ଭୁବନେଶ୍ୱର, ୨୨।୪: ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ଏବଂ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଗତ ମାର୍ଚ୍ଚ ମାସରେ ସବ୍‌ସିଡି ଜନିତ ସମସ୍ୟା କାରଣରୁ ଭୁବନେଶ୍ୱରରୁ ପ୍ରାୟ ୧୧ଟି ରୁଟ୍‌ରେ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା, ଯାହାଫଳରେ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଏବେ ସେହି ଅଚଳାବସ୍ଥା ଦୂର ହେବାକୁ ଯାଉଛି । ସରକାର ପୁଣି ଥରେ ୧୦ଟି ନୂଆ ରୁଟ୍‌ରେ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତି ଶେଷ କରିଛନ୍ତି ।

ଭୁବନେଶ୍ୱରରୁ ୪ଟି ନୂଆ ସହରକୁ ସଂଯୋଗ: 

ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱରରୁ ୪ଟି ଗୁରୁତ୍ୱପୂର୍ଣ୍ଣ ସହରକୁ ବିମାନ ସେବା ଯୋଗାଇ ଦିଆଯିବ । ସେଗୁଡ଼ିକ ହେଲା ତିରୁପତି, ଶିରିଡ଼ି, ସୁରତ, ଭୋପାଳ । ସରକାରଙ୍କ ଏହି ନିଷ୍ପତ୍ତି ପଛରେ ଏକ ବଡ଼ ଯୋଜନା ରହିଛି । ବିଶେଷ କରି ତିରୁପତି ଓ ଶିରିଡ଼ି ଭଳି ଧାର୍ମିକ ସ୍ଥଳକୁ ଓଡ଼ିଶାରୁ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଟ୍ରେନ୍ ଯୋଗେ ଯାତ୍ରା କରିଥାନ୍ତି । ଏହି ରୁଟ୍‌ରେ ବିମାନ ଚଳାଚଳ ଆରମ୍ଭ ହେଲେ ଏକ 'ଆଧ୍ୟାତ୍ମିକ କରିଡର' ସୃଷ୍ଟି ହେବ । ଏହାଦ୍ୱାରା କେବଳ ଓଡ଼ିଶାର ଲୋକ ବାହାରକୁ ଯିବେ ନାହିଁ, ବରଂ ଦକ୍ଷିଣ ଓ ପଶ୍ଚିମ ଭାରତରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ପୁରୀକୁ ଆସିବାରେ ସହଜ ହେବ । ଗୁଜରାଟର ସୁରତ ସହରରେ ଲକ୍ଷ ଲକ୍ଷ ଓଡ଼ିଆ ବାସ କରୁଛନ୍ତି । ସେମାନଙ୍କ ଯାତାୟତକୁ ସୁଗମ କରିବା ପାଇଁ ସୁରତକୁ ସିଧାସଳଖ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି କେନ୍ଦ୍ରୀୟ ଭାରତ ସହ ଯୋଗାଯୋଗ ବୃଦ୍ଧି ପାଇଁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳକୁ ମଧ୍ୟ ବିମାନ ଉଡ଼ିବ ।

ଏହା ବି ପଢ଼ନ୍ତୁ... Sun Temple: କୋଣାର୍କ ମନ୍ଦିରର ଭିତର ବାଲି ସୁରକ୍ଷିତ, ଯାଞ୍ଚ ପରେ IIT ମାଡ୍ରାସର ରିପୋର୍ଟ ପ୍ରକାଶ

ଝାରସୁଗୁଡ଼ାରୁ ମଧ୍ୟ ବଢ଼ିବ ସଂଯୋଗୀକରଣ:

କେବଳ ଭୁବନେଶ୍ୱର ନୁହେଁ, ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ଝାରସୁଗୁଡ଼ାରୁ ମଧ୍ୟ ନୂଆ ବିମାନ ସେବା ଆରମ୍ଭ ହେବ । ପୂର୍ବରୁ ଇଣ୍ଡିଗୋ ଏୟାରଲାଇନ୍ସ ଏହି ରୁଟ୍‌ଗୁଡ଼ିକରେ ସେବା ଯୋଗାଉଥିଲେ ମଧ୍ୟ ପରେ ତାହା ବନ୍ଦ ହୋଇଯାଇଥିଲା । ଏବେ ଝାରସୁଗୁଡ଼ାରୁ ଅହମଦାବାଦ, ଜୟପୁର ଏବଂ ପୁଣେକୁ ବିମାନ ଚଳାଚଳ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ସରକାର ଇଣ୍ଡିଗୋ ବିମାନ ସଂସ୍ଥା ସହ ଚୁକ୍ତି କରି ସବ୍‌ସିଡି ପ୍ରଦାନ କରୁଥିଲେ । ମାତ୍ର ବର୍ତ୍ତମାନର ନୂଆ ଯୋଜନା ଅନୁଯାୟୀ, ରାଜ୍ୟ ସରକାର 'ଷ୍ଟାର ଏୟାର' ସହିତ ଚୁକ୍ତି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସମସ୍ତ ଆନୁଷଙ୍ଗିକ ଆଲୋଚନା ଓ ପ୍ରକ୍ରିୟା ଶେଷ ହୋଇଛି । ଖୁବ୍‌ଶୀଘ୍ର ଏନେଇ ଏକ ବୁଝାମଣା ପତ୍ର ବା MoU ସ୍ୱାକ୍ଷର ହେବାର ସମ୍ଭାବନା ରହିଛି । ଯଦିଓ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି, ମାତ୍ର ସମର୍ ସିଡ୍ୟୁଲ୍ କାରଣରୁ ନୂଆ ସ୍ଲଟ୍ ଓ ଅନୁମତି ମିଳିବାରେ କିଛିଟା ବିଳମ୍ବ ହେଉଛି । ତେଣୁ ସେବା କେବେଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ, ସେନେଇ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇନାହିଁ । ସରକାରଙ୍କ ଏହି ଉଦ୍ୟମ ରାଜ୍ୟର ପର୍ଯ୍ୟଟନ ଓ ଅର୍ଥନୀତିକୁ ଏକ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି ।