ଭୁବନେଶ୍ୱର,୩୧/୧ : ଭୁବନେଶ୍ୱରସ୍ଥିତ ଓଏସଏପି ୭ମ ବାଟାଲିୟନ ପରିସରରେ ଶନିବାର ରାଜ୍ୟସ୍ତରୀୟ ପତାକା ଅବତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଉତ୍ସବକୁ ଗୌରବମଣ୍ଡିତ କରିଥିଲେ । ଉକ୍ତ ଉତ୍ସବ ଅବସରରେ ରାଜ୍ୟ ପୁଲିସର ବିଭିନ୍ନ ଜିଲ୍ଲା ଓ ବାଟାଲିୟନରୁ ଆସିଥିବା ବ୍ୟାଣ୍ଡ ବାଦକ ମାନେ ଚିତ୍ତାକର୍ଷକ ବାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପ୍ରାରମ୍ଭରେ ଓଏସଏପିର ବାଦ୍ୟକାରମାନେ ବିଗୁଲ, ପାଇପ ବ୍ୟାଣ୍ଡ, ବ୍ରାସ୍ ବ୍ୟାଣ୍ଡ ଓ ଷ୍ଟ୍ରିଙ୍ଗ ବ୍ୟାଣ୍ଡ ପରିବେଷଣ ମାଧ୍ୟମରେ ସମଗ୍ର ପରିବେଶରେ ଉତ୍ସାହ ଭରିଦେଇଥିଲେ।
‘ଜାତୀୟ ସଂଗୀତ’,‘ବନ୍ଦେ ମାତରମ’‘,ସାରେ ଜହାଁ ସେ ଅଚ୍ଛା’, ଓଡ଼ିଶା ମୋ ଓଡ଼ିଶା’‘, ଫନ ଫେୟାର’, ‘ଭାରତ କି ଯବାନ’, ‘କଦମ କଦମ ବଢ଼ାଏ ଯା’, ‘ସ୍ତୁତି ଆରାଧନା’ ଓ ‘ପ୍ରଳମ୍ବ ବାଦ୍ୟ’ ପରି ସଙ୍ଗୀତ ପରିବେଷଣ ଦର୍ଶକମାନଙ୍କୁ ମୁଗ୍ଧ କରିଥିଲା। ସୂର୍ଯ୍ୟାସ୍ତ ସମୟରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଜାତୀୟ ପତାକାର ଅବତରଣ କରାଯାଇଥିଲା। ଏହାପରେ ଓଏସଏପି ତୃତୀୟ ବାଟାଲିୟନ, କୋରାପୁଟର ଯବାନମାନଙ୍କ ଦ୍ୱାରା ପ୍ରଦର୍ଶିତ ‘ଢେମସା’ ନୃତ୍ୟ, ଓଏସଏପି ଦ୍ଵିତୀୟ ବାଟାଲିୟନ, ଝାରସୁଗୁଡ଼ାର ଯବାନ ଓ ସେମାନଙ୍କ ପରିବାର ବର୍ଗଙ୍କ ଦ୍ୱାରା ଖୁକ୍ରି ନୃତ୍ୟ ଏବଂ ପଞ୍ଚମ ଆଇଆରବିଏନ, ବୌଦ୍ଧର ଯବାନମାନଙ୍କ ଦ୍ୱାରା ପ୍ରଦର୍ଶିତ ସମ୍ବଲପୁରୀ ନୃତ୍ୟ ଉପସ୍ଥିତ ଦର୍ଶକମାନଙ୍କୁ ରୋମାଂଚିତ କରିଥିଲା। ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଓଡ଼ିଶା ପୋଲିସ ପକ୍ଷରୁ ଦେଶ ଭକ୍ତି, ଜାତୀୟ ଏକତା ଓ ଶୃଙ୍ଖଳାର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରାଯାଇଥିଲା।
ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ କମିଶନର ଏସ୍. ଦେବଦତ୍ତ ସିଂହ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ଶସସ୍ତ୍ର) ରାଜେଶ କୁମାର, ଅତିରିକ୍ତ ପୁଲିସ କମିଶନର ନରସିଂହ ଭୋଳ, ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ସମେତ ବହୁ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।