ଭୁବନେଶ୍ୱର,୦୫/୦୪: ଡବଲ ଇଞ୍ଜିନ ସରକାରର ସ୍ୱପ୍ନ କ୍ଷୁଧାମୁକ୍ତ ଓଡ଼ିଶା । ଆଉ ଏହାକୁ ସାକାର କରିବାକୁ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର । ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା । ଏଥିରେ ମାସକୁ ମୁଣ୍ଡପିଛା ଅତିରିକ୍ତ ୫ କେଜି ଚାଉଳ ମାଗଣାରେ ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ୩ କୋଟି ୨୮ଲକ୍ଷ ହିତାଧିକାରୀଙ୍କୁ ଏହି ମାଗଣା ଚାଉଳ ବଣ୍ଟାଯିବ । ପ୍ରତି ମାସରେ ନିୟମିତ କୋଟାରେ ମିଳୁଥିବା ଚାଉଳକୁ ଛାଡ଼ି ଅତିରିକ୍ତ ଭାବେ ଆଉ ୫କେଜି ଲେଖାଏଁ ଦିଆଯିବ । ମୁଖ୍ୟମନ୍ତ୍ରୀ ଏହି ନୂଆ ଯୋଜନା ସମ୍ପର୍କରେ ଆଜି ଘୋଷଣା କରିଛନ୍ତି । କ୍ୟାବିନେଟ୍ ଆଜି ଏ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରି ଦେଇଛି ।
ଅଧିକ ପଢ଼ନ୍ତୁ :- ମେଟ୍ରୋ ସିଟି ସ୍ୱପ୍ନ ଚୂରମାର: ୨୭୩ କୋଟି ଖର୍ଚ୍ଚ ପରେ ପ୍ରକଳ୍ପ ବନ୍ଦ, ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ସହ ବାତିଲ ହେବ ଚୁକ୍ତି
କ୍ୟାବିନେଟ୍ ବୈଠକରୁ ବାହାରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟରେ ଖାଉଟିଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ଚାଉଳ ଉପଲବ୍ଧ କରାଇ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୨୦୨୬-୨୭ ବର୍ଷରୁ ଏହି ଯୋଜନା ଆରମ୍ଭ ହେଲା । ଏଥିରେ ରାଜ୍ୟର ଟାର୍ଗେଟେଡ୍ ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍ ଅଧୀନରେ ଆସୁଥିବା ସବୁ ହିତାଧିକାରୀ ପରିବାର ଉପକୃତ ହେବେ । ଏବେ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୯୭ ଲକ୍ଷ ୯୭ ହଜାର ପରିବାରର ୩ କୋଟି ୨୨ ଲକ୍ଷ ୮୯ ହଜାର ସଦସ୍ୟ ଉପକୃତ ହେଉଛନ୍ତି ।
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨ ଲକ୍ଷ ୯୮ ହଜାର ପରିବାରର ୫ ଲକ୍ଷ ୬୨ ହଜାର ୭୩୭ ସଦସ୍ୟ ଉପକୃତ ହେଉଛନ୍ତି । ଉଭୟ ଯୋଜନାରେ କୋଟିଏ ୯୬ ହଜାର ୨୯୭ ପରିବାରର ୩ କୋଟି ୨୮ ଲକ୍ଷ ୫୨ ହଜାର ସଦସ୍ୟ ଉପକୃତ ହେଉଛନ୍ତି । ଏବେ ମାସିକ ହାରାହାରି ୧.୬୪ ଲକ୍ଷ ମେଟ୍ରିକ ଟନ ଚାଉଳ ଅତିରିକ୍ତ ଭାବେ ବଣ୍ଟାଯିବ । ଏହି ବାବଦରେ ମାସକୁ ପ୍ରାୟ ୭୩୪ କୋଟି ଟଙ୍କା ଓ ବର୍ଷକୁ ୮,୮୧୩ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ଦେଇଛି ।
ସେହିଭଳି ୧୧ଟି ଜିଲ୍ଲାର ୨୭ଲକ୍ଷ ୩୮ହଜାର ପରିବାରକୁ ୨୦୨୫ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସରେ ବଣ୍ଟାଯାଇଥିବା ଭିଟାମିନଯୁକ୍ତ ଚାଉଳ ବାବଦ ଖର୍ଚ୍ଚକୁ ସରକାର ବହନ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୧୯ଟି ଜିଲ୍ଲାରେ ବଣ୍ଟା ଯାଇଥିବା ଏହି ଚାଉଳ ବାବଦ ଖର୍ଚ୍ଚ ମଧ୍ୟ ସରକାର ବହନ କରିଛନ୍ତି । ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ଦେଇଛି ।