ଭୁବନେଶ୍ୱର,୧୫/୦୮: ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ୭୯ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଛନ୍ତି। ଏଥିସହିତ ଓଡ଼ିଶାବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ସମ୍ବୋଧନ ଦେଇଛନ୍ତି। ମହିଳା ସୁରକ୍ଷା ପାଇଁ ଆମର ଶୂନ୍ୟ ସହନଶୀଳ ନୀତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ସେ କହିଛନ୍ତି ସଙ୍ଗଠିତ ଅପରାଧକୁ ଦମନ କରାଯିବ । ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କୁ ଛଡାଯିବ ନାହିଁ । ବ୍ୟକ୍ତି ଯେତେ ବି ଶକ୍ତିଶାଳୀ ହୁଅନ୍ତୁ ଛଡାଯିବ ନାହିଁ । ସେମାନଙ୍କ ସ୍ଥାନ ଜେଲ୍ରେ ସମାଜରେ ନୁହେଁ । ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସକୁ କ୍ଷମତା ଦିଆଯାଇଛି । ମହିଳା ସୁରକ୍ଷାରେ ଅବହେଳା କଲେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ। ରାଜ୍ୟରେ ଆଇନ ଶୃଙ୍ଖଳା ମୋଟାମୋଟି ନିୟନ୍ତ୍ରଣାଧୀନ ରହିଛି । ଏହାକୁ ଆହୁରି ପ୍ରଭାବୀ କରିବାକୁ ହେବ । ଅପରାଧ ବୃଦ୍ଧିର ବଡ଼ କାରଣ ହେଉଛି ନିଶା କାରବାର ବୋଲି ସେ କହିଛନ୍ତି।
ରାଜ୍ୟସ୍ତରୀୟ ପରେଡ୍ରେ ଯୁବ ଆଇପିଏସ (ଟ୍ରେନିଂ)ଅନନ୍ୟା ଅବସ୍ତି ନେତୃତ୍ୱ ନେଇଥିଲେ । ଆନ୍ଧ୍ରପ୍ରଦେଶ ସଶସ୍ତ୍ର ପୁଲିସରଏକ ଦଳ ଏଥିରେ ଅଂଶଗ୍ରହଣ କରିଥିଲା । ଓଏସ୍ଏପିର ଷଷ୍ଠ ଓ ସପ୍ତମ ବାଟାଲିୟନର ୨ଟିବ୍ରାସ ବ୍ୟାଣ୍ଡର ଧୂନ ତାଳେ ତାଳେ ପରେଡ୍ର କରିଥିଲେ। ଏଥର ୧୨୦ ଇନ୍ଫାଣ୍ଟ୍ରି ବାଟାଲିୟନ, ସୀମା ସୁରକ୍ଷା ବଳ, ଇଣ୍ଡୋ ତିକ୍ରତୀୟ ବର୍ଡର ପୁଲିସ (ଆଇଟିବିପି), କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍ପିଏଫ୍) ଓ ସିଆର୍ପିଏଫ୍ର ଏକ ବ୍ୟାଣ୍ଡ, ଆଇଆର୍ ବାଟାଲିୟନ(ରାଜ୍ୟ), ଓଏସ୍ଏପି ବାଟାଲିୟନ(ରାଜ୍ୟ), ଏସ୍ଏସ୍ବିଏନ୍, ସ୍ୱତନ୍ତ୍ର ଅପରେସନ ଦଳ (ଏସ୍ଓଜି) ଚନ୍ଦକା, ଓଡି଼ଶା ସୁଇଫ୍ଟ ଆକ୍ସନ ଫୋର୍ସ, ଓଡି଼ଶା ଶିଳ୍ପ ସୁରକ୍ଷା ବଳ (ଓଆଇଏସ୍ଏଫ୍), ଓଡ୍ରାଫ୍ (ରାଜ୍ୟ), ରିଜର୍ଭ ସଶସ୍ତ୍ର ପୁଲିସ (ଏପିଆର) ଭୁବନେଶ୍ୱର, ଟ୍ରାଫିକ୍ ପୁଲିସ, ଅଗ୍ନିଶମ ବାହିନୀ, ଅଗ୍ନିଶମ ବ୍ୟାଣ୍ଡ, ଗୃହରକ୍ଷୀ, ସିଭିଲ୍ ଡିଫେନ୍ସ ୨ଟି ଦଳ(ମହିଳା, ପୁରୁଷ) ପରେଡ୍ କରିଥିଲେ । ତା’ ପଛକୁ ୨ଟି ରାଜ୍ୟ ଏନ୍ସିସି ଦଳ ସହ ୨୮ଟି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଏନ୍ସିସି, ସ୍କାଉଟର୍ସ, ଗାଇଡ୍ସ ଦଳ ଦେଶାତ୍ମବୋଧକ ଗୀତର ତାଳେ ତାଳେ ପରେଡ ପ୍ରଦର୍ଶନ କରିଥିଲେ । ଏଡିଜି (ଆଧୁନିକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି (ଆଇନଶୃଙ୍ଖଳା) ସଞ୍ଜୟ କୁମାର, ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ, ଡିସିପି ଜଗମୋହନ ମୀନା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବରେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନ ଅନୁ ଗର୍ଗ, ବିଭିନ୍ନ ବିଭାଗର ବରିଷ୍ଠ ସଚିବ,ନେତା ଏବଂ ଭିଭିଆଇପି ଅତିଥିମାନେ ଯୋଗ ଦେଇଥିଲେ।