଯାଇ ସେ ବିଭୋର ହୋଇଥିଲେ । ତେବେ ଲୋକେ ସଚେତନ ହେଲେ ଦେଓମାଳି  ପାହାଡ଼ର ଅବସ୍ଥା ବଦଳିଯିବ । ପର୍ଯ୍ୟଟକମାନେ  ସେମାନଙ୍କ ବର୍ଜ୍ୟ ପଦାର୍ଥ ଅନ୍ୟତ୍ର ଫିଙ୍ଗିବା ଲାଗି ସେ  ପରାମର୍ଶ ଦେଇଛନ୍ତି । ରାଜାମୌଲିଙ୍କ ଏହି ପୋଷ୍ଟ୍‌ ପରେ  ପରିବେଶବିତ୍‌ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ସହ ସେଠାରେ  ପ୍ଲାଷ୍ଟିକ ନିଷେଧ କରିବାକୁ ସେମାନେ ଦାବି କରିଛନ୍ତି । 

ପ୍ରକାଶଥାଉକି, କିଛିଦିନ ତଳେ ‘ଏସ୍‌ଏସ୍‌ଏମ୍‌ବି୨୯’  ଚଳଚ୍ଚିତ୍ରର କିଛି ଦୃଶ୍ୟ ସୁଟିଂ ପାଇଁ ନିଜ ଟିମ୍‌ ସହ  କୋରାପୁଟ ଆସିଥିଲେ ରାଜାମୌଲି ।