ଭୁବନେଶ୍ବର,୨୦/୦୨: ଶୁକ୍ରବାର ବିଧାନସଭାରେ ରାଜ୍ୟ ବଜେଟ ୨୦୨୬-୨୭ ଉପସ୍ଥାପନ ସମୟରେ ବିଭିନ୍ନ ବିଭାଗର ବିକାଶ ତଥା ଜନସ୍ବାର୍ଥକୁ ଦୃଷ୍ଟିରେ ରଖି ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଶିକ୍ଷାରେ ଆଶାନୁରୁପ ଉନ୍ନତି ପ୍ରତି ମଧ୍ୟ ଗୁରୁତ୍ବ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି,'ଜାତୀୟ ଶିକ୍ଷା ନୀତି ୨୦୨୦' ଅନୁରୂପ ଆମ ସରକାର ଶିଶୁବାଟିକାକୁ ଔପଚାରିକ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ଭାବରେ ସଫଳତାର ସହିତ ପ୍ରବର୍ତ୍ତନ କରିଛନ୍ତି, ଯାହା ସୁନିଶ୍ଚିତ କରିଛି ଯେ, ପ୍ରତ୍ୟେକ ଶିଶୁ ଏକ ଦୃଢ଼ ଏବଂ ନ୍ୟାୟସଙ୍ଗତ ଭିତ୍ତିଭୂମି ସହିତ ବିଦ୍ୟାଳୟରେ ପ୍ରବେଶ କରିବେ।'
ବିଦ୍ୟାଳୟ ଆଧାରିତ ପ୍ରାରମ୍ଭିକ ଶୈଶବ ଶିକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ସମଗ୍ର ଶିକ୍ଷାକୁ ରାଜ୍ୟ ସହାୟତା ଅଧିନରେ ୧୧୩୧ କୋଟି ଟଙ୍କା ଆବଣ୍ଟନ ପ୍ରସ୍ତାବ ଦେଇଛନ୍ତି, ଯେଉଁଥିରେ ଶିଶୁ ବାଟିକା ଛାତ୍ରଛାତ୍ରୀମାନଙ୍କୁ ମାଗଣା ପୋଷାକ ଯୋଗାଣ ପାଇଁ ୩୨ କୋଟି ଟଙ୍କା ଉଦିଷ୍ଟ ରହିଛି। ସେହିପରି ସ୍ପଷ୍ଟ ଦୃଷ୍ଟିକୋଣ ସହିତ, ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ମାଗଣା ଏବଂ ବାଧାମୁକ୍ତ ଶିକ୍ଷା ଉଦ୍ଦେଶ୍ୟରେ ନବମ ଏବଂ ଦଶମ ଶ୍ରେଣୀର ସମସ୍ତ ଶିକ୍ଷାର୍ଥୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇବା ପାଇଁ ଏକ ନୂଆ ଯୋଜନାର ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର।
ଅଧିକ ପଢ଼ନ୍ତୁ: ପର୍ଯ୍ୟଟନ କ୍ଷେତ୍ର ପାଇଁ ୧ ହଜାର ୨୩କୋଟି ; ଭୂମି ଆବଶ୍ୟକତା ପୂରଣ କରିବାକୁ ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା
ସେହିପରି ଗଙ୍ଗାଧର ମେହେର ଶିକ୍ଷାମାନକ ବୃଦ୍ଧି ଯୋଜନା ଅଧିନରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏବଂ ମୁଖ୍ୟମନ୍ତ୍ରୀ ଛାତ୍ର ପରିଧାନ ଯୋଜନା ଅଧିନରେ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ ବଣ୍ଟନ ପାଇଁ ପାଣ୍ଠି ଆବଣ୍ଟନ କରିବାକୁ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ବାରା ପିଲାମାନେ ଆର୍ଥିକ ସଙ୍କଟ ହେତୁ ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ। ସେହିପରି 'ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମ' ଜରିଆରେ, ଗ୍ରାମପଞ୍ଚାୟତ ସ୍ତରରେ ଗୋଟିଏ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ବିକାଶ ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଯୋଜନାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧ ହଜାର ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। "ଐତିହ୍ୟ ବିଦ୍ୟାଳୟ" ଯୋଜନା ଅଧିନରେ ୫୧ଟି ଐତିହ୍ୟ ଓଡ଼ିଆ ମାଧ୍ୟମ ସରକାରୀ ଉଚ୍ଚ ବିଦ୍ୟାଳୟର ନବୀକରଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
୨୦୨୫-୨୬ ମସିହାରେ, ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପୋତ୍ସାହନ ଯୋଜନା ଏବଂ କେନ୍ଦ୍ର ପ୍ରାୟୋଜିତ ଛାତ୍ରବୃତ୍ତି ଯୋଜନା ଅଧିନରେ ପ୍ରାୟ ୧୧ ଲକ୍ଷ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ଓବିସି ଏବଂ ଇସିବି ହିତାଧିକାରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇସାରିଛି। ସେହିପରି ୨୦୨୬-୨୭ ବଜେଟରେ ୨୨ ଲକ୍ଷ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ଓବିସି ଏବଂ ଇସିବି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ପାଇଁ ୨ ହଜାର ୯୫ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ବଜେଟ୍ ଭାଷଣ : ନିଜ ରେକର୍ଡକୁ ଭାଙ୍ଗି ପାରିଲେନି ମୋହନ