ଭୁବନେଶ୍ୱର, ୦୫/୦୪: ଭୁବନେଶ୍ୱରରେ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏଥିପାଇଁ ୨୭୩ କୋଟି ଟଙ୍କା ଖର୍ଚ୍ଚ ହେଲା । କିନ୍ତୁ ପ୍ରକଳ୍ପ ଆରମ୍ଭ ଆଗରୁ ଏହା ବନ୍ଦ ହୋଇଯାଇଛି । ଏଥିସହ ଭୁବନେଶ୍ୱର ମେଟ୍ରୋ ସିଟି ହେବାର ସ୍ୱପ୍ନ ଭାଙ୍ଗି ଚୂରମାର ହୋଇଛି ।
ଏହି ପ୍ରକଳ୍ପ ଜାରି ରହିଲେ ସରକାର ଅପରେଟିଂ ବା ଚଳାଚଳ ବାବଦରେ ବହୁତ କ୍ଷତି ସହିବେ ବୋଲି ଯୁକ୍ତି ଦର୍ଶାଇଛନ୍ତି । ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ସୁପାରିସ ପରେ ସରକାର ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (ଡିଏମ୍ଆର୍ସି) ସହ ହୋଇଥିବା ଚୁକ୍ତିକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ଭୁବନେଶ୍ୱର ଓ କଟକରେ ମେଟ୍ରୋ ଚଲାଇବାକୁ ସରକାର ପୂର୍ବରୁ ଯୋଜନା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଚାଲିବାକୁ ଯୋଜନା ଥିଲା । କିନ୍ତୁ ପ୍ରକଳ୍ପର ଫିଜିବିଲିଟି, ବିଲୋ ଥ୍ରେସ୍ ହୋଲ୍ଡ ଟ୍ରାଫିକ ଡିମାଣ୍ଡ ଓ ଲୋ ରାଇଡରସିପ୍ ପ୍ରୋଜେକ୍ସନକୁ ନେଇ ସମସ୍ୟା ସୃଷ୍ଟି ହେବାରୁ ଏହି ପ୍ରକଳ୍ପରୁ ସରକାର ପଛକୁ ହଟିଯାଇଛନ୍ତି । ନିକଟ ଭବିଷ୍ୟତରେ ବି ଭୁବନେଶ୍ୱର ମେଟ୍ରୋ ସିଟି ହେବାର ସମ୍ଭାବନା କ୍ୱଚିତ୍ ।
ସରକାର ଏଥିପାଇଁ ଗଢ଼ିଥିବା ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ ଲିଃ(ବିଏମ୍ଆର୍ସିଏଲ୍)ର ମୁଖ୍ୟ ଭୂମିକାକୁ ବଦଳାଇ ଦେବେ । ଏହା ମେଟ୍ରୋ ଚଲାଇବାକୁ କାମ କରିବନି ବରଂ ଏହା ସଷ୍ଟେନେବଲ୍ ଅର୍ବାନ ମୋବିଲିଟି ଟ୍ରାନ୍ଜିସନ ପ୍ଲାନ(ସମନ୍ୱିତ ସହରୀ ପରିବହନ ଓ ଯୋଗାଯୋଗ ଯୋଜନା) କାର୍ଯ୍ୟକାରୀ କରିବ । ଏହି ଯୋଜନା ପାଇଁ ବିଏମ୍ଆର୍ସିଏଲ୍କୁ ନୋଡାଲ ଏଜେନ୍ସି ଭାବେ ନିଯୁକ୍ତ କରାଯାଇଛି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ସହରର ପରିବହନ ବ୍ୟବସ୍ଥାକୁ ଉନ୍ନତ କରିବା ଦିଗରେ କାମ କରିବ ।
ଅଧିକ ପଢ଼ନ୍ତୁ :- କ୍ୟାବିନେଟ ବୈଠକରେ ୧୬ ପ୍ରସ୍ତାବକୁ ମଞ୍ଜୁରୀ, ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଆଉ ୫ କେଜି ଚାଉଳ
ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ବାବଦରେ ଏବେ ସୁଦ୍ଧା ମୋଟ ୨୭୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ମେଟ୍ରୋ ପ୍ରକଳ୍ପ ପାଇଁ ସର୍ଭେ, ବିଭିନ୍ନ ସ୍ଥାନରେ ମୃତ୍ତିକା ପରୀକ୍ଷଣଠାରୁ ନେଇ ମେଟ୍ରୋ ରେଳର ଡିପୋ ନିର୍ମାଣ ପାଇଁ ଏହି ଟଙ୍କା ଖର୍ଚ୍ଚ ହୋଇଥିଲା । ସରକାର ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନଠାରୁ ବୈଷୟିକ ସହାୟତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଏବେ ସବୁ ଟଙ୍କା ପାଣିରେ ପଡ଼ିଛି । ସ
ରକାର ଯୁକ୍ତି ରଖିଛନ୍ତି, ଭବିଷ୍ୟତ ପାଇଁ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି)ର ବୈଷୟିକ ତଥ୍ୟକୁ ଉପଯୋଗ କରି ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କ୍ଷେତ୍ର ପାଇଁ ଏକ ବିସ୍ତୃତ ପରିବହନ ଯୋଜନା (ସିଏମ୍ପି) ପ୍ରସ୍ତୁତ କରାଯିବ । ଏଥିରେ ଟ୍ରାନଜିଟ୍ ଓରିଏଣ୍ଟେଡ୍ ଡେଭଲପମେଣ୍ଟ (ଟିଓଡି)କୁ ଫୋକସ୍ କରାଯିବ । ଏଥିରେ ପାଦଚଲା, ସର୍ବସାଧାରଣ ପରିବହନ ସୁବିଧା ଓ ହାତପାଆନ୍ତାରେ କମ୍ ପ୍ରଦୂଷଣ ସୃଷ୍ଟି କରୁଥିବା ପରିବହନ ବ୍ୟବସ୍ଥାରୁ ପ୍ରାଥମିକତା ଦିଆଯିବ । ପୁଣି ମଲ୍ଟି ମୋଡାଲ ଇଣ୍ଟିଗ୍ରେସନ ଓ ସଷ୍ଟେନେବଲ ମୋବିଲିଟି ସଲ୍ୟୁସନ୍ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ ବୋଲି କ୍ୟାବିନେଟ୍ ବୈଠକ ପରେ ସୂଚନା ଦିଆଯାଇଛି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଆଭିମୁଖ୍ୟ ରଖି ସାର୍ବଜନିକ ପରିବହନ ସୁବିଧା ସୃଷ୍ଟି କରାଯିବ ବୋଲି କୁହାଯାଇଛି ।